ଅବ୍ୟବସ୍ଥା ଘେରରେ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୁକ୍ତା ସରକାରୀ ଡାକ୍ତରଖାନା, ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁ ନଥିବାରୁ ବଢୁଛି ଅସନ୍ତୋଷ

Advertisment
ଅବ୍ୟବସ୍ଥା ଘେରରେ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୁକ୍ତା ସରକାରୀ ଡାକ୍ତରଖାନା, ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁ ନଥିବାରୁ ବଢୁଛି ଅସନ୍ତୋଷ

YouTube

ଅମ୍ବାଭୋନା : ସ୍ବାଧୀନତାର ୭୨ ବର୍ଷ ବିତି ଯାଇଥିଲେ ହେଁ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ସବୁ ସ୍ତରରେ ଆଜି ବି ପଛୁଆ ଭାବେ ପଡ଼ିରହିଛି। ବିଶେଷ କରି ସ୍ବାସ୍ଥ୍ୟ ସେବା କଥା ନ କହିବା ଭଲ। ଭୁକ୍ତା ସ୍ଥିତ ପିଏଚ୍‌ସିକୁ ବହୁ ବର୍ଷ ହେଲା ସିଏଚ୍‌ସି ମାନ୍ୟତା ଦିଆଯାଇଥିଲେ ହେଁ ତାହା କେବଳ କାଗଜ କଲମରେ ସୀମିତ ହୋଇ ରହିଛି। ଆବଶ୍ୟକ ଡାକ୍ତର ଅଭାବ ଓ ଜରୁରୀ ପରିସ୍ଥିତିରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ମିଳୁ ନଥିବାରୁ ରୋଗୀ ଓ ସେମାନଙ୍କ ପରିଜନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ଅଭିଯୋଗ ଅନୁସାରେ ନିରାମୟ ଯୋଜନାରେ ରାଜ୍ୟର ସବୁ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣା ଔଷଧ ଦିଆଯାଉଥିବା ବେଳେ ଏଠାରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସେହିପରି ଅଧିକାଂଶ ସମୟରେ ଡାକ୍ତରଖାନାର ଇନ୍‌ଡୋରରେ ତାଲା ପଡୁଥିବା ବେଳେ ଡାକ୍ତର ଅଭାବ ଓ କାର୍ଯ୍ୟରତ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ରୋଗୀଙ୍କୁ ଫାର୍ମାସିଷ୍ଟଙ୍କ ଉପରେ ହିଁ ଭରସା କରିବାକୁ ପଡୁଛି। ଯଦ୍ବାରା ଉପଯୁକ୍ତ ଚିକିତ୍ସା ନ ପାଇ ସେମାନଙ୍କୁ ଘରୋଇ ଡାକ୍ତରଖାନା ଓ କ୍ବାକ୍‌ଙ୍କ ଦ୍ବାରସ୍ଥ ହୋଇ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ସରକାରୀ ନିୟମାନୁସାରେ ଏଠାରେ ଅତି କମ୍‌ରେ ୭ ଜଣ ଡାକ୍ତର ରହିବା କଥା। କିନ୍ତୁ ୩ ଜଣ ଡାକ୍ତର ଥିବାରୁ ରୋଗୀଙ୍କୁ ଠିକ୍‌ ଭାବେ ସ୍ବାସ୍ଥ୍ୟ ସେବା ମିଳିପାରୁ ନାହିଁ। ଅମ୍ବାଭୋନା ଦେଇ ବରଗଡ଼ରୁ ଛତିଶଗଡ଼କୁ ମୁଖ୍ୟ ରାସ୍ତା ଯାଇଥିବା ବେଳେ ଅଧିକାଂଶ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟିଥାଏ। ତେବେ ଦୁର୍ଘଟଣାଗ୍ରସ୍ତଙ୍କୁ ଭୁକ୍ତା ଡାକ୍ତରଖାନା ନିଆଗଲେ ଉପରୋକ୍ତ କାରଣରୁ ସେମାନଙ୍କୁ ବରଗଡ଼ କିମ୍ବା ବୁର୍ଲାକୁ ନେବାକୁ ପଡ଼ିଥାଏ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ବାବଦରେ ରୋଗୀ କଲ୍ୟାଣ ସମିତି ଜରିଆରେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି।‌

ସେହିପରି ରୋଗୀଙ୍କ ପାଇଁ ଡାକ୍ତରଖାନାରେ ପାଇଖାନା ଥିଲେ ହେଁ ତାହା ନିୟମିତ ସଫା କରାଯାଉ ନଥିବାରୁ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ଯଦ୍ବାରା ରୋଗୀ ଓ ସେମାନଙ୍କ ପରିଜନ ବହାରକୁ ଶୌଚ ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି। ପାନୀୟ ଜଳର ଉପଯୁକ୍ତ ସୁବିଧା ନଥିବାରୁ ବାହାରୁ ବୋତଲ କିମ୍ବା ପାଉଚ୍‌ ପାଣି କିଣି ପିଇବାକୁ ବାଧ୍ୟ ହେଉଛନ୍ତି ରୋଗୀ। ଅନ୍ୟପଟେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଡାକ୍ତରଖାନାରେ ଅଂଶୁଘାତ କେନ୍ଦ୍ର ଖୋଲା ଯାଇଥିଲେ ହେଁ ଆଶୁ ଚିକିତ୍ସକ ନ ଥିବାରୁ ତାହା କାମରେ ଲାଗିପାରୁ ନାହିଁ। ରୋଗୀ ପରିଜନଙ୍କ ପାଇଁ ବିଶ୍ରାମ ଗୃହ ନଥିବାରୁ ସେମାନଙ୍କୁ ବାଧ୍ୟ ହୋଇ କୌଣସି ଗଛ ମୂଳେ ଦିନ ଓ ରାତି କାଟିବାକୁ ପଡୁଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ନ ହେବାରୁ ମତାମତ ନିଆଯାଇ ପାରିନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଅଂଚଳବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe