କଲ୍ୟାଣସିଂହପୁରରେ ମୁଣ୍ଡ ନେଲା ବିଷାକ୍ତ ମଦ, ଆଖି ବୁଜିଲେ ଢ଼େପାଗୁଡାର ଦାନଫୁଲ

ଅବକାରୀ ଓ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ତଦନ୍ତ ଆରମ୍ଭ

କଲ୍ୟାଣସିଂହପୁରରେ ମୁଣ୍ଡ ନେଲା ବିଷାକ୍ତ ମଦ, ଆଖି ବୁଜିଲେ ଢ଼େପାଗୁଡାର ଦାନଫୁଲ

କଲ୍ୟାଣସିଂହପୁର/ରାୟଗଡ଼ା: ବିଷାକ୍ତ ମହୁଲି ମଦ ନେଲା ମୁଣ୍ଡ। ଗୁରୁତର ଅବସ୍ଥାରେ ଆଖି ବୁଜିଲେ ଢ଼େପାଗୁଡା ଗ୍ରାମର ଦାନଫୁଲ ହୁଇକା (୬୭)। ସଂକଟାପନ୍ନ ଅବସ୍ଥାରେ ଥିବା ବଳରାମ ୱାନ୍ଦାଲାକର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ବେଳେ ସିରିପୁର ଗ୍ରାମର ୫ ଜଣ ସୁସ୍ଥ ହୋଇ ମେଡ଼ିକାଲରୁ ଘରକୁ ଫେରିଛନ୍ତି। ଘଟଣାର ଯୁଗ୍ମ ତଦନ୍ତ ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଅବକାରୀ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଛନ୍ତି। ଉଭୟ ବିଭାଗର ସ୍ବତନ୍ତ୍ର ଟିମ୍ କୁଲୁମୁହିଁ, ନାରାୟଣପୁର ପଂଚାୟତର ବିଭିନ୍ନ ଗ୍ରାମକୁ ଗସ୍ତ କରି ରିପୋର୍ଟ ସଂଗ୍ରହ କରିଛନ୍ତି। ଜିଲ୍ଲା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରା ମଦ ମୃତ୍ୟୁ ସଂପର୍କିତ ପ୍ରାଥମିକ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ ଶିକରପାଇ ଗାଁର ଲାଇସେନ୍ସପ୍ରାପ୍ତ ମଦଭାଟିର ଉମାଶଙ୍କର, କଲ୍ୟାଣସିଂପୁରର ପର୍ଶୁ କନ୍ଦପାଣି ଓ ମାର୍କଣ୍ଡ ବେନିଆଙ୍କୁ ପ୍ରମୁଖ ୩ ଜଣଙ୍କ ଅଟକ ରଖିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଅଛି।

୪ ଦିନ ପୂର୍ବରୁ କତାଗୁଡା ଗ୍ରାମରେ ବେଆଇନ ଭାବେ ବିକ୍ରି ଚାଲିଥିବା ମଦ ଭାଟିରୁ ନାରାୟଣପୁର, ଧାମୁଣିପଙ୍ଗା ପଂଚାୟତର ସିରିପୁର, କୁଲୁମୁହିଁ, କତାଗୁଡା, ଢେପାଗୁଡା, ହାତୀମୁଣ୍ଡା, ଦେବଗିରି, ନୂଆସାହି, ଦାନୁସାହି, ଇନ୍ତାଲିଗୁଡାର ୨୦ରୁ ଉର୍ଧ୍ବ ଲୋକ ମଦ ପିଇଥିଲେ। ମଦ ପିଇବା ପରଠାରୁ ମୁଣ୍ଡ ବିନ୍ଧିବା ସହ ପେଟ ବ୍ୟଥା, ବାନ୍ତି ଓ ଝାଡ଼ା ହେବା ଯୋଗୁ କିଛି ଲୋକ କଲ୍ୟାଣସିଂହପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ସିରିପୁର ଗ୍ରାମର ୫ ଜଣଙ୍କ ସମେତ ଅନ୍ୟ ଗ୍ରାମର ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ ଢେପାଗୁଡା ଗ୍ରାମର ଦାନାଫୁଲ ହୁଇକା ଅର୍ଥାଭାବ ଯୋଗୁଁ ଡାକ୍ତରଖାନା ଆସିପାରି ନ ଥିଲେ। ଗତକାଲି କୁଲୁମୁହିଁ ଗ୍ରାମର ବଳରାମ, ବିଶ୍ବନାଥ ବିଷାକ୍ତ ଦେଶୀ ମହୁଲି ମଦ ପିଇ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେବା ପରେ ପ୍ରଶାସନ ତତ୍ପର ହୋଇଥିଲା। ଅନ୍ୟପକ୍ଷରେ ଆଜି ସକାଳେ ଢ଼େପାଗୁଡା ଗ୍ରାମର ଦାନଫୁଲଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପ୍ରଶାସନ ଘଟଣାକୁ ଗୁରୁତ୍ବର ସହ ନେଇ ଯୁଗ୍ମ ତଦନ୍ତ ଆରମ୍ଭ କରିଛି। ସ୍ବାସ୍ଥ୍ୟ ବିଭାଗ ଏଡିଏମ୍‌ଓ ମମତା ଚୌଧୁରୀ, ଡିଏଲ୍‌ଓ ମମତା ସାହୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସାଇ ପ୍ରସାଦ ପରିଡ଼ାଙ୍କ ସହ ମୃତ ଦାନଫୁଲ ଘରକୁ ଯାଇ ରିପୋର୍ଟ ସଂଗ୍ରହ କରିଛନ୍ତି। ସେହିପରି ଅବକାରୀ ଇନସପେକ୍ଟର୍ ଦିଲ୍ଲୀପ ଗୌଡ଼ଙ୍କ ନେତୃତ୍ବରେ କଲ୍ୟାଣସିଂହପୁର ଅବକାରୀ ଏସ୍‌ଆଇ ଭ‌ୈରବ ଗନ୍ତାୟତ, କଲ୍ୟାଣସିଂହପୁର ପୁଲିସ ଅଧିକାରୀ ବିଭିନ୍ନ ଗ୍ରାମକୁ ଯାଇ ମିଳିତ ତଦନ୍ତ କରିଛନ୍ତି। ଅବକାରୀ ଟିମ୍ କତାଗୁଡା ଗ୍ରାମର ହରିଜନ ସାହିରେ ମଦ ଖୋଜାଖୋଜି କରିବା ପରେ ବିଲରେ ଲୁଚାଇ ରଖା ଯାଇଥିବା ପୋଚକୁ ଜବତ କରାଯାଇଛି। ତେବେ ବେଆଇନ ଭାବେ ବିଷାକ୍ତ ମହୁଲି ବିକ୍ରି କରିଥିବା କୁଲୁମୁହିଁ ଗ୍ରାମର ମଦ ବେପାରୀ ଫେରାର୍ ହୋଇଯାଇଥିବାରୁ ତାଙ୍କୁ ଗିରଫ କରିପାରିନି। ମଦ୍ୟପାନ କାରଣରୁ ଦାନଫୁଲଙ୍କ ମୃତ୍ୟୁ ହୋଇଥିବା ନେଇ ମେଡିକାଲ୍ କିମ୍ବା ଥାନାରେ କୌଣସି ଅଭିଯୋଗ ନଥିବା ଅବକାରୀ ବିଭାଗ ଜିଲ୍ଲାପାଳଙ୍କୁ ଦେଇଥିବା ପ୍ରାଥମିକ ରିପୋର୍ଟରେ ଉଲ୍ଲେଖ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe