ଗର୍ଜନବାହାଲ ସ୍କୁଲଛାତ୍ରଙ୍କ ମୃତ୍ୟୁ ମାମଲା: ପ୍ରଧାନ ଶିକ୍ଷକ ନିଲମ୍ବିତ

Advertisment
ଗର୍ଜନବାହାଲ ସ୍କୁଲଛାତ୍ରଙ୍କ ମୃତ୍ୟୁ ମାମଲା: ପ୍ରଧାନ ଶିକ୍ଷକ ନିଲମ୍ବିତ

ସୁନ୍ଦରଗଡ଼/ହେମଗିର: ଅଗଷ୍ଟ ୨ ତାରିଖରେ ହେମଗିର ଥାନା ଗର୍ଜନବାହାଲ ହାଇସ୍କୁଲ ଛାତ୍ର ଦୁର୍ଗାପ୍ରସାଦ ଖଣ୍ଡା ମୃତ୍ୟୁ ଘଟଣାରେ ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କର୍ତ୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ ସ୍କୁଲ ପ୍ରଧାନଶିକ୍ଷକ ଦେବେନ୍ଦ୍ର ପଟେଲଙ୍କୁ ନିଲମ୍ବିତ କରିଛନ୍ତି। ତାଙ୍କୁ  ହେମଗିର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ବେଳେ ବିନା ଅନୁମତିରେ ମୁଖ୍ୟାଳୟ  ଛାଡି ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଗର୍ଜନବାହାଲ ହାଇସ୍କୁଲ ନିକଟ ଏକ କୁସୁମ ଗଛ ତଳୁ ମଙ୍ଗଳବାର ସକାଳୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତ ଛାତ୍ର ହେଲେ ଦୁର୍ଗାପ୍ରସାଦ ଖଣ୍ଡା। ଘର ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ନିକଟ ଗୁମେଡେରା। ଗର୍ଜନବାହାଲ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ର ଦୁର୍ଗା ସ୍କୁଲ ହଷ୍ଟେଲରେ ରହୁଥିଲେ। ଗତକାଲି ରାତିରେ ହଷ୍ଟେଲର ଉପସ୍ଥାନ ପକାଯିବା ବେଳେ ସେ ନଥିବା ଜଣାପଡ଼ିଥିଲା। ଅନ୍ୟ ଅନ୍ତେବାସୀ ଖୋଜାଖୋଜି କରିଥିଲେ ବି ପାଇ ନଥିଲେ। ଆଜି ସକାଳୁ ଛାତ୍ରଙ୍କ ମୃତଦେହ ଗଛତଳେ ପଡ଼ିଥିବା ଦେଖି ସ୍କୁଲ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଆସି ତଦନ୍ତରୁ ଜଣାଯାଇଛି ଛାତ୍ରଜଣକ ଅପରାହ୍ନରେ ଏକା କୁସୁମ ଖାଇବାକୁ ଯାଇଥିଲେ। କୁସୁମ ଗଛ ଚଢ଼ିଥିବା ବେଳେ ଗଛକୁ ଛୁଇଁ ଯାଇଥିବା ୧୧ କେଭି ଜୀବନ୍ତ ବିଦ୍ୟୁତ ତାର ଝଟକା ଖାଇ ତଳେ ପଡ଼ି ଯାଇଥିଲେ। ସାରା ରାତି ସେଠାରେ ପଡ଼ି ରହିବା ମଧ୍ୟରେ ତାଙ୍କ ପ୍ରାଣ ଚାଲିଯାଇଥିଲା। ଛାତ୍ରଙ୍କ ମୃତ୍ୟୁ ଖବରକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ କାକା ଓ ମା’ ଆସି ସ୍କୁଲ କର୍ତ୍ତୃପକ୍ଷ ଓ ଟାଟାପାୱାରର ଅବହେଳା ଯୋଗୁଁ ତାଙ୍କ ପୁଅର ଜୀବନ ଯାଇଥିବା ଅଭିଯୋଗ କରିଥିଲେ। ଦୁର୍ଗାପ୍ରସାଦ ନିଖୋଜ ଥିବା ଜାଣିବା ପରେ ଶିକ୍ଷକମାନେ ତାକୁ ଖୋଜିବା ନେଇ କୌଣସି ତତ୍ପରତା ପ୍ରକାଶ କରି ନଥିଲେ ଓ ପିଲାମାନଙ୍କୁ ଖୋଜିବାକୁ ପଠାଇଥିବା ଅଭିଯୋଗ ହୋଇଥିଲା।

ଘଟଣାସ୍ଥଳରେ ହେମଗିର ପୁଲିସ ଅଧିକାରୀ ରମାକାନ୍ତ ସାଏ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସାରଙ୍ଗଧର ବରିହା, ହେମଗିର ତହସିଲଦାର ଭିକ୍ଟୋରିଆ ଏକ୍କାଙ୍କ ସମେତ ଟାଟା ପାୱାରର ଯନ୍ତ୍ରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ମୃତକଙ୍କ ପରିବାରକୁ ସ୍କୁଲ ପକ୍ଷରୁ ନଗଦ ୫୦ ହଜାର, ଜିଲ୍ଲା ରେଡକ୍ରସରୁ ୨୦ ହଜାର ଦିଆଯିବା ସହ ବିଦ୍ୟୁତ ବିଭାଗ ୨ ଲକ୍ଷ ଟଙ୍କା ଓ ଜଣକୁ ଚାକିରି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଅବହେଳା କରିଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଶବକୁ ବ୍ୟବଚ୍ଛେଦ ପାଇଁ ଛାଡ଼ିଥିଲେ ପରିବାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe