ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି : ସେପ୍ଟେମ୍ବର ୧୬ ଯାଏ ଭିଡିଓ କନଫରେନ୍ସିଂରେ ଶୁଣାଣି

Advertisment

କଟକଣା ନଥିବା ସ୍ଥାନରେ ସ୍ବାଭାବିକ ସମୟରେ ନିମ୍ନ ଅଦାଲତ ଚାଲିବ

କଟକଣା ନଥିବା ସ୍ଥାନରେ ସ୍ବାଭାବିକ ସମୟରେ ନିମ୍ନ ଅଦାଲତ ଚାଲିବ

ହାଇକୋର୍ଟରେ ହାଜର ହେଲେ ଉଚ୍ଚଶିକ୍ଷା ସଚିବ

କଟକ : କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବଭଳି ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଟକଣା ଭିତରେ କାର୍ଯ୍ୟ କରିବ। ହାଇକୋର୍ଟ ପକ୍ଷରୁ ଏ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବଭଳି ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ମାମଲା ଶୁଣାଣି କରାଯିବ। ଅଗଷ୍ଟ ୨ର ବିଜ୍ଞପ୍ତି ଅନୁସାରେ ଉଭୟ ପୁରୁଣା ଓ ନୂଆ ଜରୁରୀ ମାମଲାଗୁଡିକର ଶୁଣାଣି କରାଯିବ। ମାମଲା ଶୁାଣାଣି ପାଇଁ ତାଲିକାଭୁକ୍ତ ପ୍ରସଂଗରେ ଜରୁରୀ ସଂପର୍କିତ ସୂଚନା ଥିବା ମେମୋ ଇ-ଫାଇଲିଂ ମୋଡ୍/ଇ-ମେଲ୍/ଡ୍ରପ୍ ବକ୍ସ ମାଧ୍ୟମରେ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ନିକଟରେ ଆଗୁଆ ଦାଖଲ ହେବ ଏବଂ ଏ ନେଇ ଆଗୁଆ ପ୍ରତିପକ୍ଷଙ୍କୁ ଅବଗତ କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ଯଦି ଶୁଣାଣି ସମୟରେ ଆଇନଜୀବୀ ଅନୁପସ୍ଥିତ ରହନ୍ତି; ତେବେ ମାମଲାରେ କୌଣସି ପ୍ରତିକୂଳ ନିର୍ଦ୍ଦେଶ ପ୍ରଦାନ କରାଯିବ ନାହିଁ। ଆଇନଜୀବୀ‌ ଓ ପକ୍ଷମାନେ ଘ‌ରୁ କିମ୍ବା କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଅଂଶ ଗ୍ରହଣ କରିବେ। ହାଇକୋର୍ଟ ପରିସରରେ ମାମଲା ଶୁଣାଣିରେ ଅଂଶ ଗ୍ରହଣ ପାଇଁ କୌଣସି ବ୍ୟବସ୍ଥା ରହିବ ନାହିଁ। ଜାରି ରହିଥିବା ବ୍ୟବସ୍ଥା ଅନୁସାରେ ନୂଆ ମାମଲା ସହିତ, ଜବାବ (କାଉଣ୍ଟର ଆ‌ଫିଡେଭିଟ୍), ବିଚାରାଧୀନ ମାମଲାରେ ଅନ୍ତରୀଣ ଆବେଦନ ଓ ଡକୁମେଣ୍ଟ ଦାଖଲ ଇ-ଫାଇଲିଂ ପୋର୍ଟାଲ କିମ୍ବା ଇ-ମେଲ୍ ଦ୍ବାରା କରାଯିବ। ବିକଳ୍ପ ଭାବେ ଯଦି ମାମଲା ଜରୁରୀ ଥାଏ ତେବେ ହାଇକୋର୍ଟ ପରିସରରେ ଥିବା ଡ୍ରପ୍ ବକ୍ସରେ ଏ ସଂପର୍କିତ ଆବେଦନ ଓ ଡକୁମେଣ୍ଟ ଦାଖଲ କରିହେବ। ଜରୁରୀ ପ୍ରସଂଗ ସଂପର୍କିତ ସୂଚନା ଏକ ମେମୋ ଆକାରରେ ଫାଇଲ ସହିତ ଦାଖଲ କରିବାକୁ ପଡିବ। ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଡ୍ରପ୍ ବକ୍ସ ବ୍ୟବସ୍ଥା ରହିବ।

ଏଥି ସହିତ ରାଜ୍ୟର ସମସ୍ତ ସବ୍ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଓ ଟ୍ରିବୁନାଲର କୋର୍ଟ କାର୍ଯ୍ୟ ନେଇ ହାଇକୋର୍ଟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ଲକ୍‌ଡାଉନ/ସଟ୍‌ଡାଉନ ନଥିବା ସ୍ଥାନଗୁଡିକରେ କାର୍ଯ୍ୟ ଦିବସରେ ନିୟମିତ ସମୟରେ କୋର୍ଟ କାର୍ଯ୍ୟ ହେବ ଓ ଭର୍ଚୁଆଲ ମୋଡ୍/ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲା ଶୁଣାଣି କରାଯିବ। ଯଦି ଉପଯୁକ୍ତ ଇଣ୍ଟରନେଟ୍ ସଂଯୋଗ ବା ବୈଷୟିକ କାରଣରୁ ଭର୍ଚୁଆଲ୍ ମୋଡରେ ଶୁଣାଣି ସମ୍ଭବ ନ ହୁଏ ଓ ସଂପୃକ୍ତ ସ୍ଥାନରେ କୋଭଡି କଟକଣା ନଥିବ ତେବେ ଫିଜିକାଲ ହିୟରିଂ ପାଇଁ ଅନୁମତି ଦିଆଯାଇ ପାରିବ। ଏଥି ପାଇଁ ସାମାଜିକ ଦୂରତ୍ବ ନିୟମ ବଜାୟ ରଖାଯିବ, ମାସ୍କ ପିନ୍ଧିବା ଓ ଭିଡ ଏଡ଼ାଇବା ସୁନିଶ୍ଚିତ କରାଯିବ। ଯେଉଁ ସ୍ଥାନରେ ପ୍ରାଧିକୃତ ଅଧିକାରୀ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିବେ ସେଠାରେ ସବ୍ଅର୍ଡିନେଟ୍ କୋର୍ଟ ଓ ଟ୍ରିବୁନାଲର କୋର୍ଟ କାର୍ଯ୍ୟ ବନ୍ଦ (ସସ୍‌ପେଣ୍ଡ) ରହିବ। ସବ୍ଅର୍ଡିନେଟ୍ କୋର୍ଟ ଓ ଟ୍ରିବୁନାଲ ଗୁଡିକରେ ସମସ୍ତ ଧରଣର ମାମଲା ଶୁଣାଣି କରାଯିବ। ଯଦି ନିର୍ଦ୍ଦି‌ଷ୍ଟ ଭାବେ ଆବଶ୍ୟକ ନଥାଏ ତେବେ ଅଭିଯୁକ୍ତଙ୍କ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ହାଜିରା ଗ୍ରହଣ କରାଯିବ। କିନ୍ତୁ ପ୍ରଥମ ରିମାଣ୍ଡ ସମୟରେ ଅଭିଯୁକ୍ତଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର କରାଯିବ। ଯଦି ରାଜ୍ୟର କୌଣସି ସ୍ଥାନରେ ଲକ୍‌ଡାଉନ/ସଟ୍‌ଡାଉନ ଘୋଷଣା ହୁଏ ତେବେ ସଂପୃକ୍ତ ଜିଲ୍ଲା ଜଜ୍ ଅଞ୍ଚଳରେ ଥିବା ଅଦାଲତରେ କୋର୍ଟ କାର୍ଯ୍ୟ ଓ କେବଳ ଜରୁରୀ ମାମଲା ଶୁଣାଣି ପ୍ରସଂଗରେ ହାଇକୋର୍ଟଙ୍କୁ ଅବଗତ କରି ନିଷ୍ପତ୍ତି ନେଇ ପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe