୧୦୦ ଆୟୁଷ ଡିସ୍‌ପେନସାରିରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

Advertisment
୧୦୦ ଆୟୁଷ ଡିସ୍‌ପେନସାରିରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

Jharkhand Mirror

ନବୀକରଣ ହେବ ୬୦ ଆୟୁର୍ବେଦିକ ଓ ୪୦ ହୋମିଓପ୍ୟାଥିକ ଡିସ୍‌ପେନସାରି
ସ୍ବାସ୍ଥ୍ୟସେବା ଓ ଆୟୁଷ ନିର୍ଦେଶାଳୟ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ
ଆସନ୍ତା ୩ବର୍ଷରେ ଆହୁରି ୩ଶହ କେନ୍ଦ୍ର ନବୀକରଣ ଯୋଜନା

ଭୁବନେଶ୍ବର : ରାଜ୍ୟର ୧୦୦ ଆୟୁଷ ଡିସ୍‌ପେନସାରିରେ ଖୋଲିବ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର। ୬୦ଟି ଆୟୁର୍ବେଦିକ ଓ ୪୦ଟି ହୋମିଓପ୍ୟାଥିକ ଡିସ୍‌ପେନସାରିକୁ ନବୀକରଣ କରାଯାଇ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ରୂପ ଦିଆଯିବ। ଏ ନେଇ ଆଜି ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟ ସହ ଆୟୁଷ ନିର୍ଦ୍ଦେଶାଳୟ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆସନ୍ତା ୩ ବର୍ଷରେ ପ୍ରତିବର୍ଷ ଶହେ ଲେଖାଏଁ ସମୁଦାୟ ୩ଶହ ଡିସ୍‌ପେନସାରିକୁ ନବୀକରଣ କରାଯିବ। ଏ ନେଇ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରି ମିଳିଥିବା ଜଣାପଡ଼ିଛି।

ରାଜ୍ୟରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ଅଧୀନରେ ମଧ୍ୟ ଏଲୋପ୍ୟାଥିକ ଡିସ୍‌ପେନସାରିଗୁଡ଼ିକ ନବୀକରଣ କରାଯାଇ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ରୂପ ଦିଆଯାଇଛି। ତେଣୁ ରାଜ୍ୟରେ ଆୟୁଷର ୪ଶହଟି ଡିସ୍‌ପେନସାରି ଥିବା ବେଳେ ଏ ସବୁକୁ ମଧ୍ୟ ପରିବର୍ତ୍ତନ କରିବା ଲାଗି ଯୋଜନା ହୋଇଛି। ଚଳିତ ୨୦୨୦/୨୧ବର୍ଷରେ ୧୦୦ଟି ଡିସ୍‌ପେନସାରି ନବୀକରଣ କରାଯିବ ବୋଲି ଯୋଜନା ହୋଇଛି। ରାଜ୍ୟରେ ୨ଶହଟି ଲେଖାଏଁ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଡିସ୍‌ପେନସାରି ରହିଥିବା ବେଳେ ନୂଆ ରୂପ ପାଇବ। ଏହି କେନ୍ଦ୍ରରେ ଯୋଗ ଶିକ୍ଷାଠାରୁ ଆରମ୍ଭ କରି ସାଧାରଣ ପାଥୋଲୋଜି ପରୀକ୍ଷା, ଔଷଧୀୟ ବଗିଚା ଓ ଆୟୁଷ ସଂପର୍କରେ ସଚେତନତା ବାର୍ତା ରହିବ। ଯୋଗ ହଲ୍ ନିର୍ମାଣ କରାଯାଇ ଲୋକମାନଙ୍କୁ ଯୋଗ ଶିକ୍ଷା ଦିଆଯିବାକୁ ଯୋଜନା ରହିଛି। ଏହାସହ ଏହି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏକ ରେଫରାଲ ହସ୍ପିଟାଲ ଭଳି କାର୍ଯ୍ୟ କରିବ। ଏପରିକି ଆଶା ଓ ଏଏନ୍‌ଏମ୍‌ଙ୍କ ସହାୟତାରେ ନିୟମିତ ଟିକାକରଣ ଯେପରି ହୋଇପାରିବ, ତାହାର ମଧ୍ୟ ବ୍ୟବସ୍ଥା କରାଯିବ। ମହିଳା/ପୁରୁଷ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଏନ୍‌ସିଡି ବା ଅଣ ସଂକ୍ରାମକ ରୋଗ ସଂପର୍କିତ ତାଲିମ୍ ମଧ୍ୟ ପ୍ରଦାନ କରାଯାଇ ଅଧିକ ସଚେତନ କରାଯିବାକୁ ଯୋଜନା କରାଯାଇଛି।

ଆୟୁଷ ନିର୍ଦେଶକ ତ୍ରିଲୋଚନ ମାଝୀ କହିଛନ୍ତି, ପୂର୍ବରୁ ଏସବୁ ଡିସ୍‌ପେନସାରି ଏକପ୍ରକାର ଅବହେଳିତ ହୋଇ ରହିଥିଲା। ତେବେ ନବୀକରଣ କରାଯିବା ପରେ ଏହା ଅଧିକ କ୍ରିୟାଶୀଳ ହେବ। ପ୍ରତିବର୍ଷ ଶହେଟି ଲେଖାଏଁ ଆୟୁଷ ଡିସ୍‌ପେନସାରିକୁ ନବୀକରଣ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିରେ କୌଣସି ନୂତନ ନିଯୁକ୍ତି ଦିଆଯିବ ନାହିଁ। ପୂର୍ବରୁ ଯେଉଁ କର୍ମଚାରୀ ରହିଛନ୍ତି, ସେମାନଙ୍କୁ ଅଧିକ ତାଲିମ୍‌ ଦିଆଯିବ। ତେବେ ଯୋଗାଭ୍ୟାସ ପାଇଁ ପୁରୁଷ/ମହିଳା ଯୋଗ ପ୍ରଶିକ୍ଷକ ଓ ପ୍ରଦର୍ଶକଙ୍କୁ ନିଯୁକ୍ତି ଦେବା ଲାଗି ସ୍ଥିର ହୋଇଛି। ପର୍ଯ୍ୟାୟକ୍ରମେ ସେମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe