Business North Carolina
ଭୁବନେଶ୍ୱର : ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଦିଆଯାଉଥିବା ରାଜ୍ୟ ସରକାର ଦାବି କରୁଛନ୍ତି। ଜିଲ୍ଲାସ୍ତରରେ ରୋଗୀଙ୍କୁ ଉନ୍ନତ ମାନର ସେବା ଯୋଗାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଭାରତୀୟ ଜନସ୍ବାସ୍ଥ୍ୟ ମାନଦଣ୍ଡ ବା ଆଇପିଏଚ୍ଏସ୍ ଅନୁସାରେ ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ଆଇପିଏଚ୍ଏସ୍ ଅନୁଯାୟୀ ଆବଶ୍ୟକ ଷ୍ଟାଫ୍ ନର୍ସ ଥିବା କେବଳ ଗୋଟିଏ ଡାକ୍ତରଖାନା ରହିଛି। ଏହାସହ ଡାକ୍ତରଖାନାରେ ଆବଶ୍ୟକ ଶଯ୍ୟା ଓ ଡାକ୍ତରଙ୍କ ଅନୁପାତ ଥିବା ୮ଟି ହସ୍ପିଟାଲ ରହିଛନ୍ତି। ନୀତି ଆୟୋଗର ରିପୋର୍ଟରୁ ରାଜ୍ୟରେ ସ୍ବାସ୍ଥ୍ୟସେବାର ଏଭଳି ଦୟନୀୟ ଚିତ୍ର ସାମ୍ନାକୁ ଆସିଛି।
ଜିଲ୍ଲାସ୍ତରରେ ସ୍ବାସ୍ଥ୍ୟସେବାର କିଭଳି ସ୍ଥିତି ରହିଛି ତାହା ସଂପର୍କରେ ନୀତି ଆୟୋଗର ରିପୋର୍ଟ ପ୍ରକାଶ ପାଇଛି। ଆଇପିଏଚ୍ଏସ୍ ନିୟମ ଅନୁସାରେ ରାଜ୍ୟର ୩୨ଟି ଜିଲ୍ଲା ହସ୍ପିଟାଲ ମଧ୍ୟରୁ ମାତ୍ର ୧୯ଟି ଆବଶ୍ୟକ ପାରମେଡିକ ରହିଛନ୍ତି। ୧୦୦ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ଡାକ୍ତର-ଷ୍ଟାଫ ନର୍ସ-ପାରାମେଡିକ ଅନୁପାତ ଯଥାକ୍ରମେ ୨୯-୪୫-୩୧ ଥିବା ବେଳେ ୨ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ଏହା ୩୪-୯୦-୪୨ ରଖାଯାଇଛି। ସେହିପରି ୩ଶହରୁ ଅଧିକ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ଏହା ୫୦-୧୩୫-୬୬ ରହିଛି। ତେବେ ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲା ହସ୍ପିଟାଲରେ ନିୟୋଜିତ ହୋଇଥିବା ଡାକ୍ତରଙ୍କ ଅନୁପାତରେ ଦେଶରେ ପ୍ରମୁଖ ସ୍ଥାନରେ ରହିଛନ୍ତି। ଆବଶ୍ୟକ ଡାକ୍ତରଙ୍କ ଅନୁପାତ ଅନୁଯାୟୀ ବଲାଙ୍ଗୀର ହସ୍ପିଟାଲରେ ୨.୨୬ ଗୁଣ ଓ ମୟୂରଭଞ୍ଜରେ ୨.୧୪ ଅଧିକ ରହିଥିବା ଜଣାପଡ଼ିଛି। ମାତ୍ର ଯଦି ରାଜ୍ୟରେ ହସ୍ପିଟାଲ ଗୁଡ଼ିକରେ ଡାକ୍ତରଙ୍କ ଅନୁପାତକୁ ବିଚାରକୁ ନିଆଯାଏ ତାହାଲେ ଏହା ୦.୯୪ ରହିଛି। ଦେଶର ବଡ଼ ରାଜ୍ୟମାନଙ୍କ ଭିତରେ ଓଡ଼ିଶା ୮ନମ୍ବର ସ୍ଥାନରେ ରହିଛି। ଏହାସହ ଷ୍ଟାଫ୍ ନର୍ସଙ୍କ ଅନୁପାତ ୦.୫ ଥିବା ବେଳେ ଦେଶରେ ଓଡ଼ିଶା ୧୬ନମ୍ବର ସ୍ଥାନରେ ରହିଛି। ବିହାର, ଆସାମ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଓଡ଼ିଶାଠାରୁ ବେଶ୍ ଭଲ ରହିଛି।
ପାରାମେଡିକ ଅନୁପାତରେ ମଧ୍ୟ ଓଡ଼ିଶା ଦେଶରେ ବହୁତ ପଛରେ ରହିଛି। ଜାତୀୟ ସ୍ତରରେ ଏହି ଅନୁପାତ ୧.୫୪ ପ୍ରତିଶତ ଥିବା ବେଳେ ରାଜ୍ୟରେ ଏହା ୧.୩୮ ରହିଛି। ହସ୍ପିଟାଲ ଗୁଡ଼ିକରେ ଯେଉଁ ୧୪ଟି ପ୍ରମୁଖ ବିଶେଷଜ୍ଞ ସେବାକୁ ବିଚାରକୁ ନିଆଯାଇଛି, ଏଥିରେ ରାଜ୍ୟର ୫ଟି ହସ୍ପିଟାଲ ଏହାକୁ କାର୍ଯ୍ୟକାରୀ କରିବାରେ ସକ୍ଷମ ହୋଇପାରିଛନ୍ତି। ରାଜ୍ୟର ଅଧିକାଂଶ ଡାକ୍ତରଖାନାରେ ତହିଁରୁ ୧୧ଟି ବିଶେଷଜ୍ଞ ସେବା ଜେନେରାଲ ମେଡିସିନ୍, ସର୍ଜରି, ଗାଏନେକୋଲୋଜି, ପେଡିଆଟ୍ରିକ୍ସ, କ୍ରିଟିକାଲ କେୟାର, ଇଏନ୍ଟି, ଆନାସ୍ଥେସିଆ, ଅର୍ଥୋପେଡିକ୍ସ, ଅପ୍ଥାମୋଲୋଜି, ଡେଣ୍ଟାଲ କେୟାର ଓ ରେଡିଓଲୋଜି ସେବା ଉପଲବ୍ଧ ହେଉଛି। ତେବେ ଏସବୁ ସେବା ଯୋଗାଇବାରେ ବଲାଙ୍ଗୀର ରାଜ୍ୟର ପ୍ରମୁଖ ହସ୍ପିଟାଲ ଭାବେ ଉଭା ହୋଇଛି। ସେହିପରି ରାଜ୍ୟର କୌଣସି ହସ୍ପିଟାଲରେ ପ୍ରସ୍ତାବିତ ୧୪ଟି ଡାଏଗ୍ନୋଷ୍ଟିକ୍ ଟେଷ୍ଟିଂ ସୁବିଧା ନାହିଁ। ଡାକ୍ତରଖାନାରେ କେତେ ରୋଗୀ ଆଡମିଟ୍ ହେଉଛନ୍ତି ଏ ମାନଦଣ୍ଡରେ ମଧ୍ୟ ଓଡ଼ିଶା ଦେଶରେ ୮ନମ୍ବର ସ୍ଥାନରେ ରହିଛି। ଏଥିରେ ରାଜ୍ୟର ହାର ହେଉଛି ୬୫.୬୮ ପ୍ରତିଶତ। ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରୁ ୧୫ଟି ହସ୍ପିଟାଲରେ ଆଡମିଟ ହେଉଥିବା ରୋଗୀଙ୍କ ହାର ପ୍ରାୟ ୯୦ ପ୍ରତିଶତ ଥିବା ବେଳେ ଗଜପତି ଓ ଦେବଗଡ଼ ଜିଲ୍ଲା ହସ୍ପିଟାଲରେ ଶତ ପ୍ରତିଶତ ରହିଛି।
Follow Us