The New Indian Express
କଟକ : ସରକାରୀ ହାଇସ୍କୁଲରେ ଚୁକ୍ତିଭିତ୍ତିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ(ଟିଜିଟି) ନିଯୁକ୍ତି କ୍ଷେତ୍ରରେ ପରୋକ୍ଷରେ ବାଣିଜ୍ୟ ସ୍ନାତକ ପ୍ରାର୍ଥୀଙ୍କୁ ବାଦ୍ ଦିଆଯିବା ନିଷ୍ପତ୍ତିକୁ ଝଟ୍କା ଲାଗିଛି। ଅନ୍ୟାନ୍ୟ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସହିତ ବାଣିଜ୍ୟ ସ୍ନାତକ ଡିଗ୍ରି ଥିବା ପ୍ରାର୍ଥୀଙ୍କ ପ୍ରାର୍ଥିତ୍ବ ବାତିଲ୍ ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିଛନ୍ତି। ଆବେଦନକାରୀଙ୍କ ପ୍ରାର୍ଥିତ୍ବ ଗ୍ରହଣ କରି ନିଯୁକ୍ତି ପ୍ରଦାନ ପ୍ରସଂଗରେ ବିଚାର କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜ୍ୟୋତିରଂଜନ ଜେନା ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।
ଚୁକ୍ତିଭିତ୍ତିକ ଟିଜିଟି ପଦ ପୂରଣ ପାଇଁ ଗଣଶିକ୍ଷା ବିଭାଗ ତରଫରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ୨୦୨୧, ଅଗଷ୍ଟ ୨୮ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। କଳା/ବାଣିଜ୍ୟ ବା ଶାସ୍ତ୍ରୀ ଡିଗ୍ରି ସହିତ ବିଏଡ୍ ପାସ୍ କରିଥିବା ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରି ପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା। ବି.କମ୍. ପାସ୍ କରିଥିବା ଆବେଦନକାରୀ ଏହି ପଦବି ପାଇଁ ଆବେଦନ କରିଥିବାବେଳେ ସେମାନଙ୍କ ପ୍ରାର୍ଥିତ୍ବ ଗ୍ରହଣ କରାଯାଇଥିଲା। ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ଆବେଦନକାରୀ କମ୍ପ୍ୟୁଟର ବେସ୍ଡ୍ ଟେଷ୍ଟ (ସିବିଟି) ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଆବେଦନକାରୀଙ୍କ ପ୍ରାର୍ଥିତ୍ବ ଖାରଜ କରାଯାଇଥିଲା। ସ୍ନାତକରେ ବାଧ୍ୟତାମୂଳକ ଦୁଇଟି ବିଷୟ ଆବେଦନକାରୀଙ୍କ ନଥିବା ଦର୍ଶାଯାଇ ଏପରି ନିଷ୍ପତ୍ତି ଗଣଶିକ୍ଷା ବିଭାଗ ଗ୍ରହଣ କରିଥିବା ଜଣାପଡ଼ିଥିଲା। ଏଭଳି ନିଷ୍ପତ୍ତିକୁ ଚାଲେଞ୍ଜ କରି ଦାୟର ମାମଲାରେ ଦର୍ଶାଯାଇଥିଲା ଯେ ବିଜିନେସ୍ ଇକୋନୋମିକ୍ସ ଓ କମ୍ୟୁନକେଟିଭ୍ ଇଂଲିଶ ବିଷୟ ରଖି ଆବେଦନକାରୀ ସ୍ନାତକ ପାସ କରିଥିଲେ। ତେଣୁ ନିଯୁକ୍ତି ବିଜ୍ଞପ୍ତିରେ ଉଲ୍ଲେଖ ଥିବା ଇଂଲିଶ ଓ ଇକୋନୋମିକ୍ସ ବିଷୟରେ ଆବେଦନକାରୀ ପାସ୍ କରିଛନ୍ତି ବୋଲି ଗ୍ରହଣ କରାଯିବା କଥା। କିନ୍ତୁ ଏପରି କରା ନ ଯାଇ ବେଆଇନ ଭାବେ ପ୍ରାର୍ଥିତ୍ବ ତାଙ୍କର ଖାରଜ କରାଯାଇଥିଲା। ଏଭଳି ବ୍ୟବସ୍ଥା ଦ୍ବାରା ବାଣିଜ୍ୟ ସ୍ନାତକ ଡିଗ୍ରିଧାରୀ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବାଦ୍ ପଡିବା ନିଶ୍ଚିତ ବୋଲି ଆବେଦନକାରୀ ଦର୍ଶାଇଥିଲେ।
ଏହି ମାମଲାର ଶୁଣାଣିକରି ହାଇକୋର୍ଟ ଆବେଦନକାରୀଙ୍କୁ ନିଯୁକ୍ତି ପ୍ରକ୍ରିୟାରୁ ବାଦ୍ ଦିଆଯିବା ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।
Follow Us