ଫଟୋ ଭାଇରାଲ୍‌ ହେବା ପରେ ବିଷ ପିଇଥିଲେ: ଚିକିତ୍ସା‌ଧୀନ ଅବସ୍ଥାରେ ନର୍ସିଂ ଛାତ୍ରୀ ମୃତ

ଏକତରଫା ପ୍ରେମକୁ ବିରୋଧ କରିବାରୁ ସତ୍ୟଜିତ ସରକାର ନାମକ ଜଣେ ଯୁବକ ଉମରକୋଟ ରାଇଘର ଡୁମୁରିମୁଣ୍ଡା ଅଞ୍ଚଳର ଜଣେ ନର୍ସିଂ ଛାତ୍ରୀଙ୍କ ଫଟୋ ଏଡିଟ୍ କରି ଭାଇରାଲ୍‌ କରିଦେଇଥିଲା।

Dead

ଭୁବନେଶ୍ବର: ଏକତରଫା ପ୍ରେମକୁ ବିରୋଧ କରିବାରୁ ସତ୍ୟଜିତ ସରକାର ନାମକ ଜଣେ ଯୁବକ ଉମରକୋଟ ରାଇଘର ଡୁମୁରିମୁଣ୍ଡା ଅଞ୍ଚଳର ଜଣେ ନର୍ସିଂ ଛାତ୍ରୀଙ୍କ ଫଟୋ ଏଡିଟ୍ କରି ଭାଇରାଲ୍‌ କରିଦେଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ଛାତ୍ରୀଜଣକ କୀଟନାଶକ ଔଷଧ ଖାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଆଜି ଅପରାହ୍ଣରେ ତାଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷରେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସତ୍ୟଜିତ ସରକାର ଓ ଫଟୋ ଭାଇରାଲ କରିଥିବା ତାଙ୍କ ବନ୍ଧୁଙ୍କୁ ପୁଲିସ ଗିରଫ କରିଛି।
ସୂଚନା ମୁତାବକ, ଏହି ନର୍ସିଂଛାତ୍ରୀଙ୍କୁ ସତ୍ୟଜିତ ସରକାର ନାମକ ଜଣେ ଯୁବକ ଏକତରଫା ପ୍ରେମ କରୁଥିଲା। ସତ୍ୟଜିତଙ୍କ ପ୍ରସ୍ତାବରେ ଛାତ୍ରୀଜଣକ  ରାଜି ନହେବାରୁ, ସତ୍ୟଜିତ ଓ  ତାର ଜଣେ ବନ୍ଧୁ ଛାତ୍ରୀଙ୍କ ଫଟୋ ଏଡିଟ୍‌ କରି ଭାଇରାଲ କରି ଦେଇଥିଲେ।

ଫଟୋ ଭାଇରାଲ୍‌ ପରେ ଛାତ୍ରୀଜଣକ ମାନସିକ ଭାରସାମ୍ୟ ହରାଇ ବିଷ ପିଇଦେଇଥିଲେ। ଘର ଲୋକେ ତାଙ୍କୁ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କୋଣ୍ଡାଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟପୁର ନେଇଥିଲେ। କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହେବାରୁ  ଜୁଲାଇ ୨୧ ତାରିଖରେ ଚିକିତ୍ସାଳୟ ପକ୍ଷରୁ ଘରକୁ ନେଇଯିବା ପାଇଁ ପରାମର୍ଶ ଦିଆଯାଇଥିଲା। ଛାତ୍ରୀଙ୍କୁ ତାଙ୍କ ପରିବାର ଲୋକେ ସେଠାରୁ ଆଣି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜୁଲାଇ ୨୪ ତାରିଖରେ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍‌ସର ଭେଷଜ ବିଭାଗରେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ପ୍ରାୟ ୪ଟା ୨୦ରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe