ଅକଳରେ ସରକାରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ; ୧୦ ଦିନରେ ୩ ଲକ୍ଷ ଖର୍ଚ୍ଚ କର, ନଚେତ୍ ଫେରାଅ

Advertisment
୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ: ଲକ୍ଷେ କୋଟିର କାମଚଳା ବଜେଟ୍‌

The Economic Times

କଟକ : ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି ପାଇବା ପରେ ଏବେ ଅକଳରେ ପଡ଼ିଛନ୍ତି ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ। ଗଲା ୧୭ ତାରିଖ ଦିନ ଜିଲ୍ଲା ଶିକ୍ଷା ଅଧିକାରୀ ଚିଠି ଦେଇଛନ୍ତି। ୨୬ ତାରିଖ ଭିତରେ ସ୍କୁଲର ବିକାଶ ପାଇଁ ଦିଆଯାଇଥିବା ୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ତାହାର ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ କର, ନଚେତ ସେହି ଟଙ୍କାକୁ ଡିଡି କରି ଫେରାଇ ଦିଅ। କରୋନା ପରିସ୍ଥିତିରେ ସବୁ ବନ୍ଦ ରହୁଥିବା ବେଳେ ଏବେ ପ୍ରଧାନଶିକ୍ଷକମାନେ କଣ କରିବେ, ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

କଟକର ୩୧୦ଟି ସରକାରୀ ହାଇସ୍କୁଲକୁ ଏଭଳି ଚିଠି ଯାଇଥିବା ବେଳେ ଏବେ ସ୍କୁଲର ବିକାଶ କାମ ନହୋଇ ପାରି ପ୍ରାୟ ୯ କୋଟି ଟଙ୍କା ଫେରି ଯିବା ପରିସ୍ଥିତି ସୃଷ୍ଟି ହୋଇଛି। କରୋନା ମହାମାରୀ ପାଇଁ ୨୦୧୯-୨୦ ଓ ୨୦୨୦-୨୧ ଶିକ୍ଷା ବର୍ଷରେ ସ୍କୁଲରେ ପାଠପଢ଼ା ବନ୍ଦ ରହିବା, ସ୍କୁଲ ପରିଚାଳନା ସମିତି ବୈଠକ ବସି ନପାରିବା, ଦୋକାନ ବଜାର ବନ୍ଦ ରହିବା ଇତ୍ୟାଦି କାରଣରୁ ଏହି ସରକାରୀ ଅନୁଦାନ ଖର୍ଚ୍ଚ ହୋଇ ପାରି ନଥିବା ବେଳେ ଏବେ ପ୍ରଧାନ ଶିକ୍ଷକମାନେ କେମିତି ଟଙ୍କା ବିନିଯୋଗ କରିବେ ଅଥବା ୟୁସି ଦେବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ହାଇସ୍କୁଲର ସରକାରୀ ଅନୁଦାନ ଟଙ୍କା ଖର୍ଚ୍ଚ କରିବାକୁ ହେଲେ କିମ୍ବା ଫେରାଇବାକୁ ହେଲେ ବିଦ୍ୟାଳୟ ପରିଚାଳନା ସମିତିର ସହମତି ଲୋଡ଼ା। ଏପରି ସ୍ଥିତିରେ ଅନୁଦାନ ଟଙ୍କା ଫେରାଇବା ବା ଖର୍ଚ୍ଚ କରିବା ଏକ ପ୍ରକାର ଅସମ୍ଭବ ବୋଲି ଅନେକ ପ୍ରଧାନ ଶିକ୍ଷକ ମତ ଦେଇଛନ୍ତି।

ପ୍ରତ୍ୟେକ ସରକାରୀ ହାଇସ୍କୁଲକୁ ବର୍ଷକୁ ସ୍କୁଲ ଉନ୍ନତିକରଣ ବାବଦରେ ୭୫ ହଜାର ଟଙ୍କା, ସ୍ପୋର୍ଟସ୍ ପାଇଁ ୩୨ ହଜାର ଟଙ୍କା, ୟୁଥ୍ ଓ ଇକୋ କ୍ଲବ୍ ପାଇଁ ୨୫ ହଜାର ଟଙ୍କା ଓ ଲାଇବ୍ରେରି ପାଇଁ ୨୦ ହଜାର ଟଙ୍କା ଅନୁଦାନ ଆସିଥାଏ।। ଅର୍ଥାତ ଗୋଟିଏ ହାଇସ୍କୁଲ ମୋଟାମୋଟି ଭାବେ ବାର୍ଷିକ ୧ ଲକ୍ଷ ୫୨ ହଜାର ଟଙ୍କା ସରକାରୀ ଅନୁଦାନ ପାଇଥାନ୍ତି। ଏହି ଦୁଇ ଶିକ୍ଷାବର୍ଷ ପାଇଁ ପ୍ରତି ସରକାରୀ ହାଇସ୍କୁଲକୁ ୩ ଲକ୍ଷରୁ ଅଧିକ ଟଙ୍କା ବିଭିନ୍ନ ପର୍ଯ୍ୟାୟରେ ଆସିଛି। ଏହି ସମସ୍ତ ଟଙ୍କା ୨୦୨୧ ମସିହାରେ ଆସିଛି। ଗୋଟିଏ ହାଇସ୍କୁଲକୁ ୩ ଲକ୍ଷ ୪ ହଜାର ଟଙ୍କା ହିସାବରେ ଜିଲ୍ଲାରେ ଥିବା ୩୧୦ ହାଇସ୍କୁଲକୁ ମୋଟ ୯ କୋଟିରୁ ଅଧିକ ଟଙ୍କା ଆସିଛି। ଏହି ଟଙ୍କା ଖର୍ଚ୍ଚ କରିବାକୁ ହେଲେ ବିଦ୍ୟାଳୟ ପରିଚାଳନା ସମିତି ଓ ପ୍ରଧାନ ଶିକ୍ଷକଙ୍କୁ ନେଇ ଏକ ବୈଠକ ବସେ। ବୈଠକରେ ସହମତି ଭିତ୍ତିରେ ଟଙ୍କା ଖର୍ଚ୍ଚ ସଂପର୍କରେ ନିଷ୍ପତ୍ତି ନିଆଯାଏ। ପ୍ରଧାନ ଶିକ୍ଷକ ଓ ସ୍କୁଲ ପରିଚାଳନା ସମିତି ସଭାପତିଙ୍କ ଜଏଣ୍ଟ୍‌ ଆକାଉଣ୍ଟରେ ଏହି ଟଙ୍କା ଥାଏ। ଯେଉଁ ସ୍କୁଲରେ ପରିଚାଳନା ସମିତି ନାହିଁ ସେଠି ପ୍ରଧାନ ଶିକ୍ଷକ ଓ ସିଆର୍‌ସିସିଙ୍କ ମିଳିତ ଆକାଉଣ୍ଟ୍‌ରେ ଟଙ୍କା ରହୁଛି।

ଆସନ୍ତା ଜୁଲାଇ ୧ରୁ କେନ୍ଦ୍ର ସରକାରଙ୍କ ନୂଆ ସଫ୍ଟଓୟାର କାର୍ଯ୍ୟକାରୀ ହେବାକୁ ଥିବାରୁ ଜୁନ୍ ଶେଷ ସୁଦ୍ଧା ସମସ୍ତ ଖର୍ଚ୍ଚ ସଂକ୍ରାନ୍ତ ପ୍ରମାଣପତ୍ର ଦାଖଲ କରିବାକୁ ଡିଇଓଙ୍କ ପକ୍ଷରୁ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଏ ନେଇ ଜିଲ୍ଲା ଶିକ୍ଷାଧିକାରୀରୀ କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି, ଜୁଲାଇ ପହିଲାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୂଆ ସଫ୍ଟଓୟାର କାର୍ଯ୍ୟକାରୀ ହେଉଛି। ତେଣୁ ଓସେପା ପାଖରୁ ଆମକୁ ଚିଠି ଆସିଛି ଜୁନ୍ ଶେଷ ସୁଦ୍ଧା ଯଦି ଟଙ୍କା ଖର୍ଚ୍ଚ କରାଯାଇଛି ତେବେ ତାର ୟୁଟିଲାଇଜେସନ୍ ସାର୍ଟିଫିକେଟ ଦାଖଲ ହେବ। ଯାହା ଖର୍ଚ୍ଚ ନ ହୋଇଛି ତାହାକୁ ଡିଡି ଆକାରରେ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe