ଭୁବନେଶ୍ବର: ଓଡ଼ିଶା ବଜେଟ୍‌କୁ ଅନ୍ତଃସାରଶୂନ୍ୟ ଓ ପ୍ରଚାରଧର୍ମୀ ବଜେଟ୍‌ ବୋଲି ଅଭିହିତ କରିଛି ବିଜେଡି। ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ଗୌତମବୁଦ୍ଧ ଦାସ ବଜେଟ୍‌ ଉପରେ ପ୍ରତିକ୍ରିୟା ରଖି ସରକାରଙ୍କୁ ସମାଲୋଚନା କରିଥିଲେ। ଶ୍ରୀ ଆଚାର୍ଯ୍ୟ କହିଥିଲେ, ରାଜ୍ୟ ସରକାର ବଜେଟ୍‌ର ପରିମାଣ ୩ ଲକ୍ଷ ୧୦ ହଜାର କୋଟିକୁ ବୃଦ୍ଧି କରି ବାହାଦୂରୀ ନେବାକୁ ଯେଉଁ ପ୍ରୟାସ କରୁଛନ୍ତି, ତାହା ଗ୍ରହଣୀୟ ନୁହେଁ। ପୂର୍ବ ବର୍ଷ ତୁଳନାରେ ମାତ୍ର ୬.୨୫% ବୃଦ୍ଧି ହୋଇଥିବା ବେଳେ ମୁଦ୍ରାସ୍ପୀତିକୁ ୮% ହାରରେ ବିଚାରକୁ ନେଲେ, ବଜେଟ ପରିମାଣ ବୃଦ୍ଧି ହୋଇନାହିଁ। ବରଂ ଦୁଇ ପ୍ରତିଶତ ହ୍ରାସ ପାଇଛି । ସରକାରଙ୍କ ଆୟ କମୁଛି, ତେଣୁ ଋଣ ଭାରରେ ଓଡ଼ିଶାକୁ ବୁଡ଼ାଉଛନ୍ତି। 

Advertisment

Health: କିଡ୍‌ନି ରୋଗରେ ପୀଡ଼ିତ ଗାଆଁରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ

ମାତ୍ର ୩ଟି ବଜେଟ୍‌ରେ ବର୍ତ୍ତମାନର ସରକାର ପ୍ରାୟ ୧.୩୮ ଲକ୍ଷ କୋଟି ଋଣ କଲେଣି। ସରକାର ଋଣ ଉପରେ ନିର୍ଭର କରି ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଉଛନ୍ତି। ଶ୍ରୀ ପୂଜାରୀ କହିଥିଲେ, ଡବଲ୍‌ ଇଞ୍ଜିନ୍‌ ଡବଲ୍‌ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଓଡ଼ିଶାବାସୀଙ୍କୁ ନିରାଶ କରିଛି। କାରଣ କେନ୍ଦ୍ରୀୟ ଅନୁଦାନ ବଢ଼ୁ ନାହିଁ, ବରଂ କମୁଛି। ପୂର୍ବ ବଜେଟର ମାତ୍ର ୪୭% ଖର୍ଚ୍ଚ ହୋଇଛି। ରାଜ୍ୟର କୃଷକ ସମାଜ ହତାଶରେ ଅଛନ୍ତି। ରାଜ୍ୟ ସରକାର ଅନେକ ଯୋଜନା କେବଳ ଘୋଷଣା କରିଦେଉଛନ୍ତି, କିନ୍ତୁ ସେଗୁଡ଼ିକ କାର୍ଯ୍ୟକାରୀ ହେଉନାହିଁ।

Arrest: ଗହଣା ଚୋରି ମାମଲା: ୨୪ ଘଣ୍ଟା ମଧ୍ୟରେ ଗିରଫ ହେଲେ ୩ ଡକାୟତ

ଶ୍ରୀ ଦାସ କହିଥିଲେ, ଏହା ଗୋଟିଏ ଦାୟିତ୍ୱହୀନ ସରକାରଙ୍କର ଦୃଷ୍ଟିହୀନ ବଜେଟ। ବିତ୍ତୀୟ ଶୃଙ୍ଖଳା କ୍ଷେତ୍ରରେ ନବୀନ ବାବୁ ଓଡ଼ିଶାକୁ ଏକ ନମ୍ୱରରେ ପହଞ୍ଚାଇଥିଲେ। କିନ୍ତୁ ବର୍ତ୍ତମାନର ସରକାର ଋଣ ବୋଝ ବଢ଼ାଇବାରେ ଲାଗିଛନ୍ତି। ସମୁଦାୟ ଋଣ ପରିମାଣରୁ ପ୍ରାୟ ୪୦% ଖୋଲା ବଜାରରୁ ଚଢ଼ା ସୁଧ ଦରରେ ଋଣ ନିଆଯାଉଛି, ଯାହା ରାଜ୍ୟର ଆର୍ଥିକ ସ୍ଥିତିକୁ ରେଡ୍ ଜୋନ୍‌କୁ ନେଇଯାଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି ଓ କୃଷକ, ବିଦ୍ୟାଳୟ ଓ ଗଣଶିକ୍ଷା ଇତ୍ୟାଦି ବିଭାଗରେ ରାଜ୍ୟ ସରକାର ଚଳିତ ବଜେଟ୍‌ରେ ଅର୍ଥ କମାଇ ଦେଇଛନ୍ତି। ଏପରିକି ସରକାର ନିଜେ ଘୋଷଣା କରିଥିବା ଫ୍ଲାଗ୍‌ସିପ୍ ଯୋଜନାଗୁଡ଼ିକ ଆରମ୍ଭ ହୋଇପାରିନାହିଁ।