ଭୁଲ୍‌ ଔଷଧରୁ ନାବାଳକ ମୃତ

ବାସୁଦେବପୁର/ବିଦେଇପୁର : ଗାଁ ଡାକ୍ତର(କ୍ବାକ୍‌)ଙ୍କ ଭୁଲ ଔଷଧ ଯୋଗୁ ଭଦ୍ରକ ଜିଲ୍ଲା ବାସୁଦେବପୁର ବିଦେଇପୁର କେରସାହିର ସତ୍ୟବ୍ରତ ନାୟକଙ୍କ ପୁଅ ପ୍ରମୋଦ(୧୨)ଙ୍କର ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ ଉଠାଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ କ୍ବାକ୍‌ ଭୟରେ ଫେରାର ହୋଇଯାଇଛି। ପ୍ରମୋଦର ମୃତ୍ୟୁକୁ ପରିବାର ସହଜରେ ଗ୍ରହଣ ନ କରି ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି।

ଘଟଣାରୁ ଜଣାଯାଇଛି, ଗତ ଶୁକ୍ରବାର ପ୍ରମୋଦକୁ ଥଣ୍ତା ଜ୍ବର ହୋଇଥିଲା। ପରିବାର ଲୋ‌େକ ସ୍ଥାନୀୟ ବିଦେଇପୁର ବଜାରରେ ଥିବା ଏକ ଔଷଧ ଦୋକାନରୁ ଔଷଧ ଆଣି ପ୍ରମୋଦକୁ ଖୁଆଇଥିଲେ। ପରେ କୌଣସି ପରିବର୍ତ୍ତନ ନ ହେବାରୁ ଶନିବାର ଦିନ ବଜାରରେ କ୍ଲିନିକ କରିଥିବା କ୍ବାକ୍‌ ସୁୁକାନ୍ତ କୁମାର ସେନାପତିଙ୍କ ନିକଟରେ ଦେଖାଇଥିଲେ। ସୁକାନ୍ତର ଲେଖା ମୂଳେ ଏକ ଔଷଧ ଦୋକାନରୁ ଔଷଧ ଆଣି ପ୍ରମୋଦକୁ ଦେଇଥିଲେ। ମାତ୍ର ଗତକାଲି ବଟିକା ଖାଇବା ପରେ ପ୍ରମୋଦର ଜ୍ବର କମି ନ ଥିଲା। ଆଜି ସକାଳେ ଅଧିକ ଅସୁସ୍ଥ ହୋଇଯିବା ସହ ବାନ୍ତି କରି
ଚେତା ହରାଇ ବସିଥିଲା। ପରିବାର ପକ୍ଷରୁ ତାକୁ ବାସୁଦେବପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

publive-image

ପରିବାର ଲୋକ ପ୍ରମୋଦକୁ ଘରକୁ ନେଇ ଆସିଥିଲେ। ଘରେ ସାଇପଡୋଶୀ ଦେଖିବା ପରେ ପ୍ରମୋଦ ବଞ୍ଚିଛି ଭାବି ପୁଣି ବାସୁଦେବପୁର ଡାକ୍ତରଖାନାକୁ ନେଇ ଆସିଥିଲେ। ହେଲେ ସେଠାରେ ଡାକ୍ତର ପ୍ରମୋଦକୁ ଦେଖି ସମପରି ମୃତ ବୋଲି କହିିଥିଲେ। ପ୍ରମୋଦ ପରିବାରର ଆର୍ଥିକ ପରିସ୍ଥିତି ପାଇଁ ମୃତଦେହକୁ ବ୍ୟବଚ୍ଛେଦ କରାଇବା ପରିବର୍ତ୍ତେ ଘରକୁ ନେଇ ଆସିଥିଲେ। କ୍ବାକ୍‌ ସୁକାନ୍ତର ଭୁଲ ଔଷଧ ଯୋଗୁ ତାଙ୍କ ପୁଅର ଜୀବନ ଗଲା ବୋଲି ପ୍ରମୋଦର ବାପା ସତ୍ୟବ୍ରତ ଗଣମାଧ୍ୟମ ଆଗରେ ଅଭିଯୋଗ ଉଠାଇଛନ୍ତି। ଏନେଇ ଥାନାରେ ମାମଲା ହୋଇ ନ ଥିବା ବେଳେ ସମ୍ପୃକ୍ତ କ୍ବାକ୍‌ ଭୟରେ କ୍ଲିନିକ ବନ୍ଦ କରି ଫେରାର ହୋଇଯାଇଛନ୍ତି। ‌ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe