୧୭୯୯ ହାଇସ୍କୁଲରେ ନାହାନ୍ତି ପ୍ରଧାନଶିକ୍ଷକ: ପଦୋନ୍ନତି ଚୂଡ଼ାନ୍ତ ପରେ ବି ନିଯୁକ୍ତି ବିଳମ୍ବ

Advertisment
୧୭୯୯ ହାଇସ୍କୁଲରେ ନାହାନ୍ତି ପ୍ରଧାନଶିକ୍ଷକ: ପଦୋନ୍ନତି ଚୂଡ଼ାନ୍ତ ପରେ ବି ନିଯୁକ୍ତି ବିଳମ୍ବ

କଟକ: ରାଜ୍ୟର ଏକ ଚତୁର୍ଥାଂଶରୁ ଅଧିକ ହାଇସ୍କୁଲ ଏବେ ବିନା ପ୍ରଧାନଶିକ୍ଷକରେ ଚାଲିଛି। ଏହାଦ୍ବାରା ଶିକ୍ଷାଦାନ ସହିତ ପ୍ରଶାସନିକ କାର୍ଯ୍ୟରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ଦୀର୍ଘଦିନ ହେଲା ହାଇସ୍କୁଲରେ ଅଚଳାବସ୍ଥା ଲାଗି ରହିଥିବାବ‌େଳେ ଗଣଶିକ୍ଷା ବିଭାଗ କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି। କିଛି ଯୋଗ୍ୟ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ମନୋନୀତ କରାଯାଇଥିଲେ ମଧ୍ୟ ସେମାନଙ୍କ ନିଯୁକ୍ତି ଦିଆଯାଉନାହିଁ। ଯୋଗ୍ୟ ଶିକ୍ଷକଙ୍କ ତାଲିକା ତିଆରିଠାରୁ ଆରମ୍ଭ କରି ପଦୋନ୍ନତି ପର୍ଯ୍ୟନ୍ତ କ’ଣ ପାଇଁ ବିଳମ୍ବ ହେଉଛି, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିବାବେଳେ ପ୍ରଧାନ ଶିକ୍ଷକ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବାରୁ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ରାଜ୍ୟରେ ୬୧୯୩ଟି ସରକାରୀ ହାଇସ୍କୁଲ ମଧ୍ୟରୁ ୧୭୯୯ ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦ ଏବେ ଖାଲି ପଡ଼ିଛି। ବିଭିନ୍ନ ହାଇସ୍କୁଲରେ ପ୍ରଧାନଶିକ୍ଷକଙ୍କ ପଦୋନ୍ନତି ବା ଅବସର ପରେ ଏଭଳି ସ୍ଥିତି ସୃ‌ଷ୍ଟି ହୋଇଛି। ପ୍ରଧାନଶିକ୍ଷକ ନିଯୁକ୍ତି କରି ଏଭଳି ପରିସ୍ଥିତିର ସମାଧାନ ପାଇଁ ୨୦୨୧, ନଭେମ୍ବର ମାସରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ପ୍ରଥମେ ଯୋଗ୍ୟ ଶିକ୍ଷକଙ୍କ କ୍ୟାଡର ଲିଷ୍ଟ୍ ତିଆରି କରାଯାଇଥିଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ନିଯୁକ୍ତିରେ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଇଥିଲା। ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ଖବର ପ୍ରକାଶ ପାଇବାପରେ ଜୁଲାଇ ୮ତାରିଖରେ ବିଭାଗୀୟ ପ ଦୋନ୍ନତି କମିଟି(ଡିପିସି) ବସି ୧୧୫୦ଜଣ ବରି‌ଷ୍ଠ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ପଦକୁ ପଦୋନ୍ନତି ଦେବାପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ, ଏହା ମଧ୍ୟରେ ୨୦ଦିନ ଅତିବାହିତ ହେବାକୁ ବସିଥିଲେ ମଧ୍ୟ ସେମାନଙ୍କ ପଦୋନ୍ନତି ଅଟକି ରହିଛି। କିଛି ପ୍ରଧାନଶିକ୍ଷକଙ୍କୁ ବଦଳିଭିତ୍ତିରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଜଣେ ବରିଷ୍ଠ ଶିକ୍ଷକଙ୍କ କହିବା ଅନୁସାରେ, ପ୍ରଧାନଶିକ୍ଷକ ନଥିବାରୁ ଶିକ୍ଷାଦାନ ସମତେ ସ୍କୁଲର ଦୈନନ୍ଦିନ କାର୍ଯ୍ୟରେ ଗୁରୁତର ସମସ୍ୟା ସୃଷ୍ଟି ହେଉଥିବା ବେଳେ ଗଣଶିକ୍ଷା ବିଭାଗର କିଛି ଅଧିକାରୀ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏଭଳି କାଳକ୍ଷେପଣ ନୀତି ଗ୍ରହଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe