ସମଲେଶ୍ବରୀ ମନ୍ଦିର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ବିକାଶ ମାମଲା: ଅନ୍ତରୀଣ ନିର୍ଦ୍ଦେଶ ଉଠାଇଲେ ହାଇକୋର୍ଟ

ସରକାର ଆଶ୍ବସ୍ତ

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ସମଲେଶ୍ବରୀ ମନ୍ଦିର ଯୋଜନା ସଂପର୍କିତ ମାମଲାରେ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ହାଇକୋର୍ଟ ଉଠାଇ ଦେଇଛନ୍ତି। ସମ୍ବଲପୁରର ପ୍ରସିଦ୍ଧ ମା’ ସମଲେଶ୍ବରୀ ମନ୍ଦିର ତଥା ଆଖପାଖ ଅଞ୍ଚଳର ବିକାଶ ପାଇଁ ସମଲେଇ ଯୋଜନା ସରକାର ‌ଘୋଷଣା କରିଥିବାବେଳେ ଘୁନ୍‌ଘୁଟିପଡ଼ା ଅଞ୍ଚଳର ବାସିନ୍ଦା ପୁନର୍ବାସ ଓ ଥଇଥାନ ପ୍ରସଙ୍ଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୨, ଜୁନ୍‌ ୨୭ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ଆବେଦନକାରୀଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ଗ୍ରହଣ କରାଯାଇ ପାରିବନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଆଜି ହାଇକୋର୍ଟ ମାମଲାର ଶୁଣାଣି କରି ଜୁନ୍ ୨୭ର ଅନ୍ତରୀଣ ନିର୍ଦ୍ଦେଶ ଉଠାଇ ଦେଇଛନ୍ତି। ମାମଲାରେ ସରକାରଙ୍କ ତରଫରୁ ଜବାବ ଦାଖଲ କରାଯାଇଥିବାବେଳେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ, ସମଲେଇ ଯୋଜନା କାର୍ଯ୍ୟକାରୀ ସପକ୍ଷରେ ଦୀପକ ବେଦୀ ଦାୟର କରିଥିବା ଜନସ୍ବାର୍ଥ ଆବେଦନର ଏହି ମାମଲା ସହିତ ସେପ୍ଟେମ୍ବର ୧୯ରେ ଏକତ୍ର ଶୁଣାଣି ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଦୀପକ ବେଦୀଙ୍କ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ, ସମଲେଇ ଯୋଜନାରେ ପ୍ରଭାବିତ ହେବାକୁ ଥିବା ବ୍ୟକ୍ତିବିଶେଷଙ୍କୁ ମାମଲାରେ ପକ୍ଷଭୁକ୍ତ କରିବାକୁ ହାଇକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ବଲପୁରର ପ୍ରସିଦ୍ଧ ମା’ ସମଲେଶ୍ବରୀ ମନ୍ଦିର ତଥା ଆଖପାଖ ଅଞ୍ଚଳର ବିକାଶ ପାଇଁ ସମଲେଇ ଯୋଜନା କାର୍ଯ୍ୟକାରୀ ପାଇଁ ଘୋଷଣା କରାଯାଇଥିଲା। ଏହି ଯୋଜନାକୁ ନେଇ ଘୁନ୍‌ଘୁଟିପଡ଼ା ବାସିନ୍ଦା ପ୍ରଥମେ ଖୁସି ଥିବାବେଳେ ସେମାନଙ୍କୁ ଉଚ୍ଛେଦ କରାଯିବ ବୋଲି ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା। ସରକାର ବିକଳ୍ପ ଜମି ନ ଦେଇ ଏବଂ ଥଇଥାନ ପାଇଁ ବ୍ୟବସ୍ଥା ନ କରି ‌ଏପରି ଉଚ୍ଛେଦ ପାଇଁ ଯୋଜନା କରିବା ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ରାକେଶ ସୁନା ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀ ବହୁବର୍ଷ ହେବ ରହୁଥିବା ଜମିକୁ ସମଲେଇ ଯୋଜନାରେ ସାମିଲ କରାଯାଇଥିବା ବେଳେ ସେମାନଙ୍କୁ ଥଇଥାନ, ପୁନର୍ବାସ ଓ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ଯୋଜନା କରାଯିବା ଉଚିତ ବୋଲି ଆବେଦନରେ ଦର୍ଶାଇଥିଲେ। ଏହି ପ୍ରସଙ୍ଗରେ ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ ଏପ୍ରିଲ ୧୨ରେ ମଧ୍ୟ ଅଭିଯୋଗ କରାଯାଇଥିଲା। କିନ୍ତୁ, କିଛି ସୁଫଳ ନ ମିଳିବାରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଅନ୍ୟପକ୍ଷରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଆବେଦନକାରୀ ରହୁଥିବା ଜମି ରାଜ୍ୟ ସରକାରଙ୍କ ହୋଇଥିବାବେଳେ ଏହାକୁ ଅଧିଗ୍ରହଣ ପ୍ରଶ୍ନ ଉଠୁନାହିଁ। ଏହି ଜମି କେବଳ ସମଲେଇ ଯୋଜନାରେ ବ୍ୟବହାର ପାଇଁ ନିଷ୍ପତ୍ତି ହୋଇଛି। ତେଣୁ, ଆବେଦନକାରୀଙ୍କ ଦାବି ଗ୍ରହଣୀୟ ନୁହେଁ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ମାମଲାରେ ନଗର ଉନ୍ନୟନ ସଚିବ, ସମ୍ବଲପୁର ଜିଲ୍ଲାପାଳ, ତହସିଲାଦାର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe