ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ପେନସନ୍ ପ୍ରସଙ୍ଗସମୟ ନେଲେ ସରକାର, ସେପ୍ଟେମ୍ବର ୧୫ରେ ପୂର୍ଣ୍ଣାଙ୍ଗ ଶୁଣାଣି

ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ୍ ପ୍ରଦାନ ସପକ୍ଷରେ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୪, ଜାନୁଆରି ୧୨ରେ ପ୍ରଦାନ କରିଥିବା ରାୟ ବିରୋଧରେ ରାଜ୍ୟ ସରକାର ଦୁଇ ଜଣିଆ ଖଣ୍ଡପୀଠରେ ଦାୟର କରିଥିବା ରିଟ୍ ଅପିଲର ଆଜି ଶୁଣାଣି ଘୁଞ୍ଚିଛି।

2021040795-e1617794136281

Photograph: (Sambad.in)

କଟକ: ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ୍ ପ୍ରଦାନ ସପକ୍ଷରେ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୪, ଜାନୁଆରି ୧୨ରେ ପ୍ରଦାନ କରିଥିବ‌ା ରାୟ ବିରୋଧରେ ରାଜ୍ୟ ସରକାର ଦୁଇ ଜଣିଆ ଖଣ୍ଡପୀଠରେ ଦାୟର କରିଥିବା ରିଟ୍ ଅପିଲର ଆଜି ଶୁଣାଣି ଘୁଞ୍ଚିଛି। ଜଷ୍ଟିସ ମାନସ ରଂଜନ ପାଠକ ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଯୁକ୍ତି ଉପସ୍ଥାପନ ପାଇଁ ସମୟ ଲୋଡ଼ା ଯାଇଥିଲା। ପ୍ରତିପକ୍ଷ ତଥା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କ ତରଫରୁ ଏହାକୁ ବିରୋଧ କରାଯାଇଥିଲା। ଏଭଳି ସ୍ଥିତିରେ ସେପ୍ଟେମ୍ବର ୧୫କୁ  ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


 ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବ୍ଲକ୍ ଗ୍ରାଣ୍ଟ ଓ ଏବେର ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କୁ ପେନସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ମିଳୁ ନାହଁ। ପୂର୍ବରୁ ଏହି ପ୍ରସଂଗ ନେଇ ଶରତ ଚନ୍ଦ୍ର ପରିଡାଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ୨୦୧୫ରେ ହାଇକୋର୍ଟ ବ୍ଲକ୍‌ ଗ୍ରାଣ୍ଟ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ, ଅଧ୍ୟାପକ, କର୍ମଚାରୀଙ୍କୁ ପେନସନ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ଏହି ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ କାଏମ ରଖିଥିଲେ। ଏଭଳି ସ୍ଥିତିରେ ପେନସନ୍ ଓ ଅବସରକାଳୀନ ପ୍ରାପ୍ୟ ଅବସର ପର ଦିନଠାରୁ ପ୍ରଦାନ କରାଯାଉ ବୋଲି ଦର୍ଶାଇ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶତାଧିକ କର୍ମଚାରୀ ସରକାରଙ୍କ ନିକଟରେ ଦରଖାସ୍ତ କରିଥିଲେ। କିନ୍ତୁ ସରକାର ସେମାନଙ୍କ ଦରଖାସ୍ତ ଖାରଜ କରିବା ପରେ ଅବସରପ୍ରାପ୍ତ କର୍ମଚାରୀମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଜଣିକିଆ ବିଚାରପତିଙ୍କ ଖଣ୍ଡପୀଠ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ପ୍ରଦାନ ଦରଖାସ୍ତକୁ ଖାରଜ ନେଇ ସରକାର ପ୍ରଦାନ କରିଥିବା ନିର୍ଦ୍ଦେଶକୁ ରଦ୍ଦ କରିଥିଲେ। ତିନି ମାସ ଭିତରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ, ଅଧ୍ୟାପକ ଓ ର୍କମଚାରୀଙ୍କୁ ପେନସନ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ହାଇକୋର୍ଟ କହିଥିଲେ। ହେମନ୍ତ କୁମାର ଛୋଟରାୟ ଓ ଅନ୍ୟ ଶତାଧିକ ଅବସରପ୍ରାପ୍ତ କର୍ମଚାରୀଙ୍କ ତରଫରୁ ଦାୟର ମାମଲାର ଶୁଣାଣି କରି ୨୦୨୪, ଜାନୁଆରି ୧୨ରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ସରକାର ଦୁଇ ଜଣିଆ ଖଣ୍ଡପୀଠରେ ଏକାଧିକ ରିଟ୍ ଅପିଲ ଦାୟର କରିଛନ୍ତି। ପ୍ରଥମ ରିଟ୍ ଅପିଲର ପ୍ରତିପକ୍ଷ ଶ୍ରୀ ଛୋଟରାୟଙ୍କ ତରଫରୁ ଆଇନଜୀବୀ ଡକ୍ଟର ପୁରୁଷୋତ୍ତମ ଚୁଳି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe