Deccan Herald
ବାରିପଦା: ବାଲି ମାଫିଆଙ୍କୁ ଅନୁକମ୍ପା ଦେଖାଇ ଫସିଗଲେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ତହସିଲଦାର ମମତାଜ ମହାରଣା। ତହସିଲଦାରଙ୍କ ବିରୋଧରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) ନିକଟରେ ଏକାଧିକ ପ୍ରମାଣ ରହିଛି। ଫଳରେ, ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବାର ସମ୍ଭାବନା ରହିଛି। ପର୍ଯ୍ୟାବରଣ, ମାଇନିଂ, ପରିବେଶ ନିୟମାବଳୀର ଉଲ୍ଲଂଘନ ଏବଂ ମାଇନିଂ କ୍ଲିଅରାନ୍ସ ଅବଧି ଶେଷ ହେବାପରେ ବି ବଡ଼ସାହି ତହସିଲ ଅଧୀନରେ ଥିବା ଆରପଟା ଓ ଡିଙ୍ଗିରା ଘାଟରେ ଖୁଲମଖୁଲା ବାଲି ଉତ୍ତୋଳନ ଓ ଚାଲାଣ ଚାଲିଥିଲା। ଫଳରେ, ୨୧୦ ଦିନରେ ଏ ବାବଦରେ ସରକାରଙ୍କ ୨୩ କୋଟି ୭୨ ଲକ୍ଷ ଟଙ୍କାର ରାଜସ୍ବ କ୍ଷତି ହୋଇଛି। ଏହି ମାମଲାର ଶୁଣାଣି କରି ବଡ଼ସାହି ତହସିଲଦାରଙ୍କ ବିରୋଧରେ କାହିଁକି ଅପରାଧିକ ମାମଲା ରୁଜୁ ହେବନାହିଁ ବୋଲି ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ କୈଫିୟତ୍ ତଲବ କରିଛନ୍ତି ଏନ୍ଜିଟି। ଏଥିସହିତ, ଲିଜ୍ଧାରୀଙ୍କଠାରୁ ରାଜସ୍ବ କ୍ଷତି ହୋଇଥିବା ଅର୍ଥ ଆଦାୟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।
ଆସନ୍ତା ମେ ୧୭ ତାରିଖ ସୁଦ୍ଧା ଏ ନେଇ ରିପୋର୍ଟ ଦେବାକୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ କୁହାଯାଇଛି। ଏନ୍ଜିଟିଙ୍କ ଏହିଭଳି ନିର୍ଦ୍ଦେଶ ପରେ ତହସିଲଦାର ମମତାଜ ମହାରଣାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ସମ୍ପର୍କରେ ଜିଲ୍ଲାପାଳ ବିନୀତ ଭରଦ୍ବାର କହିଛନ୍ତି, ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁଯାୟୀ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନ୍ୟପକ୍ଷରେ, ଲିଜ୍ଧାରୀ ପ୍ରଦୀପ ବିନ୍ଧାଣୀ ବାଲି ଉତ୍ତୋଳନ ଓ ଚାଲାଣ ନେଇ ରହିଥିବା ତ୍ରୁଟି ପାଇଁ ତହସିଲଦାରଙ୍କୁ ଦାୟୀ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେପଟେ ଜିଲ୍ଲାରେ ବାଲି ଖନନ ଓ ଉତ୍ତୋଳନ ପାଇଁ ପ୍ରସ୍ତୁତ କରା ଯାଇଥିବା ଜିଲ୍ଲା ସର୍ଭେ ରିପୋର୍ଟ(ଡିଏସ୍ଆର୍)କୁ ବେଆଇନ ଦର୍ଶାଇ ସମାଜସେବୀ ବିବେକାନନ୍ଦ ପଟ୍ଟନାୟକଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାର ଆଜି ପ୍ରାଥମିକ ଶୁଣାଣି ହୋଇଛି। ପରବର୍ତ୍ତୀ ଶୁଣାଣି ମେ ୩୦ ତାରିଖକୁ ଧାର୍ଯ୍ୟ କରାଯାଇଛି। ସେଦିନ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ ଚୂଡ଼ାନ୍ତ ରାୟ ଶୁଣାଇବେ ବୋଲି ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ; ଜିଲ୍ଲାରେ କୋଟି କୋଟି ଟଙ୍କାର ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ହେଉଥିବା ନେଇ ବଡ଼ସାହି ବ୍ଲକ୍ ପୁଣ୍ଡଲା ଗ୍ରାମର ରାଧାମୋହନ ସିଂ ଏନ୍ଜିଟିର ଆଶ୍ରୟ ନେଇଥିଲେ। ଗତ ୬ ତାରିଖରେ ରାଜ୍ୟ ପରିବେଶ ଇମ୍ପାକ୍ଟ ଅଥରିଟି ତଥା ବରିଷ୍ଠ ବୈଜ୍ଞାନିକ ପ୍ରଦୀପ କୁମାର ନାୟକଙ୍କ ନେତୃତ୍ବରେ ୪ ଜଣିଆ କମିଟି ବୁଢ଼ାବଳଙ୍ଗ ନଦୀର ଏକାଧିକ ବାଲିଘାଟକୁ ଯାଇ ତଦନ୍ତ କରି ଟ୍ରିବ୍ୟୁନାଲକୁ ରିପୋର୍ଟ ପ୍ରଦାନ କରିଥିଲେ।
Follow Us