ସମ୍ଭାଳି ହେଉନି ତାତି: ୪୫ ଡିଗ୍ରିରେ ଟିଟିଲାଗଡ଼, ୬ ଜିଲ୍ଲାର ଉତ୍ତାପ ୪୪ ଡିଗ୍ରି ଉପରେ

Advertisment

ଉପକୂଳରେ ଗୁଳୁଗୁଳି ଯୋଗୁଁ ସନ୍ତୁଳି ହେଉଛନ୍ତି ଲୋକେ

ଉପକୂଳରେ ଗୁଳୁଗୁଳି ଯୋଗୁଁ ସନ୍ତୁଳି ହେଉଛନ୍ତି ଲୋକେ

ଉପକୂଳରେ ଜମିଲା ପହିଲି ରଜ, ତାତିରେ ଭାଜି ହେଲା ପଶ୍ଚିମ ଓଡ଼ିଶା

Climate Central

ଭୁବନେଶ୍ବର : ଦେଢ଼ ମାସରୁ ଅଧିକ ସମୟ ଧରି ପଶ୍ଚିମ ଓଡ଼ିଶ‌ା ଉପରେ ସୂର୍ଯ୍ୟଙ୍କ କୋପ ଜାରି ରହିଛି। କେବେ ମୌସୁମୀ ଓଡ଼ିଶା ଛୁଇଁବ ଓ ଖରାରୁ ତ୍ରାହି ମିଳିବ, ଲୋକେ ଚାତକ ଭଳି ଚାହିଁ ରହିଛନ୍ତି। ଶୁକ୍ରବାର ଦିନ ପଶ୍ଚିମ ଓଡ଼ିଶାର ତାତି ସବୁ ରେକର୍ଡ ଭାଙ୍ଗିଛି। ଶୁକ୍ରବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରି ଛୁଇଁଥିଲା। ଏଥିସହ ୬ ସହରର ତାପମାତ୍ରା ୪୪ ଡିଗ୍ରି ଉପରେ ରହିଥିଲା। ୪୫ଡିଗ୍ରି ତାପମାତ୍ରା ସହ ଟିଟିଲାଗଡ଼ ତତଲାଗଡ଼ ପାଲଟିଥିବା ବେଳେ ବଲାଙ୍ଗୀରରେ ସର୍ବୋଚ୍ଚ ୪୪.୯ ଡିଗ୍ରି, ବୌଦ୍ଧରେ ୪୪.୫ ଡିଗ୍ରି, ସମ୍ବଲପୁରରେ ୪୪.୪ ଡିଗ୍ରି, ସୋନପୁରରେ ୪୪.୩ ଡିଗ୍ରି ଓ ଝାରସୁଗୁଡ଼ାରେ ତାପମାତ୍ରା ୪୪.୨ଡିଗ୍ରି ରେକର୍ଡ ହୋଇଥିଲା। ଚଳିତ ବର୍ଷ ପ୍ରଥମଥର ପାଇଁ ଶୁକ୍ରବାର ଦିନ ୬ଟି ସହର ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିଛି। ଏହା ନିଜ ଭିତରେ ଏକ ରେକର୍ଡ। ଏଥିସହ ରାଜ୍ୟର ୧୩ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି।

ଅନ୍ୟପଟେ ଉପକୂଳର ପାଗ ବର୍ତ୍ତମାନ ମେଘୁଆ ରହୁଛି। ଉପକୂଳର ସର୍ବାଧିକ ତାପମାତ୍ରା ୩୮ଡିଗ୍ରି ପାଖାପାଖି ରହୁଥିଲେ ମଧ୍ୟ ଗୁଳୁଗୁଳି ସୀମା ଲଂଘିଛି। ଶୁକ୍ରବାର ଦିନ ଭୁବନେଶ୍ବରରେ ସର୍ବୋଚ୍ଚ ତାପମାତ୍ରା ୩୬.୮ଡିଗ୍ରି ଓ କଟକରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ରହିଥିଲା। କିନ୍ତୁ ଅତିଶୟ ଗୁଳୁଗୁଳି ପାଇଁ ଦିନରେ ଘରୁ ବାହାରିବା ମୁସ୍କିଲ୍‌ ହୋଇପଡ଼ିଥିଲା। ଲାଗାତାର ୩ ସପ୍ତାହରୁ ଊର୍ଧ୍ବ ସମୟ ଧରି ଉପକୂଳ ଓଡ଼ିଶାର ଆର୍ଦ୍ରତା ୫୦%ରୁ ଅଧିକ ରହୁଥିବାରୁ ତାତି ପ୍ରାୟ ସ୍ବାଭାବିକ ତାପମାତ୍ରାଠାରୁ ୭ ଡିଗ୍ରି ଯାଏ ଅଧିକ ଅନୁଭୂତ ହେଉଛି। ଉପକୂଳ ଓଡ଼ିଶାରେ ୪୪ଡିଗ୍ରି ପର୍ଯ୍ୟନ୍ତ ଗରମ ଅନୁଭୂତ ହେଉଛି।

publive-image Photo: SkyMate Weather

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଉପକୂଳ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିମିରୁ ୭.୬ କିମି ଯାଏଁ ପରିବ୍ୟାପ୍ତ ହୋଇଛି। ଏହା ପ୍ରଭାବରେ ଶୁକ୍ରବାର ଦିନ ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଯାଇଛି। ଅନ୍ୟପଟେ ଆଜିଠାରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୂଚନା ମୁତାବକ, ଆଜି କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ‌ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତାତି କିଛି କମ୍‌ ବେଶି ହୋଇପାରେ, କିନ୍ତୁ ଏହିଭଳି ତାତି ଓ ଗୁଳୁଗୁଳି ସମଗ୍ର ରାଜ୍ୟରେ ଜାରି ରହିବ ବୋଲି ସୂଚନା ମିଳିଛି।

କେନ୍ଦ୍ର ସୂଚନ‌ା ମୁତାବକ, ଆଜି ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର-ପୂର୍ବ ଭାରତର ସମ୍ପୂର୍ଣ୍ଣ ଅଞ୍ଚଳ ଓ ପଶ୍ଚିମବଙ୍ଗ ଓ ସିକିମ୍‌ର କିଛି ଅଞ୍ଚଳରେ ଆଜି ଦକ୍ଷିଣ-ପଶ୍ଚିମ ‌ମୌସୁମୀ ସକ୍ରିୟ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe