ତତଲା ତାୱାରେ ସିଝୁଛି ଓଡ଼ିଶା: ୨ ଦିନ ପରେ ୨ ଡିଗ୍ରି କମିବ

Advertisment
ସ୍ବାଭାବିକଠାରୁ ୩ଂ ଉପରେ ପାରଦ, ୫ ସହରରେ ତାପମାତ୍ରା ୩୮ ଡିଗ୍ରି ଉପରେ

ଭୁବନେଶ୍ବର : ତତଲା ତାୱାରେ ସିଝୁଛି ଓଡ଼ିଶା। ମଙ୍ଗଳବାର ୧୫ ଜିଲ୍ଲାର ତାପମାତ୍ରା ୪୦ଡିଗ୍ରି ଉପରେ ରହିଥିବା ବେଳେ ବୌଦ୍ଧରେ ସର୍ବାଧିକ ୪୩.୧ ଡିଗ୍ରି ରେକର୍ଡ କରାଯାଇଛି। ଏହା ପଛକୁ ଅନୁଗୁଳ, ବାରିପଦା, ତାଳଚେର, ବଲାଙ୍ଗୀର ଓ ଟିଟିଲାଗଡ଼ ତାଲିକାରେ ରହିଛନ୍ତି। ଏହି ୪ ସହରର ତାପମାତ୍ରା ୪୨ଡିଗ୍ରି ଉପରେ ରହିଥିଲା। ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳଳବାର ପାରଦ ଖସି ୪୧.୭ରେ ପହଞ୍ଚିଛି। ଆସନ୍ତା ୨ଦିନ ରାଜ୍ୟରେ ଏଭଳି ଗରମ ଅନୁଭୂତ ହେବା ପରେ ୩୦ ତାରିଖ ଆଡ଼କୁ ଧୀରେ ଧୀରେ ତାତି କମିବ। ପାରଦ ପାଖାପାଖି ୨ ଡିଗ୍ରି ପର୍ଯ୍ୟନ୍ତ ଖସିଯିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ କାଳବୈଶାଖୀଜନିତ ବର୍ଷା ପାଇଁ ଏବେ ରାଜ୍ୟରେ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ଆଜିଠାରୁ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ଆରମ୍ଭ ହୋଇଯିବ ଓ ଧୀରେଧୀରେ ଏହା ପ୍ରଶସ୍ତ ହେବ। ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏଥିପାଇଁ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୯ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ ଓ ଅନୁଗୁଳ ଆଦି ଜିଲ୍ଲାରେ ବର୍ଷା ହେବ। ୩୦ ତାରିଖ ଦିନ ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ଓ ଝଡ଼ବର୍ଷା ହେବ। ୧ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଯପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଓ ଖୋର୍ଧା ଆଦି ଜିଲ୍ଲାରେ ବିଜୁଳି, ଘନଘଡ଼ି ସହ ବର୍ଷା ହେବ। ଏଣୁ ଏହି ୩ ଦିନ ପାଇଁ ଏହି ସବୁ ଜିଲ୍ଲା ପା‌ଇଁ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe