ବର ନ ଦେବାରୁ ବିଗ୍ରହଙ୍କୁ ସ୍ଥାନାନ୍ତର କରିଥିଲେ ରାଜା

Advertisment
ବର ନ ଦେବାରୁ ବିଗ୍ରହଙ୍କୁ ସ୍ଥାନାନ୍ତର କରିଥିଲେ ରାଜା

ନୟାଗଡ଼: ନୟାଗଡ଼ ଜଗନ୍ନାଥ ମନ୍ଦିରର ବିଶେଷତ୍ବ ଭିନ୍ନ। ଏହାର ଇତିହାସ ମଧ୍ୟ ବେଶ୍ ରୋଚକ। ସମସ୍ତ ଗଡ଼ଜାତର ଗଡ଼ଗୁଡ଼ିକରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରାଯିବା ପରି ଏଠାରେ ମଧ୍ୟ ସୁଦୃଶ୍ୟ ମନ୍ଦିର ବିଦ୍ୟମାନ। ଯେଉଁ ଗଡ଼ଜାତ ଅଞ୍ଚଳରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମିତ, ତତ୍‌କାଳୀନ ସେହି ଗଡ଼ଜାତ ରାଜ୍ୟ ଓ ଗଜପତି ମହରାଜାଙ୍କ ମଧ୍ୟରେ ସଂଯୋଗର ସେତୁ ଜଗତର ନାଥ ଜଗନ୍ନାଥ ବୋଲି କୁହାଯାଏ। ନୟାଗଡ଼ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କାହାଣୀକୁ ଯିଏ ଶୁଣିବ, ସମସ୍ତ ଘଟଣା ଭଗବାନଙ୍କ ଲୀଳା ବୋଲି ମନକୁ ଆସିବ।

ନୟାଗଡ଼ ଗଡ଼ଜାତରେ ଯେଉଁ ମନ୍ଦିରରେ ମହାପ୍ରଭୁ ପୂଜା ପାଉଛନ୍ତି, ତାହାର ନିର୍ମାଣ କାର୍ଯ୍ୟ ମୃତ୍ୟୁଞ୍ଜୟ ସିଂହଙ୍କ ସମୟରେ ଆରମ୍ଭ ହୋଇଥିଲା। ପରେ ରାଜା ବିନାୟକ ସିଂହ ମାନ୍ଧାତାଙ୍କ ସମୟରେ ମୁଖଶାଳା ଓ ଜଗମୋହନ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ଶେଷ ହୋଇଥିଲା। ଶୁଣିବାକୁ ମିଳେ ଯେ, ଆୟୁ ହାନୀ ଭୟରେ ରାଜ ପରିବାର ମନ୍ଦିରର ମୁଖଶାଳା ଓ ଜଗମୋହନ ନିର୍ମାଣ କରିନଥିଲେ। ମନ୍ଦିର ନିର୍ମାଣ ପୂର୍ବରୁ ନବମ ରାଜା ବାଘା ସିଂହଙ୍କ ଶାସନ କାଳରୁ ସେଠାରେ ପୂଜା ପାଇ ଆସୁଥିବା ମହାପ୍ରଭୁ, ରାଜ ପରିବାରକୁ ବରଦାନ କରୁନଥିବା ଆଲୋଚନା ହେଲା। ସେଥିପାଇଁ ମୂର୍ତ୍ତି ସବୁକୁ ରାଜା ରାମଚନ୍ଦ୍ର ସିଂହ ମାନ୍ଧାତା ନିକଟସ୍ଥ ସିନ୍ଦୁରିଆ ଗାଁକୁ ସ୍ଥାନାନ୍ତର କରାଇ ଦେଇଥିଲେ। ଏହା ପରେ ରାଜା ବିନାୟକ ସିଂହ ମାନ୍ଧାତାଙ୍କ ସମୟରେ ଏକ ମନ୍ଦିର ନିର୍ମାଣ କରାଯାଇ ମହାପ୍ରଭୁଙ୍କ ମୂର୍ତ୍ତି ସେଠାରେ ପୂଜା କରାଯିବ ବୋଲି ନିଷ୍ପତ୍ତି ହେଲା। ମନ୍ଦିର ନିର୍ମାଣ ହେବା ପରେ ଦାରୁ ନିର୍ମିତ ମା’ ସୁଭଦ୍ରାଙ୍କ ଏକକ ମୂର୍ତ୍ତି, ଶରଣକୁଳ ମନ୍ଦିର ବେଢ଼ା ପୂଜିତ ଏକକ ଜଗନ୍ନାଥଙ୍କ ମୂର୍ତ୍ତି ଓ ବାଙ୍କତରାଠାରେ ପୂଜିତ ଏକକ ଶ୍ରୀବଳଭଦ୍ରଙ୍କ ଦାରୁ ମୂର୍ତ୍ତି ସଂଗ୍ରହ କରାଯାଇ ଏହି ନୂତନ ମନ୍ଦିରରେ ପ୍ରତିଷ୍ଠା କରାଯାଇଥିଲା। ଆହୁରି ବି ଶୁଣିବାକୁ ମିଳେ ଯେ, ନୟାଗଡ଼ ଜଗନ୍ନାଥ ମନ୍ଦିରରେ ପୂଜିତ ତ୍ରିମୂର୍ତ୍ତି ଅନ୍ୟ କେଉଁଠାରୁ ସଂଗୃହୀତ ହୋଇନାହାନ୍ତି ବରଂ ସେହି ପୀଠରେ ହିଁ ନିର୍ମାଣ କରାଯାଇଛି। ଘଣ୍ଟକବି ଯଦୁମଣି ମହାପାତ୍ରଙ୍କ ବାପା ମୁକୁନ୍ଦ ମହାପାତ୍ରଙ୍କ ଦ୍ବାରା ଏହି ବିଗ୍ରହ ସବୁ ନିର୍ମାଣ କରାଯାଇଛି। ଶିଳ୍ପୀ ମୁକୁନ୍ଦ ଗଞ୍ଜାମ ଆଠଗଡ଼ ରାଜ୍ୟରୁ ନୟାଗଡ଼ ଆସି ଇଟାମାଟି ଗାଁରେ ରହିଥିଲେ। ଏଠାରେ ରହି ସେ ଜଗନ୍ନାଥ ମନ୍ଦିର ତଥା ଗୋପୀନାଥଙ୍କ ବିଗ୍ରହ ନିର୍ମାଣ କରି ଯଶ୍ବସୀ ହୋଇଛନ୍ତି।

ନୟାଗଡ଼ ଗଡ଼ରେ ଥିବା ରାଜ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ଗମ୍ଭୀରା, ଜଗମୋହନ ଓ ମୁଖଶାଳା ରହିଛି। ମନ୍ଦିରର ଉଚ୍ଚତା ମୋଟ ୧୨୦ ଫୁଟ୍ ହୋଇଥିବା ବେଳେ ଶିଳ୍ପଶାସ୍ତ୍ର ଅନୁସରଣରେ ‘ପଞ୍ଚରଥ ରେଖ’ ଶୈଳୀରେ ଏହାକୁ ନିର୍ମାଣ କରାଯାଇଛି। ଅସମ୍ପୂର୍ଣ୍ଣ ଥିବା ଜଗମୋହନ ଓ ମୁଖଶାଳା ନୟାଗଡ଼ର ଶେଷ ଶାସକ ରାଜା କୃଷ୍ଣଚନ୍ଦ୍ର ସିଂହଙ୍କ ଦ୍ବାରା ନିର୍ମାଣ କରାଯାଇଛି। ପାର୍ଶ୍ବରେ ଜଗତଜନନୀ ପଡ଼ିଦାତ୍ରୀ ମା’ ପଦ୍ମାଳୟାଙ୍କ ମନ୍ଦିର ଶୋଭା ପାଉଥିବା ବେଳେ ପାର୍ଶ୍ବ ଦେବତା ଭାବରେ ନୃସିଂହ, ବାମନ ଓ ବରାହ ବିଦ୍ୟମାନ। ଏହାସହ ବେଢ଼ା ମଧ୍ୟରେ ଦେବୋତ୍ତର ବିଭାଗ ସହଯୋଗରେ ପ୍ରବେଶ ଦ୍ବାରରେ ପଞ୍ଚମୁଖୀ ହନୁମାନ ଓ ପତିତପାବନ ମୂର୍ତ୍ତି ସହ କାଶୀ ବିଶ୍ବନାଥ, ମହାବୀର, ତାରିଣୀ, ଗ‌ଣେଶ, ବିମଳା, ସରସ୍ବତୀ ଓ ରାଧାକୃଷ୍ଣଙ୍କ ମନ୍ଦିର ରହିଛି। ପୁରୀ ଶ୍ରୀମନ୍ଦିରର ରୀତିନୀତି, ପୂଜା ପଦ୍ଧତି, ଉତ୍ସବ ଯଥାବିଧି ନୟାଗଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳନ କରାଯିବା ସହ ତିନି ରଥ ବିଶିଷ୍ଟ ଘୋଷଯାତ୍ରା ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୁଏ। ୨୦୧୫ ପୁରୀ ନବକଳେବରର ସ୍ମାରକୀ ବହନ କରି ନନ୍ଦିଘୋଷ ରଥର ଗୋଟିଏ ଚକ ନୟାଗଡ଼ ଶ୍ରୀଜଗନ୍ନାଥ ମନ୍ଦିର ବେଢ଼ା ବାହାରେ ପ୍ରତିଷ୍ଠିତ ହୋଇ ସର୍ବସାଧାରଣ ଦର୍ଶନ ନିମନ୍ତେ ପ୍ରଦର୍ଶିତ ହୋଇଛି। ଶ୍ରୀଜିଉଙ୍କ ପଣା ବିଧି ନିମନ୍ତେ ମନ୍ଦିର ମଧ୍ୟରେ ଚାରି ଫୁଟ୍ ଉଚ୍ଚତା ତଥା ୧୧ ଫୁଟ୍ ଗୋଲେଇ ବିଶିଷ୍ଟ ଏକ ପିତ୍ତଳହଣ୍ଡା ରଖାଯାଇଛି। କୁହାଯାଏ ଏ ହଣ୍ଡା ରାଜଦତ୍ତ। ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ବର୍ତ୍ତମାନ ଏହି ମନ୍ଦିର ରକ୍ଷଣାବେକ୍ଷର ଦାୟିତ୍ବ ବହନ କରି ଏହାର ଉନ୍ନତି ନିମନ୍ତେ ପଦ‌କ୍ଷେପ ନେଉଛି। ରଥଯାତ୍ରା ବ୍ୟତୀତ ଏଠାରେ ଶ୍ରୀଜଗନ୍ନାଥଙ୍କ ଅନ୍ୟାନ୍ୟ ମେଳା ମହୋତ୍ସବ ମଧ୍ୟରେ ଚନ୍ଦନ ଯାତ, ଝୁଲଣ ଯାତ ଓ ଦୋଳଯାତ ଅନୁଷ୍ଠିତ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe