୧୧ ଜିଲ୍ଲାକୁ ହିଟ୍‌ୱେଭ୍‌ ସତର୍କତା ଜାରି : ପୁଣି ଜଳିଲା ପଶ୍ଚିମ ଓଡ଼ିଶା

୪୫ ଡିଗ୍ରି ଛୁଇଁଲା ଟିଟିଲାଗଡ଼, ୪୦ ଡିଗ୍ରି ଉପରେ ୯ ସହର

୧୧ ଜିଲ୍ଲାକୁ ହିଟ୍‌ୱେଭ୍‌ ସତର୍କତା ଜାରି : ପୁଣି ଜଳିଲା ପଶ୍ଚିମ ଓଡ଼ିଶା

telugu.v6news.tv

ଭୁବନେଶ୍ବର : ବାତ୍ୟା ମା‌ଡ଼ ପରେ ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିଛି। ତେବେ ପଶ୍ଚିମ ଓଡ଼ିଶାରେ ତାତି ଅସ୍ତବ୍ୟସ୍ତ କଲାଣି। ଟିଟିଲାଗଡ଼ ପୁଣି ଥରେ ତତଲାଗଡ଼ରେ ପରିଣତ ହୋଇଛି। ଏଠାରେ ଆଜି ରାଜ୍ୟର ସ‌ର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା‌, ଭବାନୀପାଟଣା ତାପମାତ୍ରା ବି ୪୩ ଡିଗ୍ରି ଟପିଗଲାଣି। କେନ୍ଦ୍ରୀୟ ଓଡ଼ିଶାରେ ବି ସମାନ ଅବସ୍ଥା। ମାଲକାନଗିରିରେ ବଢ଼ୁଛି ତାତି। ଇତିମଧ୍ୟରେ ଅଧା ଓଡ଼ିଶା ତତଲା ତାୱାରେ ସିଝୁଥିବା ବେଳେ ଆସନ୍ତା ତିନି ଦିନ ଲାଗି ୧୧ ଜିଲ୍ଲା ପାଇଁ ହିଟ୍‌ୱେଭ୍‌(ଗ୍ରୀଷ୍ମ ପ୍ରବାହ) ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

କୁହାଯାଇଛି ଯେ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଝାରସୁଗୁଡ଼ା ସମେତ ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ତାପମାତ୍ରା ବଢ଼ିବ। ଗୋଟିଏ ଦୁଇଟି ସ୍ଥାନରେ ସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି। ବିଶେଷକରି ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁରରେ ଅଂଶୁଘାତ ସମ୍ଭାବନା ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ଲୋ‌କେ ଖରାରୁ ଦୂରେଇ ରୁହନ୍ତୁ। ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ବୟସ୍କ ଓ ରୋଗୀମାନେ ସମସ୍ୟାରେ ପଡ଼ିପାରନ୍ତି। ୧୨ ତାରିଖ ବେଳକୁ ସ୍ଥିତିରେ ସୁଧାର ଆସିବ। ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିବ। ଗଜପତି, ଗଞ୍ଜାମ, କୋରାପୁଟ, ରାୟଗଡ଼ା, କନ୍ଧମାଳ, ପୁରୀ, ନୟାଗଡ଼, ଖୋର୍ଧା ଓ ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବୋହିବ।

ପାଣିପାଗ ବିଶେଷଜ୍ଞଙ୍କ ଆକଳନ ହେଉଛି ଯେ ବାତ୍ୟା ସମୟରେ ଉପକୂଳ ଓଡ଼ିଶାରେ ଦିନର ତାପମାତ୍ରା ୨୮ରୁ ୩୦ ଡିଗ୍ରି ପର୍ଯ୍ୟନ୍ତ ଖସି ଆସିଥିଲା। ତେବେ ଗତ ତିନି ଦିନ ହେଲା ହଠାତ୍‌ ତାପମାତ୍ରା ବଢ଼ିଛି। ୬ରୁ ୭ ଡିଗ୍ରି ବଢ଼ିଯାଇଥିବାରୁ ଏବେ ପ୍ରବଳ ତାତି ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଗକୁ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ବଢ଼ିବ। ଦ୍ବିତୀୟ ସପ୍ତାହ ବେଳକୁ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରି ଟପିଯିବାର ଆଶଙ୍କା ରହିଛି। ଆସନ୍ତାକାଲି ଭୁବନେଶ୍ବର ଓ କଟକର ତାପମାତ୍ରା ୩୮ ଡିଗ୍ରି ଟପିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe