ସ୍ୱାସ୍ଥ୍ୟ ସଚିବଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: ନିୟୋଜିତ ହେବେ ୨୪୦ ବିଶେଷଜ୍ଞ ଡାକ୍ତର

ସ୍ୱାସ୍ଥ୍ୟ ସଚିବଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: ନିୟୋଜିତ ହେବେ ୨୪୦ ବିଶେଷଜ୍ଞ ଡାକ୍ତର

ପୁରୀ/ଭୁବନେଶ୍ବର : ରଥଯାତ୍ରା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆଜି ପୁରୀରେ ଚଳିତବର୍ଷ ରଥଯାତ୍ରା ନିମନ୍ତେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ନବଯୌବନ ଦର୍ଶନଠାରୁ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ସରିବା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ଯୋଗାଣ ନିଶ୍ଚିତ କରାଇବା ପାଇଁ ଆଗୁଆ ପୂର୍ଣ୍ଣ ପ୍ରସ୍ତୁତି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ(ସିଡିଏମ୍‌ଓ)ଙ୍କୁ ନିର୍ଦେଶ ଦିଆଯାଇଛି।

ଚଳିତବର୍ଷ ପାଇଁ ପୁରୀ ଜିଲ୍ଲା ଚିକିତ୍ସାଳୟ ଓ ଏହାର ପାଖାପାଖି ଡାକ୍ତରଖାନାମାନଙ୍କରେ ଅଧିକ ୧୩୨ଟି ଜରୁରୀକାଳୀନ ଶଯ୍ୟା ଏବଂ ୮୨ ଟି ହିଟ୍ ଷ୍ଟ୍ରୋକ୍ ଚିକିତ୍ସା ଶଯ୍ୟା ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ହୋଇଛି। କାଜୁଆଲିଟି ଓ ଜରୁରୀକାଳୀନ ମେଡିକାଲ ୟୁନିଟ୍ ସବୁକୁ ପୂର୍ଣ୍ଣ ପ୍ରସ୍ତୁତିରେ ରଖାଯିବ। ବଡ଼ଦାଣ୍ଡସ୍ଥିତ ଗାଣ୍ଡୁଆଚଉରା ଛକ, ସିଂହଦ୍ୱାର, ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ଜନତା ସିନେମା ହଲ, ଜଗନ୍ନାଥ ବଲ୍ଲଭ ପାର୍କିଂ, ବଗଳା ଧର୍ମଶାଳା, ବଡ଼ଶଙ୍ଖ, ଗଜପତି ନଗର ଛକ, ସଂଗ୍ରାମ କ୍ଲବ୍, ପଲ୍ଲିଶ୍ରୀ ମେଳା ସ୍ଥାନ, ଗୁଣ୍ଡିଚା ମନ୍ଦିର ନିକଟରେ ଫାଷ୍ଟ୍ ଏଡ୍ ସେଣ୍ଟର୍ ସ୍ଥାପନ ହେବ। ସେହିପରି ସମୁଦ୍ରକୂଳସ୍ଥିତ ଦିଗବାରେଣୀ ଖୁଣ୍ଟ, ସ୍ୱର୍ଗଦ୍ୱାର, ବତୀଘର, ତାଳବଣିଆ ବସ୍‌ଷ୍ଟାଣ୍ଡ୍ ଓ ରେଳବାଇ ଷ୍ଟେସନ୍ ଠାରେ ଫାଷ୍ଟ୍ଏଡ୍ କେନ୍ଦ୍ର ରହିବ। ପୁରୀ-ଭୁବନେଶ୍ୱର ରାସ୍ତାର ଗୁଡ଼ିଆ ପୋଖରୀ, ପିପିଲି ଓଭରବ୍ରିଜ୍, ଦାଣ୍ଡମୁକୁନ୍ଦପୁର, ପଟ୍ଟନାଇକିଆ, ମାଳତୀପାଟପୁର ବସ୍ ଷ୍ଟାଣ୍ଡ ଏବଂ ଅଠରନଳା ପୁରୀ-କୋଣାର୍କ ରାସ୍ତାର ଗୋପାଳପୁର ଛକ ଓ ବାଲିଘାଇ ଛକ, ରାମଚଣ୍ଡୀ ମନ୍ଦିର, ପୁରୀ-ସାତପଡା ରାସ୍ତାର ମଙ୍ଗଳା ଘାଟ ଛକ ଓ ଗିରଳ ଛକ ଠାରେ ମଧ୍ୟ ଫାଷ୍ଟ୍ଏଡ୍ କେନ୍ଦ୍ର ସ୍ଥାପନ କରାଯିବ। ଏହାଛଡ଼ା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ୩୦ଟି ଆମ୍ବୁଲାନ୍ସ ରହିବ। ଖାଦ୍ୟ ସୁରକ୍ଷା ଯାଞ୍ଚ ପାଇଁ ୨ଟି ଦଳ ନିୟୋଜିତ ହେବା ସହିତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଇତିମଧ୍ୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨୫ଟି ଅମ୍ଳଜାନ ସଂଯୁକ୍ତ ଶଯ୍ୟା, ଅସ୍ତ୍ରୋପଚାର ଗୃହ ଓ ଆଇସିୟୁକୁ ସଂପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି। ରଥଯାତ୍ରା ସମୟରେ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ଏଡ଼ାଇବା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଖାଦ୍ୟ ସୁରକ୍ଷା ଓ ପିଇବା ପାଣି ବ୍ୟବସ୍ଥା ଯାଞ୍ଚକୁ କଡ଼ାକଡ଼ି କରାଯାଇଛି।

ରାଜ୍ୟସ୍ତରରୁ ଅଧିକ ୨୪୦ ଜଣ ବିଶେଷଜ୍ଞ ଡାକ୍ତର, ନର୍ସ, ଫାର୍ମାସିଷ୍ଟ୍ ଓ ଅନ୍ୟାନ୍ୟ ପାରାମେଡିକ୍ ଷ୍ଟାଫ୍ ପୁରୀକୁ ପଠାଯିବ। ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଆବଶ୍ୟକୀୟ ପରିମାଣର ଔଷଧ ମହଜୁଦ ରଖିବା ସହ ସମସ୍ତ ଯନ୍ତ୍ରପାତି ଓ ଚିକିତ୍ସା ଉପକରଣର କାର୍ଯ୍ୟକାରିତା ପୁନର୍ବାର ତନଖି କରିବାକୁ ନିର୍ଦେଶ ଦିଆଯାଇଛି। ଏହି ଗସ୍ତକାଳରେ ଶ୍ରୀମତୀ ପଣ୍ଡିତ ଶ୍ରୀ ଜଗନ୍ନାଥ ମେଡିକାଲ୍ ଓ ହସ୍ପିଟାଲ ପରିଦର୍ଶନ କରି ରୋଗୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ଓ ଔଷଧ ଆଦି ଠିକ୍ ଭାବେ ମିଳୁଛି କି ନାହିଁ ପଚାରି ବୁଝିଥିଲେ। ବୈଠକରେ ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦେଶିକା ଡା. ପୋମା ଟୁଡୁ, ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର, ପୁରୀ ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ଡିନ୍ ଡା.ମାୟା ପାଢ଼ୀଙ୍କ ସମେତ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe