ମାଡ଼ି ଆସୁଛି ଘନ କୁହୁଡ଼ି, ସତର୍କ କଲା ପାଣିପାଗ ବିଭାଗ

Advertisment
ଆଜି ୮ ଜିଲ୍ଲାରେ ଘନକୁହୁଡ଼ି, ୟେଲୋୱାର୍ଣ୍ଣିଂ ଜାରି

Deccan Chronicle

ଭୁବନେଶ୍ୱର : ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ପଡ଼ିବ। କୁହୁଡ଼ିର ସାନ୍ଦ୍ରତା ବି ବହୁତ ଅଧିକ ରହିବ। ଏଣୁ ଗାଡ଼ି ଚଳାଚଳରେ ବିଶେଷ ସାବଧାନତା ଅବଲମ୍ବନ ପାଇଁ ସତର୍କ କରାଇ ଦେଇଛି ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। କେନ୍ଦ୍ରର ସୂଚନା ମୁତାବକ ବଙ୍ଗୋପସାଗରରେ ସୃଷ୍ଟ ଗୁରୁଚାପ କାରଣରୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ କୁହୁଡ଼ି ପଡ଼ିବ। ବିଶେଷ କରି ଉତ୍ତର ଉପକୂଳ ଓଡ଼ିଶା ଯଥା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଧା, ସୁନ୍ଦରଗଡ଼, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ ଓ ମୟୂରଭଞ୍ଜରେ ଘନ କୁହୁଡ଼ି ଦେଖିବାକୁ ମିଳିବ। ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବି ଆସନ୍ତା ଦୁଇ ଦିନର ସକାଳୁ ହାଲ୍‌କା କୁହୁଡ଼ି ପଡ଼ିବ।

କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଆଜି ସକାଳେ ସୁନ୍ଦରଗଡ଼ଠାରେ ଘନ କୁହୁଡ଼ି ଦେଖାଯାଇଥିଲା। କୁହୁଡ଼ିର ମାତ୍ରା ଅଧିକ ଥିବାରୁ ମାତ୍ର ୧୫୦ ମିଟର ପର୍ଯ୍ୟନ୍ତ ହିଁ ଦୃଶ୍ୟମାନ ହେଉଥିଲା। କଟକ, ଜଗତସିଂହପୁର, ଅନୁଗୁଳ ଓ ଖୋର୍ଧା ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ହାଲ୍‌କାରୁ ମଧ୍ୟମ ଘନତାର କୁହୁଡ଼ି ପଡ଼ିଥିବା ରେକର୍ଡ ହୋଇଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ। କିନ୍ତୁ ବଙ୍ଗୋପସାଗର ତଥା ଓଡ଼ିଶା ଉପକୂଳ ଅଞ୍ଚଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ଯାଏଁ ଉତ୍ତର ଓଡ଼ିଶାର ଉପକୂଳବର୍ତୀ ଜିଲ୍ଲା ଏବଂ ଖୋର୍ଧା, ସୁନ୍ଦରଗଡ଼, କନ୍ଧମାଳ, ମୟୂରଭଞ୍ଜ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ପଡ଼ିବାର ଆଶଙ୍କା ରହିଛି। ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବି ହାଲ୍‌କା କୁହୁଡ଼ି ପଡ଼ିବ ବୋଲି ସୂଚନା ମିଳିଛି।

ଅପରପକ୍ଷରେ ୨୦ ଓ ୨୧ ତାରିଖରେ ଓଡ଼ିଶାର କିଛି କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ୨୦ ତାରିଖ ଦିନ ନୂଆପଡ଼ା, ନବରଙ୍ଗପୁର, ପୁରୀ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୨୧ ତାରିଖ ଦିନ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଆଦି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲ୍‌କା ବର୍ଷା ହୋଇପାରେ। ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବା ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ଆସନ୍ତା ୨/୩ ଦିନ ପର୍ଯ୍ୟନ୍ତ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ।

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ଶୁଖିଲା ରହିଥିଲା। ସମତଳ ଅଞ୍ଚଳ ମଧ୍ୟରେ ସୋନ୍‌ପୁରଠାରେ ୧୫ ଡିଗ୍ରି ସର୍ବନିମ୍ନ ତାପମାତ୍ରା ‌‌ରେକର୍ଡ କରାଯାଇଛି। ପାହାଡ଼ିଆ ଅଞ୍ଚଳ ମଧ୍ୟରେ କୋରାପୁଟଠାରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୧୫ ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବରରେ ଆଜି ୨୧.୫ ଡିଗ୍ରି ରାତ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକଠାରେ ୨୦.୫ ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe