ଛୁଟି ପରେ ବାଇକ୍‌ରେ ଘରକୁ ଫେରୁଥିଲେ ପ୍ରଧାନଶିକ୍ଷକ; ହେଲେ ବାଟରେ ଛକି ବସିଥିଲା ଯମ...

Advertisment
ଛୁଟି ପରେ ବାଇକ୍‌ରେ ଘରକୁ ଫେରୁଥିଲେ ପ୍ରଧାନଶିକ୍ଷକ; ହେଲେ ବାଟରେ ଛକି ବସିଥିଲା ଯମ...

ଯାଜପୁର: ବିଦ୍ୟାଳୟରେ ଦିନସାରା ପାଠପଢ଼ାଇ ସାରିବା ପରେ ଅପରାହ୍‌ଣ ୪ଟାରେ ପ୍ରଧାନଶିକ୍ଷକ ଘରକୁ ଫେରୁଥିଲେ। ସ୍କୁଲ ସାମ୍ନାରେ ବସିଥିଲା ଯମ। ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଅନ୍ୟ ଏକ ବାଇକ୍‌ ଧକ୍କା ଦେବାରୁ ପ୍ରଧାନଶିକ୍ଷକଙ୍କର ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା କୁଆଖିଆ ଛକ ନିକଟରେ ଆଜି ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି। ପ୍ରଧାନଶିକ୍ଷକଙ୍କ ମୃତ୍ୟୁରେ ବିଦ୍ୟାଳୟର କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସମେତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକାକୂଳ ପରିସ୍ଥିତି ଦେଖାଯାଇଛି। ମୃତ ପ୍ରଧାନଶିକ୍ଷକ ହେଲେ ସାରଙ୍ଗପୁର ପ୍ରଥମିକ ବିଦ୍ୟାଳୟର ପ୍ରଭାତ କୁମାର ମିଶ୍ର (୫୩)। ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ସ୍ଥାନୀୟ ଲୋକେ ଟାୟାର ‌ଜାଳି ରାସ୍ତାରୋକ କରିଛନ୍ତି।

ସୂଚନା ଅନୁସାରେ ଅନ୍ୟ ଦିନ ଭଳି ପ୍ରଧାନଶିକ୍ଷକ ପ୍ରଭାତ କୁମାର ମିଶ୍ର ଆଜି ଅପରାହ୍ନ ୪ଟାରେ ସ୍କୁଲ ଛୁଟି ପରେ ଘରକୁ ବାଇକ୍‌ରେ ଫେରୁଥିଲେ। ତେବେ ସ୍କୁଲ ସାମ୍ନାରେ ବଜାର ଥିବାରୁ ଏଠାରେ ଲୋକଙ୍କର ଗହଳି ରହିଥାଏ। ୩ଟି ରାସ୍ତାର ସଂଯୋଗ ସ୍ଥଳୀ ଥିବାରୁ ଲୋକେ ଯାତୟତ ସମୟରେ ବିଚଳିତ ମଧ୍ୟ ହୋଇଥାନ୍ତି। ଏହା ଦ୍ବାରା ସ୍କୁଲପିଲା ଓ କର୍ମଚାରୀଙ୍କୁ ଅସୁବିଧା ହୋଇଥାଏ। ଆଜି ଅପରାହ୍ନରେ ଶ୍ରୀ ମିଶ୍ର ସ୍କୁଲରୁ ବାହାରି ଘରକୁ ଫେରୁଥିବା ବେଳେ ସାମ୍ନାପଟରୁ ଏକ ବାଇକ ଆରୋହୀ ଆସି ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ହୋଇଥିଲେ। ରାସ୍ତାରେ ଛଟପଟ ହେଉଥିଲେ। ତାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନାକୁ ନିଆଯାଉଥିଲା। କିନ୍ତୁ ଡାକ୍ତରଖାନାରେ ପହଞ୍ଚିଲା ପରେ ଡାକ୍ତର ମୃତ ଘୋଷଣା କରିଥିଲେ।

publive-image

ପ୍ରଧାନଶିକ୍ଷକ ପ୍ରଭାତ କୁମାର ମିଶ୍ର ସାରଙ୍ଗପୁର ପ୍ରଥମିକ ବିଦ୍ୟାଳୟରରେ ୨୦୨୧ ମସିହାରେ‌ ଯୋଗଦେଇଥିଲେ।  ସ୍କୁଲ ଛୁଟି ପରେ କୁଆଖିଆ ଥାନା ଅନ୍ତର୍ଗତ ଏକତଳାସ୍ଥିତ ନିଜ ଘରକୁ ଫେରୁଥିଲେ। ତାଙ୍କ ଫେରିବା ବାଟକୁ ପରିବାର ଲୋକେ ଅପେକ୍ଷା କରିଥିଲେ। କିନ୍ତୁ ପ୍ରଧାନଶିକ୍ଷକ ନିଜେ ନ ଫେରି ଘରକୁ ତାଙ୍କର ମୃତଦେହ ଫେରିଛି। ପରିବାର ଲୋକେ ଭୋ ଭୋ ହୋଇ କାନ୍ଦୁଛନ୍ତି। 

ତେବେ ପ୍ରଧାନଶିକ୍ଷକ ଶ୍ରୀ ମିଶ୍ରଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍କୁଲ କର୍ମଚାରୀ, ଅଭିଭାବକ ଓ ସ୍ଥାନୀୟ ଲୋକେ ପ୍ରଶାସନ ପ୍ରତି ତାତିଥିଲେ। ରାସ୍ତା ସମସ୍ୟାର ସମାଧାନ ପାଇଁ ସେମାନେ ଦାବି କରିଥିଲେ। କୁଆଖିଆରୁ କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟାକୁ ସଂଯୋଗ କରିବାକୁ ଥିବା ପ୍ରସ୍ତାବିତ ୨୦ ନମ୍ବର ଜାତୀୟ ରାଜପଥ ନିର୍ମାଣ ପୂର୍ବରୁ ସ୍କୁଲ ସାମ୍ନାରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ଦାବିରେ ରାସ୍ତାରୋକ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଯାତାୟତ ପ୍ରଭାବିତ ଥିଲା। ପରେ ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ସ୍କୁଲ ଆରମ୍ଭ ଓ ଛୁଟି ସମୟରେ ପୁଲିସ ମୁତୟନ ରହିବେ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe