ଭଦ୍ରକ: ଗତ ନଭେମ୍ବର ୨୮ ତାରିଖରେ ଭଦ୍ରକର ବହୁଦରଡ଼ା ଅଞ୍ଚଳର ଜଣେ ରୋଗୀ ମେଡ଼ିକାଲକୁ ଚିକିତ୍ସା ପାଇଁ ଆସି ଆଡ଼ମିସନ ହୋଇଥିଲେ। ମାତ୍ର ସଂପୃକ୍ତ ରୋଗୀଙ୍କୁ ସେଠାରେ ବେଡ ମିଳି ନଥିଲା। ଏହି କଥାକୁ ନେଇ ରୋଗୀଙ୍କର ଜଣେ ସମ୍ପର୍କୀୟ ଯୁବକ ରୋଗୀ ସେବା ଦାୟିତ୍ଵରେ ଥିବା ସ୍ବାସ୍ଥ୍ୟ କର୍ମୀଙ୍କୁ ଗାଳି ଗୁଲଜ କରିବା ସହ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ। ଏହି ଘଟଣାକୁ ନେଇ ଭିଡ଼ିଓ ରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେଇଥିଲେ। ଏହି ଭାଇରଳ ଭିଡ଼ିଓକୁ ନେଇ ସ୍ୱାସ୍ଥ୍ୟ କର୍ମୀମାନେ ଆଜି ସିଡିଏମଓଙ୍କ ନିକଟରେ ଅଭିଯୋଗ କରିବା ସହ ଭଦ୍ରକ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଘଟଣା ସମ୍ପର୍କରେ ଭଦ୍ରକ ଏସ୍ପିଙ୍କୁ ଅବଗତ କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ସ୍ୱାସ୍ଥ୍ୟ କର୍ମୀମାନେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଗରେ ଧାରଣା ଦେଇଥିଲେ। ଯୁବକଙ୍କୁ ଗିରଫ କରାନଗଲେ ଧାରଣା ଚାଲୁ ରହିବ ବୋଲି ସ୍ବାସ୍ଥ୍ୟ କର୍ମୀମାନେ ଚେତାବନୀ ଦେଇଥିଲେ। ପରେ ସଂପୃକ୍ତ ଯୁବକ ଜଣକ ସ୍ବାସ୍ଥ୍ୟ କର୍ମୀଙ୍କ ଧାରଣାସ୍ଥଳକୁ ଆସି ସ୍ବାସ୍ଥ୍ୟ କର୍ମୀଙ୍କୁ କ୍ଷମା ମାଗିଥିବା ବେଳେ ଏଭଳି ଆପତ୍ତିଜନକ ପୋଷ୍ଟ ଆଉ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବେ ନାହିଁ ବୋଲି କହିଥିଲେ। ଆପୋଷ ସମାଧାନ ପରେ ସ୍ବାସ୍ଥ୍ୟ କର୍ମୀମାନେ ଧାରଣା ପ୍ରତ୍ୟାହୃତ କରିଥିଲେ।
Follow Us