ପୋଖରୀ ଖନନ ବେଳେ ମନ୍ଦିରର ଭଗ୍ନାବଶେଷ ଉଦ୍ଧାର

Advertisment

କାମ ବନ୍ଦ କରି ଅଞ୍ଚଳକୁ ସିଲ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ପୁଲିସ ମୁତୟନ, ପୋକ୍‌ଲିନ୍‌ ଅଚଳ

କାମ ବନ୍ଦ କରି ଅଞ୍ଚଳକୁ ସିଲ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ପୁଲିସ ମୁତୟନ, ପୋକ୍‌ଲିନ୍‌ ଅଚଳ

ପୋଖରୀ ଖନନ ବେଳେ ମନ୍ଦିରର ଭଗ୍ନାବଶେଷ ଉଦ୍ଧାର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍‌ ଦାଦପୁର ପାତାଳବନ୍ଧରେ ପଙ୍କ ଉଦ୍ଧାର ସମୟରେ ପୁରାତନ ମନ୍ଦିରର ଭଗ୍ନାବଶେଷ ମିଳିଛି। ଏହି ଖବର ଜାଣିବା ପରେ କଳାହାଣ୍ଡି ଜିଲ୍ଲାପାଳ ପୋଖରୀ ଖନନ କାର୍ଯ୍ୟ ବନ୍ଦ କରିବା ସହିତ ଅଞ୍ଚଳକୁ ସିଲ୍‌ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାସ୍ଥଳରେ ସଦର ଥାନା ପୁଲିସ ମୁତୟନ ହେବା ସହ ଏହାର ଅଧିକ ଗବେଷଣା ପାଇଁ ରାଜ୍ୟ ପ୍ରତ୍ନତାତ୍ତ୍ୱିକ ବିଭାଗକୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ପ୍ରକାଶ ଭବାନୀପାଟଣା ସଦର ବ୍ଲକ ଦାଦପୁର ପଞ୍ଚାୟତର ଦାଦପୁର ପାତାଳ ବନ୍ଧରେ ପଙ୍କ ଉଦ୍ଧାର ନିମନ୍ତେ ପଞ୍ଚାୟତର ଏସ୍‌ଏଫ୍‌ସି ପାଣ୍ଠିରୁ ୪ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲା। ଗତ ୫ ଦିନ ତଳୁ ଏହି କାର୍ଯ୍ୟ ପୋକ୍‌ଲିନ୍‌ ମେସିନ ସହାୟତାରେ ଖୋଲା ଆରମ୍ଭ ହୋଇଥିଲା। ପୋଖରୀ ମଝିରେ ଥିବା ଏକ ସ୍ଥାନରେ ପୋକ୍‌ଲିନ୍‌ ମେସିନ ବନ୍ଦ ହୋଇଯାଇଥିଲା। ଅନ୍ୟ ସ୍ଥାନକୁ ଖୋଲିଲେ ମେସିନ ଚାଲୁଥିବା ବେଳେ ସେହି ନିର୍ଦ୍ଧିଷ୍ଟ ସ୍ଥାନରେ ପୋକ୍‌ଲିନ୍‌ ମେସିନ ବନ୍ଦ ଭଳି ଅଲୌକିକ ଘଟଣା ନେଇ ସାଧାରଣରେ ଆଲୋଚନାର ବିଷୟ ହୋଇଛି। ପରେ ଜୋରଜବରଦସ୍ତ  ଶ୍ରମିକ ଲଗାଇ ସେଠାରେ ଖୋଲିବା ପରେ ବହୁ ପୁରାତନ ମନ୍ଦିରର ଭଗ୍ନାବଶେଷ ମିଳିଥିଲା। ଏ ନେଇ ପଞ୍ଚାୟତ ପକ୍ଷରୁ ବ୍ଲକ୍‌ ପ୍ରଶାସନକୁ ଅବଗତ କରାଯାଇଥିଲା। ଏ ନେଇ କଳାହାଣ୍ଡି ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟ ବନ୍ଦ କରିବା ସହିତ ପୋଖରୀକୁ ସିଲ୍‌ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ଡ. ସଞ୍ଜୟ କୁମାର ଶତପଥୀ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ। ଏନେଇ ସେ ଗବେଷଣା ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି। ସଦର ବିଡିଓ ପ୍ରୀତା କୁମାର ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଛନ୍ତି। ଏହି ଭଗ୍ନାବଶେଷ କେଉଁ ସମୟର ଗବେଷଣା ପରେ ଜଣାପଡ଼ିବ କିନ୍ତୁ ସାଧାରଣରେ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏହି ପୋଖରୀକୁ ଲାଗି ନୀଳକଣ୍ଠେଶ୍ବର ମନ୍ଦିର ରହିଛି। ଏହା ରାଜୁଡ଼ା ସମୟର ପ୍ରତ୍ନତାତ୍ତ୍ୱିକ ଭଗ୍ନାବଶେଷ ବୋଲି ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe