ଡ଼ାବୁଗାଁ/ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବଡନି ଗ୍ରାମ ନିକଟରେ ଆଜି ସନ୍ଧ୍ୟା ସାଢେ଼ ୫ଟାରେ ଲକ୍ଷାଧିକ ଟଙ୍କାର ଲୁଟର ଶିକାର ହୋଇଛନ୍ତି ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧନୁର୍ଜୟ ନାୟକ। ସେ ବଡନି ଆଶ୍ରମ ବିଦ୍ୟାଳୟରୁ ନିଜ ଗ୍ରାମ ଡାବୁଗାଁକୁ ବାଇକ୍ରେ ଫେରିବା ବେଳେ ସହକାରୀ ଶିକ୍ଷୟିତ୍ରୀଙ୍କ ସ୍ଵାମୀ ବାଇକ୍ରେ ଲିଫ୍ଟ ମାଗି ମଝି ରାସ୍ତାରେ ପ୍ରଧାନଶିକ୍ଷକଙ୍କୁ ଲହୁ ଲୁହାଣ କରି ପିଟିବା ସହ ବାଇକ୍ ଓ ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ପ୍ରଧାନଶିକ୍ଷକଙ୍କୁ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବା ଯୋଗୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନା ଅନୁଯାୟୀ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ଝରିଗାଁ ବ୍ଲକ ଅନ୍ତର୍ଗତ ବଡନି ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆଜି ସେହି ବିଦ୍ୟାଳୟର ସହକାରୀ ଶିକ୍ଷକ ଉପେନ୍ଦ୍ର କୁମାର ସେଠୀଙ୍କ ସହ ଉମରକୋଟର ଦୁଇଟି ବ୍ୟାଙ୍କରୁ ବିଦ୍ୟାଳୟ ଟଙ୍କା ଉଠାଇ ଥିଲେ। ଆକ୍ସିସ ବ୍ୟାଙ୍କରୁ ୮୦ ହଜାର ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୬୦ ହଜାର ଏହିପରି ୧ ଲକ୍ଷ ୪୦ ହଜାର ଟଙ୍କା ଉଠାଣ କରି ବଡନି ଆଶ୍ରମକୁ ଯାଇଥିଲେ। ଆଶ୍ରମରେ କାର୍ଯ୍ୟ ସମାପ୍ତ କରି ସନ୍ଧ୍ୟା ପ୍ରାୟ ସାଢେ଼ ୫ ଘଣ୍ଟ ସମୟରେ ନିଜ ଘର ଡାବୁଗାଁକୁ ଉଠାଣ କରିଥିବା ଟଙ୍କା ସହ ନିଜ ବାଇକ୍ ( ଓଡି ୨୪ ଏଚ ୪୭୨୨) ଯୋଗେ ବାହାରିଥିଲେ।
ତେବେ ଡାବୁଗାଁ ଆସିବାକୁ ବାହାରୁ ଥିବା ସମୟରେ ବଡନି ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶୁଭ୍ରାଙ୍ଗିନି ମାହାଳିକଙ୍କ ସ୍ଵାମୀ ବିନୋଦ କୁମାର ନାୟକ ଡାବୁଗାଁ ପର୍ଯ୍ୟନ୍ତ ଲିଫ୍ଟ ଦେବାକୁ ଧନୁର୍ଜୟ ନାୟକଙ୍କୁ ଅନୁରୋଧ କରିଥିଲେ। ନିଜର ସହକାରୀ ଶିକ୍ଷୟିତ୍ରୀଙ୍କ ସ୍ଵାମୀ ହୋଇଥିବାରୁ ଧନୁର୍ଜୟ ବିନା ଦ୍ବିଧାରେ ବିନୋଦ କୁମାର ନାୟକଙ୍କୁ ଲିଫ୍ଟ ଦେଇଥିଲେ। ତେବେ ବଡନି ଡାବୁଗାଁ ଆସିବା ବାଟରେ ପ୍ରାୟ ୫୦୦ ମିଟର ଦୂର ଏକ କାଜୁ ବାଡ଼ ନିକଟରେ ବିନୋଦ କୁମାର ପରିଶ୍ରା ଯିବି କହି ଧନୁର୍ଜୟଙ୍କୁ ବାଇକ୍ ଅଟକାଇବା ପାଇଁ କହିଥିଲେ। ଧନୁର୍ଜୟ ବାଇକ୍ ଅଟକାଇବା ପରେ ବିନୋଦ ଓ ଧନୁର୍ଜୟ ବାଇକ୍ରୁ ଓହ୍ଲାଇ ଥିଲେ।
ତେବେ ଅଚାନକ ଧନୁର୍ଜୟଙ୍କୁ ବିନୋଦ ଏକ ପଥରରେ ମୁଣ୍ଡ ପଛକୁ ବାଡେଇଥିଲା। ଧନୁର୍ଜୟ କଣ ଜାଣିବା ପୂର୍ବରୁ ପୁଣି ସମ୍ମୁଖ ପଟ ମୁଣ୍ଡରେ ପଥରରେ ବାଡେଇ ଥିଲା। ଧନୁର୍ଜୟ ରକ୍ତାକ୍ତ ହେବା ସହ ତଳେ ଟଳି ପଡ଼ି ଗୁରୁତର ଆହତ ହୋଇଥିଲେ। ଏହାର ସୁଯୋଗ ନେଇ ବିନୋଦ କୁମାର ନାୟକ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡାଇ ନେଇଥିଲା। ସେଥିରୁ ୧ ଲକ୍ଷ ୪୦ ହଜାର ଟଙ୍କା କାଢ଼ି ବ୍ୟାଗ୍କୁ ସେହି ସ୍ଥାନରେ ଫୋପାଡି ଦେଇ ଧନୁର୍ଜୟଙ୍କ ବାଇକ୍ ନେଇ ସେଠାରୁ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ଧନୁର୍ଜୟଙ୍କୁ ଗୁରୁତର ଅବସ୍ଥାରେ ରାସ୍ତାଉପରୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ଝରିଗାଁ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନିହାର ରଞ୍ଜନ ବେହେରା ଗୁରୁତର ଧନୁର୍ଜୟଙ୍କୁ ଭେଟିବା ସହ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଖବର ଲେଖା ହେବା ସୁଦ୍ଧା ଗୁରୁତର ଧନୁର୍ଜୟ ନାୟକ ଥାନାରେ ଏତଲା ଦେଇ ନାହାନ୍ତି।
Follow Us