ବିଧାୟକଙ୍କ ସ୍ବାସ୍ଥ୍ୟବୀମା ବଢ଼ିଲା; ବର୍ଷକୁ ଥିଲା ୫ଲକ୍ଷ, ହେଲା ୧୦ଲକ୍ଷ

ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ସମେତ ସେମାନଙ୍କ ପତି/ପତ୍ନୀ ଉପକୃତ ହେବେ

ବିଧାୟକଙ୍କ ସ୍ବାସ୍ଥ୍ୟବୀମା ବଢ଼ିଲା; ବର୍ଷକୁ ଥିଲା ୫ଲକ୍ଷ, ହେଲା ୧୦ଲକ୍ଷ

ଭୁବନେଶ୍ବର : ଏଣିକି ପ୍ରତି ବିଧାୟକ/ବିଧାୟିକା, ପୂର୍ବତନ ବିଧାୟକ/ବିଧାୟିକା ଏବଂ ସେମାନଙ୍କର ପତ୍ନୀ/ପତିଙ୍କୁ ବାର୍ଷିକ ୧୦ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ମିଳିବ। ଏସଂକ୍ରାନ୍ତୀୟ ପ୍ରସ୍ତାବକୁ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନୁମୋଦନ କରିଛନ୍ତି। ଏହାଦ୍ବାରା ଓଡ଼ିଶା ବିଧାନସଭାର ସଦସ୍ୟସଦସ୍ୟାମାନଙ୍କ ମଧ୍ୟରେ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ବାଦ୍‌ ଦେଇ ୧୨୪ଜଣ ବିଧାୟକ/ବିଧାୟିକା ଏବଂ ତାଙ୍କର ୮୮ଜଣ ପତି/ପତ୍ନୀ, ଏହିପରି ମୋଟ୍‌ ୨୧୨ଜଣଙ୍କୁ ଏହି ବର୍ଦ୍ଧିତ ସ୍ବାସ୍ଥ୍ୟ ବୀମାର ସୁବିଧା ମିଳିବ। ଏଥିସହ ଓଡ଼ିଶା ବିଧାନସଭାର ୩୧୭ଜଣ ପୂର୍ବତନ ବିଧାୟକ/ବିଧାୟିକା ଏବଂ ସେମାନଙ୍କର ୨୪୫ଜଣ ପତି/ପତ୍ନୀ, ଏହିପରି ମୋଟ୍‌ ୫୬୨ଜଣ ଏହି ବର୍ଦ୍ଧିତ ସ୍ବାସ୍ଥ୍ୟ ବୀମାର ସୁବିଧା ପାଇବେ।

ସୂଚନାଯୋଗ୍ୟ ଯେ, ବିଧାନସଭାର ସଦସ୍ୟ/ସଦସ୍ୟା ଏବଂ ପୂର୍ବତନ ସଦସ୍ୟ/ସଦସ୍ୟାମାନଙ୍କ ନିମନ୍ତେ ସରକାରଙ୍କ ତରଫରୁ ୨୦୧୨-୧୩ ଆର୍ଥିକ ବର୍ଷରୁ ରାଷ୍ଟ୍ରୀୟ ବୀମା କମ୍ପାନି ମା‌ଧ୍ୟମ‌େର ସ୍ବାସ୍ଥ୍ୟବୀମାର ସୁବିଧା ଯୋଗାଇ ଦିଆଯାଉଛି। ଚଳିତ ଆର୍ଥିକ ବର୍ଷ ପାଇଁ ମଧ୍ୟ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ସୁବିଧା ଦିଆଯାଉଥିଲା। ହେଲେ ସ୍ବାସ୍ଥ୍ୟ ସେବାର ବ୍ୟୟବୃଦ୍ଧି ଦୃଷ୍ଟିରୁ ବିଧାୟକ ଏବଂ ପୂର୍ବତନ ବିଧାୟକମାନେ ଏହି ସ୍ବାସ୍ଥ୍ୟ ବୀମା ରାଶିର ପରିମାଣ ବୃଦ୍ଧି ନିମନ୍ତେ ବାରମ୍ବାର ଦାବି କରି ଆସୁଥିଲେ। ତଦନୁଯାୟୀ ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ସ୍ବାସ୍ଥ୍ୟ ବୀମା ରାଶିକୁ ୫ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ନିମନ୍ତେ ରାଜ୍ୟ ସରକାରଙ୍କ ବିଚାର ନିମନ୍ତେ ଉପସ୍ଥାପନ କରାଯାଇଥିଲା। ଉକ୍ତ ପ୍ରସ୍ତାବକୁ ବିଚାର କରି ଅର୍ଥ ବିଭାଗ ଏହି ବୃଦ୍ଧି ପ୍ରସ୍ତାବ ଉପରେ ସହମତି ପ୍ରଦାନ କରିଥିଲେ। ଏହାପରେ ଅର୍ଥ ବିଭାଗର ଉକ୍ତ ସହମତି କ୍ରମେ ପ୍ରତ୍ୟେକଙ୍କୁ ଏକ ବର୍ଷ ଅବଧି ପାଇଁ ୧୦ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ନବୀକରଣ ପ୍ରସ୍ତାବକୁ ବାଚସ୍ପତି ଅନୁମୋଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe