ରଜ ସରିଲା, ତାତି କମିଲାନି : ଛୁଟି ବଢ଼ିଲା, ୨୧ରେ ଖୋଲିବ ସ୍କୁଲ୍‌

Advertisment
ରଜ ସରିଲା, ତାତି କମିଲାନି : ଛୁଟି ବଢ଼ିଲା, ୨୧ରେ ଖୋଲିବ ସ୍କୁଲ୍‌

ଭୁବନେଶ୍ୱର : ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆଜି ରଜ ସରି ଶୀତଳଷଷ୍ଠୀ ଆରମ୍ଭ ହୋଇଥିଲେ ମଧ୍ୟ ତାତି କମିନାହିଁ। ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ୮ଟି ଜିଲ୍ଲାରେ ଅସହ୍ୟ ତାତି ଅନୁଭୂତ ହେବ। ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ଅନୁଗୁଳ, ମୟୂରଭଞ୍ଜ, କଳାହାଣ୍ଡି ଏବଂ ବଲାଙ୍ଗୀରରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ପାଣିପାଗ କେନ୍ଦ୍ର ଗ୍ରୀଷ୍ମ ପ୍ରବାହ ସତର୍କ ସୂଚନା ଜାରି କରିବା ପରେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସ୍କୁଲ୍‌ର ଖରାଛୁଟିକୁ ଆଉ ତିନି ଦିନ ବଢ଼ାଇ ଦିଆଯାଇଛି। ସ୍କୁଲ୍‌ ଜୁନ୍‌ ୧୮ରେ ଖୋଲିବାକୁ ଥିବାବେଳେ ଆସନ୍ତା ୨୧ତାରିଖରେ ଖୋଲିବ ବୋଲି ବିଭାଗୀୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଏବେ ମୌସୁମୀ ଦୁର୍ବଳ ଥିବାରୁ ଏବଂ ଉତ୍ତର ପଶ୍ଚିମ ଦିଗରୁ ତତଲା ପବନ ବହୁଥିବାରୁ ରାଜ୍ୟରେ ଗ୍ରୀଷ୍ମ ଲହରୀ ବହୁଛି। ଆସନ୍ତା ଦୁଇରୁ ତିନି ଦିନ ଏହିଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବାୟୁମଣ୍ଡଳରେ ଜଳୀୟବାଷ୍ପ ଅଧିକ ଥିବାରୁ ତାତି ସହ ଗୁଳୁଗୁଳି ବି କିଲ୍‌ବିଲ୍‌ କରିବ।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତି ଯେ, ଏବେ ଉତ୍ତର ପୂର୍ବ ଭାରତରେ ମୌସୁମୀଜନିତ ବର୍ଷା ହେଉଥିଲେ ହେଁ ଓଡ଼ିଶାରେ ଏହାର ପ୍ରଭାବ ନାହିଁ। ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଯାଇଛି। ଦିନବେଳା ତାପମାତ୍ରା ଅଧିକ ରହିବା ସହ ଆକାଶ ସଫା ଥିବାରୁ ତାତି ଅଧିକ ଅନୁଭୂତ ହେଉଛି। ଏହିଭଳି ସ୍ଥିତି ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରହିବ। କେତେକ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ପବନ ହୋଇପାରେ। ଆସନ୍ତା ୨୨ତାରିଖ ପରେ ମୌସୁମୀଜନିତ ବର୍ଷା ହେବାର ସମ୍ଭାବନା ଅଛି।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ବାରିପଦାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରି ରେକର୍ଡ ହୋଇଛି। ୮ଟି ସ୍ଥାନରେ ପାରଦ ୪୦ଡିଗ୍ରି ଉପରେ ରହିଛି। ବିଶେଷକରି ଉପକୂଳ ଓଡ଼ିଶାରେ ପାରଦ ହଠାତ୍‌ ବଢ଼ି ଯାଇଥିବାରୁ ତାତି ଅସହ୍ୟ ଅନୁଭୂତ ହେଉଛି। ସେହିପରି ଆଜି ଫୁଲବାଣୀ ଏବଂ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ କାଳବୈଶାଖୀଜନିତ ବର୍ଷା ପବନ ହୋଇଛି। ଫୁଲବାଣୀରେ ୦.୪ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe