ଜଳୁଛି ସାରା ଓଡ଼ିଶା : ୪୦ ଡିଗ୍ରି ଉପରେ ୧୦ ଜିଲ୍ଲା, ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର

Advertisment
ରାଜ୍ୟରେ ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ

photo by : Skymet Weather

ଭୁବନେଶ୍ବର : ତତଲା କଡ଼େଇ‌‌ରେ ସିଝୁଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୦ଟି ଜିଲ୍ଲାର ତାପମାତ୍ରା ୪୦ଡିଗ୍ରି ଅତିକ୍ରମ କରିଛି। ଚଳିତ ବର୍ଷ ପ୍ରଥମଥର ପାଇଁ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ଆସନ୍ତ‌ାକାଲି ମଧ୍ୟ ସାରା ରାଜ୍ୟରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ତେବେ ୧୪ ଓ ୧୫ ତାରିଖରେ କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ ବୋଲି ଆଶା କରାଯାଉଛି। କିନ୍ତୁ ୧୬ ତାରିଖ ଆଡ଼କୁ ପୁଣିଥରେ ତାତି ବଢ଼ିବ। ଅନେକ ସ୍ଥାନରେ ପାରଦ ୪୨ ପାର ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ଆହୁରି ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ୧୪ ଓ ୧୫ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଟକ, ଢେଙ୍କାନାଳ, ଜଗତସିଂହପୁର ଆଦି ଅଞ୍ଚଳରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ସବୁ ସ୍ଥାନରେ ତାପମାତ୍ରା ସାମୟିକ ସମୟ ପାଇଁ କମିପାରେ। ରାଜ୍ୟର ବାକି ସମସ୍ତ ଅଞ୍ଚଳରେ ତାପମାତ୍ରା ୨ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ସୂଚନା ଅନୁଯାୟୀ, ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା‌ ଟିଟିଲାଗଡ଼ଠାରେ ୪୧ଡିଗ୍ରି ରେକର୍ଡ କରାଯାଇଛି। ଏହାଛଡ଼ା ଚାନ୍ଦବାଲି, କଟକ, ଭୁବନେଶ୍ବର, ତାଳଚେର, ଭବାନୀପାଟଣା, ବଲାଙ୍ଗୀର, ମାଲକାନଗିରି, ସୋନପୁର, ବୌଦ୍ଧ ଆଦି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ସେହିପରି ରାଜ୍ୟର ଅନେକ ସ୍ଥାନ‌ରେ ପାରଦ ୩୯ ଛୁଇଁଛି। ସାରା ରାଜ୍ୟ ଏବେ ସୂର୍ଯ୍ୟଙ୍କ ପ୍ରକୋପରେ ଜଳୁଥିବା ବେଳେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଏଥିରୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ। ଏହି ସପ୍ତାହରେ କିଛି ସ୍ଥାନରେ ତାପମାତ୍ରା ୪୨ଡିଗ୍ରି ଅତିକ୍ରମ କରିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ। ଆସନ୍ତାକାଲି ମଧ୍ୟାହ୍ନରେ ଆକାଶ ନିର୍ମଳ ରହିବ, ଟାଣ ଖରା ହେବ। ଉପରବେଳା ଆଡ଼କୁ ଆକାଶ ଆଂଶିକ ମେଘୁଆ ରହିପା‌‌‌ରେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe