ଆଜିଠୁ ଘନକୁହୁଡ଼ି

Advertisment

ସତର୍କ ସୂଚନା ଜାରି

ସତର୍କ ସୂଚନା ଜାରି

ଆଜିଠୁ ଘନକୁହୁଡ଼ି

Photo by : indianexpress.com

ଥରୁଛି ଓଡ଼ିଶା, ଦାରିଙ୍ଗବାଡ଼ିରେ ୩ଂ

ଭୁବନେଶ୍ୱର : ଓଡ଼ିଶାରେ ଶୀତ ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟର ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଅଞ୍ଚଳରେ ପାରଦ ଖସୁଛି। ଲଗାତାର ୩ୟ ଦିନ ଲାଗି ଓଡ଼ିଶାର ୧୩ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ବେଳେ ଦାରିଙ୍ଗବାଡ଼ିରେ ଦ୍ୱିତୀୟ ଦିନ ଲାଗି ୩ ଡିଗ୍ରି ଓ ଫୁଲବାଣୀରେ ୪.୫ ଡିଗ୍ରି ରେକର୍ଡ କରାଯାଇଛି।

ଦାରିଙ୍ଗବାଡ଼ି ସମେତ ଜିଲ୍ଲାର କେତେକ ସ୍ଥାନରେ ତୁଷାରପାତ ହୋଇଛି। ସକାଳୁ ଘାସ, ଛଣ ନଡ଼ାରେ ତୁଷାରପାତ ହୋଇଥିବା ଲୋକେ ଦେଖିବାକୁ ପାଉଛନ୍ତି। ଥଣ୍ଡା ମାତ୍ରା ଏପରି ବଢ଼ି ଯାଇଛି ଯେ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଲୋକେ ପଦାକୁ ବାହାରିବା ମୁସ୍କିଲ୍‌ ହୋଇପଡ଼ୁଛି।

୧୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଆଉ ଏକ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ପ୍ରବଳ କୁହୁଡ଼ି ଜାରି ରହିବ। ୮ ତାରିଖରେ ଅଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ କନ୍ଧମାଳ, ଗଞ୍ଜାମ, କୋରାପୁଟ, କଳାହାଣ୍ଡି, ମାଲକାନଗିରି ଜିଲ୍ଲାରେ କୁହୁଡ଼ି ମାତ୍ରା ବଢ଼ିବ। ୯ ଏବଂ ୧୦ ତାରିଖରେ କଟକ, କେନ୍ଦ୍ରାପଡ଼ା, ପୁରୀ, ଜଗତ୍‌ସିଂହପୁର, ଗଞ୍ଜାମ, ବାଲେଶ୍ୱର ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ କୁହୁଡ଼ି ହେବ। ୧୧ ତାରିଖ ବେଳକୁ ସ୍ଥିତିରେ କିଛିଟା ପରିବର୍ତନ ଆସିପାରେ। ଆସନ୍ତା ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ହ୍ରାସ ପାଇବ। ଏବେ ଯେତିକି ରହୁଛି ତା’ଠାରୁ ୨ ଡିଗ୍ର୍ରି ତଳକୁ ଖସିବାର ପୂର୍ବାନୁମାନ କରାଯାଇଛି।

ଦାରିଙ୍ଗବାଡ଼ି ଓ ଫୁଲବାଣୀକୁ ଛାଡ଼ି ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ୭, ଝାରସୁଗୁଡ଼ାରେ ୭.୮, ଭବାନୀପାଟଣାରେ ୮, କେନ୍ଦୁଝରଗଡ଼ ଓ ହୀରାକୁଦରେ ୮.୨, ସମ୍ବଲପୁର ଓ ଅନୁଗୁଳରେ ୮.୫, ବାରିପଦାରେ ୯.୪, କୋରାପୁଟ ଓ ସୋନପୁରରେ ୯.୫, ବଲାଙ୍ଗିରରେ ୯.୬ ଡିଗ୍ରି ରେକର୍ଡ ହୋଇଛି। ତାଳଚେରରେ ୧୦ ଡିଗ୍ର୍ରି ଥିବା ବେଳେ ବାଲେଶ୍ୱରରେ ୧୦.୫, ଟିଟିଲାଗଡ଼ ଓ ଢ଼େଙ୍କାନାଳରେ ୧୧, କଟକରେ ୧୨ ଓ ଭୁବନେଶ୍ୱରରେ ୧୩ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ତାପମାତ୍ରା ଏକ ଡିଗ୍ରି ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe