ଅସହ୍ୟ ହେଲାଣି ଭୁବନେଶ୍ବର : ଆଜି ବି ଉତ୍ତପ୍ତ, ୩୫ଂ ଉପରେ ୧୦ ସହର, ଆଜିଠୁ ପାଗ ପରିବର୍ତ୍ତନ

Advertisment
ଅସହ୍ୟ ହେଲାଣି ଭୁବନେଶ୍ବର : ଆଜି ବି ଉତ୍ତପ୍ତ, ୩୫ଂ ଉପରେ ୧୦ ସହର, ଆଜିଠୁ ପାଗ ପରିବର୍ତ୍ତନ

photo by : indianexpress.com

ଭୁବନେଶ୍ବର : ତାତିରେ ଡହଳବିକଳ ହେଉଛନ୍ତି ରାଜଧାନୀବାସୀ। ପୂର୍ବାହ୍ନ ୧୧ଟା ବାଜିବା କ୍ଷଣି ଘରୁ ବାହାରି ପାରୁ ନାହାନ୍ତି। ସୂର୍ଯ୍ୟଙ୍କ ପ୍ରଖର କିରଣ ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଲଗାତାର ଦ୍ବିତୀୟ ଦିନ ପାଇଁ ସହରରେ ସ୍ଥିତି ଅପରିବର୍ତ୍ତିତ ରହିଛି। ସହରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଉପରେ ରହିଥିଲା। ୨୪ ଘଣ୍ଟା ମଧ୍ୟରେ ଏଠାରେ ସର୍ବୋଚ୍ଚ ତାପମାତ୍ରା ୦.୨ ଡିଗ୍ରି ବୃଦ୍ଧି ପାଇ ଆଜି ୩୯.୪ ଡିଗ୍ରିରେ ପହଞ୍ଚିଛି। ୧୦ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା। ରବିବାର ଅପରାହ୍‌ଣ ପର୍ଯ୍ୟନ୍ତ ସମାନ ସ୍ଥିତି ଲାଗି ରହିବ ବୋଲି ଆକଳନ କରାଯାଇଛି।

ଆଜି ବି ଦେଶର ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ବର। ଏଠାରେ ତାପାମାତ୍ରା ୩୯.୪ ଡିଗ୍ରି ରହିଥିବା ବେଳେ ମଧ୍ୟ ମହାରାଷ୍ଟ୍ରର ମାଲେଗାଁଓ ଓ ଓଡ଼ିଶାର ମାଲକାନଗିରିରେ ତାପମାତ୍ରା ମିଳିତ ଭାବେ ୩୯.୨ ଡିଗ୍ରି ରହିଥିଲା। ଫେବ୍ରୁଆରିରେ ବହୁତ କମ୍‌ ସମୟରେ ଏଭଳି ସ୍ଥିତି ଦେଖିବାକୁ ମିଳିଥାଏ। କିଛି ବର୍ଷ ତଳେ ଏଠାରେ ଫେବ୍ରୁଆରି ମାସରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଛୁଇଁଥିଲା। ୧୯୬୩ ଫେବ୍ରୁଆରି ୨୩ରେ ଭୁବନେଶ୍ବରର ତାପମାତ୍ରା ସର୍ବକାଳୀନ ରେକର୍ଡ କରିଥିଲା। ଏହି ଦିନ ତାପମାତ୍ରା ୪୨.୭ ଡିଗ୍ରି ରହିଥିଲା। ଚଳିତ ମାସରେ ୪୦ ଡିଗ୍ରି ଟପିବାର ଆଶଙ୍କା କମ୍‌ ରହିଛି। ତଥାପି ରବିବାର ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ତାତିର ପ୍ରକୋପ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆହୁରି ଆକଳନ କରିଛି ଯେ ୨୪ ତାରିଖଠାରୁ ହିଁ ଓଡ଼ିଶାରେ ପାଗ ପରିବର୍ତନ ହେବ। ପଶ୍ଚିମ ଓଡ଼ିଶାରେ ଆଜି ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ କମିଛି। ରବିବାରଠାରୁ ମୟୂରଭଞ୍ଜ, ‌କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, ଗଞ୍ଜାମ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ବରରେ ହାଲକା ବର୍ଷା ହୋଇପାରେ। ୨୫ ତାରିଖରେ ସ୍ଥିତି ସଙ୍ଗିନ୍‌ ହେବ। ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ବର୍ଷା ହେବ। କାଁ ଭାଁ କୁଆପଥର ପଡ଼ିବ। ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଢ଼େଙ୍କାନାଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ୨୬ ଓ ୨୭ ତାରିଖରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ବି ବର୍ଷାର ପ୍ରଭାବ ରହିବ। ଏହି ଦୁଇ ଦିନ କାଳବୈଶାଖୀ ସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ତେଣୁ ଏହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହୋଉଛି ଯେ ଓଡ଼ିଶା ଉପରେ ଏକ ଟ୍ରପ୍‌ ଲାଇନ୍‌ ସୃଷ୍ଟି ହୋଇଛି। ଦକ୍ଷିଣ ଭାରତରୁ ପଶ୍ଚିମବଙ୍ଗ ଆଡ଼କୁ ଏହି ଟ୍ରପ୍‌ ଲାଇନ୍‌ ଯାଇଛି। ପ୍ରଭାବରେ ୪ ଦିନ ପାଇଁ ଓଡ଼ିଶା ଉପରେ ବର୍ଷା ହେବାର ସମ୍ଭାବନା ରହିଛି। ଇତି ମଧ୍ୟରେ ପଶ୍ଚିମ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଲାଣି। ରବିବାର ଆହୁରି କମିବ। ସୋମବାରଠାରୁ ସବୁଠି ଦିନର ତାପମାତ୍ରା ୫ରୁ ୬ଡିଗ୍ରି ପର୍ଯ୍ୟନ୍ତ କମିବ। ଯଦି କେବଳ ବର୍ଷା ହୁଏ, ତେବେ ଚାଷ ପାଇଁ ତାହା ଅନୁକୂଳ ହେବ। ବର୍ଷା ସହ କୁଆପଥର ପଡ଼ିଲେ ତାହାର ପ୍ରତିକୂଳ ପ୍ରଭାବ ପକାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe