60 percent doctor vacant: ଆଗୁଆ ଜିଲ୍ଲାରେ ପଛୁଆ ସ୍ବାସ୍ଥ୍ୟସେବା: ଖାଲି ପଡ଼ିଛି ୬୦ ପ୍ରତିଶତ ଡାକ୍ତର ପଦ

ରାଜ୍ୟର ଏକ ଆଗୁଆ ଜିଲ୍ଲା ଯାଜପୁରରେ ପଛରେ ପଡ଼ିଯାଇଛି ସ୍ବାସ୍ଥ୍ୟସେବା। ଖଣି, କାରଖାନା ଓ ଲଘୁ ଖଣିଜରେ ଭରପୂର ଏହି ଜିଲ୍ଲାରେ ଖଣିଜ ପାଣ୍ଠିର ଅଭାବ ନାହିଁ। ଏହା ସତ୍ତ୍ବେ ସ୍ବାସ୍ଥ୍ୟସେବାରେ ଆଖିଦୃଶିଆ ଉନ୍ନତି ଆସିପାରିନାହିଁ।

hospital

ଯାଜପୁରସଦର: ରାଜ୍ୟର ଏକ ଆଗୁଆ ଜିଲ୍ଲା ଯାଜପୁରରେ ପଛରେ ପଡ଼ିଯାଇଛି ସ୍ବାସ୍ଥ୍ୟସେବା। ଖଣି, କାରଖାନା ଓ ଲଘୁ ଖଣିଜରେ ଭରପୂର ଏହି ଜିଲ୍ଲାରେ ଖଣିଜ ପାଣ୍ଠିର ଅଭାବ ନାହିଁ। ଏହା ସତ୍ତ୍ବେ ସ୍ବାସ୍ଥ୍ୟସେବାରେ ଆଖିଦୃଶିଆ ଉନ୍ନତି ଆସିପାରିନାହିଁ। ମେଡିକାଲ କଲେଜ ଓ ହସ୍‌ପିଟାଲ ଥାଇ ମଧ୍ୟ ଏଠାରୁ ପ୍ରତିଦିନ ରୋଗୀ କଟକ ନ ହେଲେ ଭୁବନେଶ୍ବର ରେଫର୍ ହେଉଛନ୍ତି। ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟ ବ୍ୟତୀତ ମୁଖ୍ୟ ଚିକିତ୍ସାଳୟ ଉପରେ ୩ଟି ଜିଲ୍ଲାର ଲୋକେ ନିର୍ଭର କରୁଛନ୍ତି। ମେଡିକାଲ କଲେଜ ଉଦ୍‌ଘାଟନର ୧୦ ମାସ ପରେ ବି ଇନ୍‌ଡୋର ଚିକିତ୍ସା ସେବା ମିଳିବାରେ ବିଳମ୍ବ ‌ସ୍ବାସ୍ଥ୍ୟସେବାରେ ପରିଚାଳନା ବିଭ୍ରାଟକୁ ପଦାରେ ପକାଇଛି। 

ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଥାଇ ମଧ୍ୟ ରୋଗୀ ଉପେକ୍ଷିତ
ଖାଲି ପଡ଼ିଛି ୬୦ ପ୍ରତିଶତ ଡାକ୍ତର ପଦ
ଏଯାଏଁ କାର୍ଯ୍ୟକ୍ଷମ ‌ହେଲାନି ଅନ୍ତର୍ବିଭାଗ

ଯାଜପୁର ଜିଲ୍ଲାରେ ୧୭୮୧ଟି ଗାଁ ରହିଛି। ସରକାରୀ ଭାବେ ଲୋକସଂଖ୍ୟା ୧୮ ଲକ୍ଷରୁ ଊର୍ଦ୍ଧ୍ବ ହୋଇଥିବାବେଳେ ବାସ୍ତବରେ ୨୦ ଲକ୍ଷ ଟପିଛି। ସ୍ବାସ୍ଥ୍ୟସେବା ପାଇଁ ୧୨ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୬୦ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଯଯାତିକେଶରୀ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରହିଛି। ଭିତ୍ତିଭୂମି ସୁଦୃଢ଼ ହେଉଥିଲେ ହେଁ ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀସେବା ଆଶାନୁରୂପ ହୋଇ ପାରୁନାହିଁ। ମୁଖ୍ୟ ଚିକିତ୍ସାଳୟରେ ୧୪୦ ଜଣ ଡାକ୍ତରଙ୍କ ସ୍ଥାନରେ ୫୭ ଜଣ ରହିଛନ୍ତି। ୮୩ଟି ପଦ ଫାଙ୍କା ପଡ଼ିଛି। ୧୨ଟି ସିଏଚ୍‌ସି ଓ ୬୦ଟି ପିଏଚ୍‌ସି (ନୂତନ)ରେ ମୋଟ ୩୧୮ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବାବେଳେ ଅଛନ୍ତି ୧୩୦ ଜଣ। ସେମାନଙ୍କ ମଧ୍ୟରେ ଆୟୁଷ (ଆୟୁର୍ବେଦିକ, ହୋମିଓପାଥି ଓ ୟୁନାନି) ଡାକ୍ତର ରହିଛନ୍ତି। ଜିଲ୍ଲାର ମୋଟ ୪୫୮ ଜଣ ଡାକ୍ତରଙ୍କ ମଧ୍ୟରୁ ୨୭୧ଟି ପଦବି ଅର୍ଥାତ ୬୦ ପ୍ରତିଶତ ଖାଲି ପଡ଼ିଛି। ମହାରାଜା ଯଯାତି କେଶରୀ ମେଡିକାଲ କଲେଜକୁ ଚଳିତବର୍ଷ ଫେବ୍ରୁଆରି ୮ ତାରିଖରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ୧୦ ମାସ ବିତିଥିଲେ ହେଁ କେବଳ ମାନସିକ, ଚର୍ମ ଓ ମେଡିସିନ୍ ବହିର୍ବିଭାଗ କାର୍ଯ୍ୟକ୍ଷମ ହୋଇପାରିଛି।

ଶିକ୍ଷାଦାନ ଓ ରୋଗୀସେବା ପାଇଁ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ଟ୍ୟୁଟର୍‌ଙ୍କୁ ମିଶାଇ ୧୨୦ରୁ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଆବଶ୍ୟକ ସ୍ବାସ୍ଥ୍ୟସେବା ମିଳୁ ନଥିବାରୁ ଅନେକ ସମୟରେ ଗୁରୁତର ରୋଗୀଙ୍କୁ କଟକ ଓ ଅନ୍ୟତ୍ର ରେଫର୍‌ କରାଯାଉଛି। ମେଡିକାଲ କ‌‌ଲେଜରେ ସ୍ବାସ୍ଥ୍ୟସେବା ଆରମ୍ଭ ହୋଇ ନଥିବାବେଳେ ନିଯୁକ୍ତ ଡାକ୍ତରମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଛନ୍ତି। ମେଡିକାଲ କଲେଜ ଏବଂ ହସ୍‌ପିଟାଲ୍‌ରେ ପର୍ଯ୍ୟାୟ କ୍ରମେ ଅନ୍ତର୍ବିଭାଗ (ଇନ୍‌ଡୋର) ସେବା ଯୋଗାଇ ଦିଆଯିବ ଏବଂ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବା ଚିକିତ୍ସାଳୟର ଅଧୀକ୍ଷକ ପ୍ରଫେସର ଡାକ୍ତର ମନୋରମା ସ୍ବାଇଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe