ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
୬୪୦ କୋଟି ଟଙ୍କାର ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ
ବେଲଘରରେ ପ୍ରତିଷ୍ଠା ହେବ ଇକୋ କଟେଜ୍
ଫୁଲବାଣୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ କନ୍ଧମାଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୬ ଲକ୍ଷ ୫୦ହଜାର ଜନସାଧାରଣ ଉତ୍ତମ ଚିକିତ୍ସା ସୁବିଧା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଲବାଣୀ ଗସ୍ତରେ ଆସି ସୂଚନା ଦେଇଛନ୍ତି। ଏହାଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକେ ଉପକୃତ ହୋଇପାରିବେ। ଗରିବ ଲୋକମାନେ ସ୍ବାସ୍ଥ୍ୟସେବା ପାଇଁ ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ ଜିଲ୍ଲାର ବେଲଘରଠାରେ ୧କୋଟି ଟଙ୍କା ବ୍ୟୟ ଅଟକଳରେ ଚାରିଟି ଇକୋ କଟେଜ ନିର୍ମାଣ ହେବ। ଆଦିବାସୀ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ମୋଟ ୧୫ କୋଟି ଟଙ୍କା ବ୍ୟୟ ଅଟକଳରେ କନ୍ଧମାଳ ଜିଲ୍ଲାରେ ୧୦୦ ଶଯ୍ୟାବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ ସାଙ୍ଗକୁ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଦେଢ କୋଟି ଟଙ୍କା ବ୍ୟୟ ଅଟକଳରେ ଶ୍ରେଣୀଗୃହ ଓ ଲାବୋରେଟୋରିନିର୍ମାଣ ହେବ। ସେହିଭଳି କନ୍ଧମାଳ ଜିଲ୍ଲାରେ ସ୍ବାସ୍ଥ୍ୟ କ୍ଷେତ୍ରରେ ୮.୨୮ କୋଟି ଟଙ୍କା ଖର୍ଚ୍ଚ ହେବ। ଫୁଲବାଣୀ ସହରରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ସାଙ୍ଗକୁ ବ୍ରାହ୍ମଣପାଦରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ହେବ। ଆଜି ମୁଖ୍ୟମନ୍ତ୍ରୀ ଏସବୁ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କନ୍ଧମାଳ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ୬୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଜିଲ୍ଲାରେ ୨୦୦ କୋଟି ଟଙ୍କା ମୂଲ୍ୟର କେତେକ ପ୍ରକଳ୍ପର ଲୋକାର୍ପଣ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, କନ୍ଧମାଳ ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପ୍ରମୁଖ ଯୋଗଦେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସ୍ମାର୍ଟ ହେଲ୍ଥ କାର୍ଡ କନ୍ଧମାଳବାସୀଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହେବ ବୋଲି କହିଥିଲେ।
Follow Us