କରୋନା ସାଙ୍ଗକୁ ତାପମାତ୍ରା ବୃଦ୍ଧି : ଏସି, କୁଲର୍‌ ମରାମତିର ବି ସୁଯୋଗ ନାହିିଁ

୪୩ ଡିଗ୍ରି ଉପରେ ୯ ସହର: ଉପକୂଳରେ ଗୁଳୁଗୁଳି, ପଶ୍ଚିମରେ ତାତି

Accuweather

ଅନୁଗୁଳ : ଓଡ଼ିଶାର ଶିଳ୍ପାଂଚଳ ଅନୁଗୁଳ ଜିଲ୍ଲାରେ ଏବେ ଅନୁଭୂତ ହେଉଛି ପ୍ରବଳ ଗରମ। ଲକ୍‌ଡାଉନ ଯୋଗୁଁ ଲୋକେ ଘର ଭିତରେ ଏବେ ଆବଦ୍ଧ। ଗୋଟିଏ ପଟେ ବିଶ୍ବ ମହାମାରୀ କରୋନାର ଆତଙ୍କ ତ ଅନ୍ୟପଟେ ତାତି ଯୋଗୁଁ ଘରେ ଭିତରେ ରହି ବି ଲୋକଙ୍କ ନିସ୍ତାର ନାହିଁ। ନୂଆ 'ଏସି, କୁଲର୍, ପଙ୍ଖା କିଣିବା କିମ୍ବା ପୁରୁଣା 'ଏସି, କୁଲର୍ ମରାମତି କରିବାର ସୁଯୋଗ ବି ନାହିଁ। ଫଳରେ ସ୍ଥାନୀୟ ଜନସାଧାରଣଙ୍କ ଜୀବନ ଏକ ପ୍ରକାର ଦୁର୍ବିଷହ ହୋଇଯାଇଛି।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅନୁଗୁଳ ଜିଲ୍ଲାରେ ଶୀତଦିନେ ପ୍ରବଳ ଥଣ୍ଡା ହେଉଥିବା ବେଳେ ଗ୍ରୀଷ୍ମଦିନେ ପ୍ରବଳ ଗରମ ଅନୁଭୂତ ହୋଇଥାଏ। ଖଣି ଖାଦାନ ସାଂଗକୁ ଛତୁ ଫୁଟିଲା ଭଳି ଗଢ଼ି ଉଠିଥିବା ବିଭିନ୍ନ କାରଖାନା ଯୋଗୁଁ ରାଜ୍ୟର ଅନ୍ୟ ସହରଠାରୁ ତାପମାତ୍ରା ପ୍ରାୟତଃ ଏଠାରେ ଅଧିକ ରହିଥାଏ। ମାର୍ଚ୍ଚ ୧୫ ପରେ ତାତି ବଢ଼ିଥାଏ। ଏପ୍ରିଲ, ମେ ଓ ଜୁନ୍ ମାସରେ ତାପମାତ୍ରା ବେଶୀ ରହିଥାଏ। ଏବେଠୁ ଜିଲ୍ଲାର ଦୁଇ ପ୍ରମୁଖ ସହର ଅନୁଗୁଳ ଓ ତାଳଚେରର ତାପମାତ୍ରା ୪୦ ‌ଡିଗ୍ରି ଡେଇଁଲାଣି। ରବିବାର ଦିନ ଅନୁଗୁଳର ତାପମାତ୍ରା ୩୯.୭ ଡିଗ୍ରି ରହିଥିବା ବେଳେ ଆଜି ୪୦.୭ ଡିଗ୍ରିରେ ପହଂଚି ଯାଇଛି। ତାଳଚେରର ତାପମାତ୍ରା ରବିବାର ୪୦.୧ ଡିଗ୍ରି ରହିଥିବା ବେଳେ ଆଜି ୪୦.୫ ଡିଗ୍ରି ପହଂଚିଛି।

ତାତିରୁ ରକ୍ଷା ପାଇବା ନିମନ୍ତେ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳବର୍ଗର ଲୋକେ 'ଏସି ବ୍ୟବହାର କରୁଥିବା ବେଳେ ଅନ୍ୟମାନେ କୁଲର୍, ପଙ୍ଖା ଆଦି କିଣିଥାନ୍ତି। ନିମ୍ନ ମଧ୍ୟବିତ୍ତ ପରିବାରର ଲୋକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ କଂପାନି ଏବେ ଅଫର୍ ତଥା ଋଣ ସୁବିଧା ଯୋଗାଇ ଦେଉଛନ୍ତି। ଲୋକମାନେ ବି ଥଣ୍ଡା ପବନ ଟିକିଏ ପାଇଁ ଏସବୁର ଫାଇଦା ଉଠାଇ କଷ୍ଟ ହେଲେ ବି କିସ୍ତିରେ ଟଙ୍କା ପରିଶୋଧ କରୁଛନ୍ତି। ଅନୁୁଗୁଳର ଜଣେ 'ଏସି ବିକ୍ରେତା ସୁଜିତ ପଟ୍ଟନାୟକଙ୍କ ମତରେ ମାର୍ଚ୍ଚରୁ ମେ ମଧ୍ୟରେ ୮୦ ପ୍ରତିଶତ ବେପାର ହୋଇଥାଏ। ଅନ୍ୟ ଜଣେ ବିକ୍ରେତା ପ୍ରବୀଣ ତୁଲଶ୍ୟାନଙ୍କ ଆକଳନ ଅନୁସାରେ ସମଗ୍ର ଅନୁଗୁଳ ଜିଲ୍ଲାରେ ଏହି ଅବଧିରେ ପ୍ରାୟ ୪ ହଜାର 'ଏସି, ୮ ହଜାର କୁଲର ଓ ୧୫ ହଜାର ପଙ୍ଖା ବିକ୍ରି ହୋଇଥାଏ। ଏହି ୩ ମାସରେ ପାଖାପଖି ୩୦ କୋଟି ଟଙ୍କା ବେପାର ହୋଇଥାଏ। ତେବେ ଅଧିକ ଗରମ ଯୋଗୁଁ ଅନୁଗୁଳ ଓ ତାଳଚେର ସହର ସହିତ ଏହାର ଆଖପାଖ ଅଂଚଳରେ ସବୁଠାରୁ ବେଶୀ ବିକ୍ରି ହୁଏ। ଏବେ ଲକ୍‌ଡାଉନ ଯୋଗୁଁ ଦୋକାନରେ ତାଲା ଝୁଲୁଥିବା ବେଳେ ଏହି ବ୍ୟବସାୟ ଉପରେ ନିର୍ଭରଶୀଳ ସେଲସ୍‌ମ୍ୟାନ, ମେକାନିକ୍ ଆଦିଙ୍କ ଜୀବିକା ବି ଠପ୍ ହୋଇଯାଇଛି। ଦୋକାନ ବନ୍ଦ ଯୋଗୁଁ ଯନ୍ତ୍ରାଂଶ ମିଳୁନଥିବାରୁ ଖରାପ ହୋଇଯାଇଥିବା ଏସି, କୁଲର୍ ଆଦି ବି ମରାମତି ହୋଇପାରୁନାହିଁ। ଏଭଳି ସ୍ଥିତିରେ ଜିଲ୍ଲାର ମେକାନିକ୍, ସେଲ୍‌ସମ୍ୟାନ ପ୍ରମୁଖ ୫୦୦ରୁ ଅଧିକ ଲୋକଙ୍କ ପରିବାର ଅଭାବ ଅନଟନ ମଧ୍ୟରେ ଗତି କରୁଛି। ଯେଉଁ ସମୟରେ ଭଲ ରୋଜଗାର ହୋଇଥାଏ, ସେହି ସମୟରେ ଏବେ ସେମାନଙ୍କ ଆର୍ଥିକ ସ୍ଥିତି ଦୟନୀୟ ହୋଇଯାଇଛି। ଅନ୍ୟପକ୍ଷ‌ରେ କରୋନାର ଆତଙ୍କ ଓ ସୂର୍ଯ୍ୟଙ୍କ ପ୍ରକୋପ(ତାତି) ଯୋଗୁଁ ଜନଜୀବନ ଦୁର୍ବିଷହ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe