ଛେଳି ନ ଘଉଡ଼ିବାରୁ ପ୍ରଧାନ ଶିକ୍ଷକ ନିଲମ୍ବିତ

Advertisment

ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଗଛମୂଳେ ପାଠପଢ଼ା ଘଟଣା

ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଗଛମୂଳେ ପାଠପଢ଼ା ଘଟଣା

ଛେଳି ନ ଘଉଡ଼ିବାରୁ ପ୍ରଧାନ ଶିକ୍ଷକ ନିଲମ୍ବିତ

କେନ୍ଦୁଝର : ଗଛମୂଳେ ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀ ଖାଉଥିବା ବେଳେ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱହୀନତା ପାଇଁ ଛେଳି କୁକୁର ପଶିଯିବା କାରଣରୁ ସଦର ବ୍ଲକ ବଣୁଆ ସ୍ଥିତ ଯୋଗେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ କୁମାର ମିଶ୍ରଙ୍କୁ ଜିଲ୍ଲାପାଳ ଏନ୍‌. ତିରୁମାଲା ନାଏକଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ ନିଲମ୍ବନ କରିଛନ୍ତି । ବିଦ୍ୟାଳୟର ଶ୍ରେଣୀ ଗୃହ ନ ଥିବାରୁ ଛାତ୍ରଛାତ୍ରୀମାନେ ଗଛମୂଳେ ପଢ଼ିବା ସହିତ ଛେଳି କୁକୁରଙ୍କ ମେଳରେ ମଧ୍ୟାହ୍ନ ଭୋଜନ ଖାଇବା ସଂପର୍କିତ ବିସ୍ତତ ଖବର ଏବଂ ଫଟୋ ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଆଜି ଖୋଦ୍‌ ଜିଲ୍ଲାପାଳ ଏନ୍‌ ତିରୁମାଲା ନାଏକ, ଉପ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଜିଲ୍ଲା ଶିକ୍ଷାଧିକାରୀ ପ୍ରତିଭା ମଞ୍ଜରୀ ଦାସ, ଡିପିସି ପୂର୍ଣ୍ଣଚନ୍ଦ୍ର ସେଠୀ ସଂପୃକ୍ତ ବିଦ୍ୟାଳୟକୁ ପରିଦର୍ଶନ କରିବା ପରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ।

ଖବର ଅନୁୁସାରେ, କେନ୍ଦୁଝର ସଦର ବ୍ଲକ ବଣୁଆ ଗ୍ରାମରେ ରହିଛି ଯୋଗେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୫୦ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଏମାନଙ୍କ ପାଠ ପଢ଼ିବା ପାଇଁ ରହିଛି ମାତ୍ର ଗୋଟିଏ ଶ୍ରେଣୀ ଗୃହ । ତେଣୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପଢ଼ିବା ପାଇଁ ଶ୍ରେଣୀ ଗୃହ ନ ଥିବାରୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରେ ଥିବା ଏକ ଗଛମୂଳେ ବସି ପାଠ ପଢ଼ନ୍ତି । ଏହି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ସ୍ଥାନ ନ ଥିବାରୁ ଛାତ୍ରଛାତ୍ରୀମାନେ ବାହାରେ ବସି ଖାଆନ୍ତି । ଏ ସଂପର୍କରେ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କଠାରୁ ଆରମ୍ଭ କରି ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଶିକ୍ଷା କମିଟି କର୍ମକର୍ତା ସମସ୍ତେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। କିନ୍ତୁ କୌଣସି ସୁଫଳ ମିଳୁ ନ ଥିଲା। ଏ ସଂପର୍କରେ ଗତକାଲି ‘ସମ୍ବାଦ’ରେ ଫଟୋ ସହିତ ବିସ୍ତତ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ଚେତିଥିଲା ।

ଆଜି ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସଂପୃକ୍ତ ବିଦ୍ୟାଳୟକୁ ଯାଇଥିଲେ । ସେଠାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷାଧିକାରୀ ଆଜି ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ମିଶ୍ରଙ୍କୁ ନିଲମ୍ବିତ କରିବା ପରେ ସଂପୃକ୍ତ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ ପ୍ରତିବାଦରେ ଆସନ୍ତାକାଲିଠାରୁ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଏ ସଂପର୍କରେ ଜିଲ୍ଲାପାଳ ଏନ୍‌ ତିରୁମାଲା ନାଏକଙ୍କୁ ବି ପଚାରିବାରୁ ସେ କହିଥିଲେ, ବିଦ୍ୟାଳୟର ଶ୍ରେଣୀଗୃହ ନ ଥିବା ଅଭିଯୋଗ ଠିକ୍‌। କିନ୍ତୁ ମଧ୍ୟାହ୍ନ ଭୋଜନ ବେଳେ ଛେଳି, କୁକୁର ଛାତ୍ରଛାତ୍ରୀଙ୍କ ଥାଳିରେ ମୁହଁ ମାରିବା ଠିକ୍‌ କଥା ନୁହେଁ । ଏଥିରୁ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱହୀନତା ସ୍ପଷ୍ଟ ହୋଇଛି ଏବଂ ତାଙ୍କୁ ନିଲମ୍ବନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe