ବୁଡ଼େଇଲା, ଭସେଇଲା: ପୁରୀ ବଡ଼ଦାଣ୍ଡରେ ନଈର ଭ୍ରମ

ବୁଡ଼େଇଲା, ଭସେଇଲା: ପୁରୀ ବଡ଼ଦାଣ୍ଡରେ ନଈର ଭ୍ରମ

ପୁରୀ : ଲଗାଣ ବର୍ଷାରେ ଉବୁଟୁବୁ ହୋଇଛି ସାହିରୁ ସହର। ବଡ଼ଦାଣ୍ଡରେ ନଈର ଭ୍ରମ ସୃଷ୍ଟି ହୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଘରୁ ଗୋଡ଼ କାଢ଼ିବା କାଠିକର ହୋଇପଡ଼ିଛି। ମାର୍କେଟ ଛକରୁ ମେଡିକାଲ୍‌ ଛକ ପର୍ଯ୍ୟନ୍ତ ରାସ୍ତାରେ ଦୁଇଫୁଟ ଉଚ୍ଚରେ ପାଣି ଜମି ରହିଥିବା ବେଳେ ଯାତାୟାତ ପାଇଁ ଲୋକେ ନାକେଦମ ହୋଇଛନ୍ତି। କେବଳ ବଡ଼ଦାଣ୍ଡ ନୁହେଁ ସମୁଦ୍ରକୂଳ ହୋଟେଲ୍‌ ସମ୍ମୁଖ ବି ଜଳାର୍ଣ୍ଣବ ପାଲଟିଥିଲା। ସ୍ଥିତି ‌ଏମିତି ହେଲା ଯେ ପର୍ଯ୍ୟଟକମାନେ ହୋଟେଲ୍‌ରୁ ବାହାରିବା ଅସମ୍ଭବ ହୋଇପଡ଼ିଥିଲା।

ବଡ଼ଦାଣ୍ଡ ଓ ସମୁଦ୍ରକୂଳ ଅଞ୍ଚଳ ବ୍ୟତୀତ ଭିଆଇପି ରୋଡ୍‌, ମାଟିତୋଟା ଲେନ୍‌, ସୁଜାତା ନଗର, ‌ସିଦ୍ଧ ମହାବୀର, ଦତ୍ତ‌ତୋଟା, ମାର୍କେଟ୍‌ ଛକ, ଅବକାଶ ଲେନ୍‌, ଗୋପୀନାଥପୁର, ସେନାପତି ବଗିଚା, ମଙ୍ଗଳାହାଟ ଶ୍ରଦ୍ଧାବିହାର ଆଦି ଅଞ୍ଚଳ ଜଳାର୍ଣ୍ଣବ ପାଲଟିଥିଲା। ଗତ ରାତିରୁ ୨୪ ଘଣ୍ଟା ମଧ୍ୟରେ ପୁରୀରେ ୧୯୫.୮ ମିଲିମିଟର ବର୍ଷା ହୋଇଥିବା ବେଳେ ଏହି ଲଗାଣ ବର୍ଷା ସହରବାସୀଙ୍କୁ ଆଜି ନାକେଦମ କରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ପୁରୀ ସହରରେ ଏଥର ରଥଯାତ୍ରା ପୂର୍ବରୁ ନାଳ ସଫେଇ ହୋଇନଥିବାରୁ ବଡ଼ଦାଣ୍ଡ ଉ‌ପରେ ପାଣି ଦୀର୍ଘ ସମୟ ପର୍ଯ୍ୟନ୍ତ ଜମି ରହିଥିଲା। ଏପରିକି ହରଚଣ୍ଡୀ ବସ୍ତିଠୁ ନେଇ କିଛି ତଳିଆ ବସ୍ତି ଅଞ୍ଚଳମାନଙ୍କରେ ଲୋକଙ୍କ ଘରେ ପାଣି ପଶି ଯାଇଥିଲା।

ବର୍ଷା ଏମିତି ଦାଉ ସାଧିଲା ଯେ ଆଜି ସହର ବଜାର ବନ୍ଦ ରହିଥିଲା। ବିଶେଷକରି ମାର୍କେଟ୍‌ ଛକରୁ ବଳଗଣ୍ଡି ପର୍ଯ୍ୟନ୍ତ ରାସ୍ତା ଅତିକ୍ରମ କରିବାକୁ ଲୋକେ ନାହିଁ ନଥିବା ହଇରାଣ ହରକତ ହୋଇଥିଲେ। କିଛି ବ୍ୟକ୍ତି ବାଇକ୍‌ ରଖି ପାଖ ପିଣ୍ଢାରେ ଅଟକି ରହିଥିଲେ ହେଁ ସେମାନଙ୍କ ଗାଡ଼ି ପାଣିରେ ବୁଡ଼ି ରହିବାରୁ ଖରାପ ହୋଇଯାଇଥିଲା। ତେଣୁ ଏହି ବର୍ଷାରେ କିଛି ବ୍ୟକ୍ତି ଗାଡ଼ିକୁ ଠେଲି ଠେଲି ନେଉଥିବା ଦେଖିବାକୁ ମିଳିଥିଲା। କିଛି ସ୍ଥାନରେ ରାସ୍ତା ଖାଲଢିପ ଥିବା ବେଳେ ଏଭଳି ବର୍ଷାରେ ପାଣି ଜମି ରହିଥିବାରୁ ଯାତାୟାତ କରୁଥିବା ଲୋକେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।

ବିଧାୟକଙ୍କ ୱାର୍ଡରେ ସୁଜାତା ନଗର ମଧ୍ୟରେ ଲୋକଙ୍କୁ ବି ଆଜି ନାକେଦମ ହେବାକୁ ପଡ଼ିଛି। ଅସରାଏ ବର୍ଷାରେ ଯାତାୟାତ କାଠିକର ହୋଇପଡ଼ୁଥିବା ବ‌େଳେ କିଛିଦିନ ତଳେ ପୌରସଂସ୍ଥାର ଅବହେଳା ପ୍ରତିବାଦରେ ସୁଜାତା ନଗର ବାସିନ୍ଦା ରାସ୍ତାରେ ତଳି ପୋତିଥିଲେ। ଆଜି ସ୍ଥିତି ଆହୁରି ଦୟନୀୟ ହୋଇପଡ଼ିଛି। ଲୋକଙ୍କ ଘରେ ପାଣି ପଶିଯିବାରୁ ବାସିନ୍ଦାମାନେ ଦହଗଞ୍ଜ ହୋଇଛନ୍ତି। ଜାତୀୟ ରାଜପଥ ଯିବା ପରଠାରୁ ବର୍ଷାରେ ସମ୍ପୃକ୍ତ ଅଞ୍ଚଳ ଓ ମାଟିତୋଟାର ଶହଶହ ବାସିନ୍ଦା ବର୍ଷା ଯୋଗୁ କଲବଲ ହୋଇ ଆସୁଛନ୍ତି। କେବଳ ସେତିକି ନୁହେଁ ବଡ଼ଦାଣ୍ଡ ପାର୍ଶ୍ବବର୍ତ୍ତୀ ଗୁପ୍ତ ଗୁଣ୍ଡିଚା ମନ୍ଦିର ତଳିଆ ରହିଥିବାରୁ ଏହା ମଧ୍ୟରେ ବି ପାଣି ଜମି ରହିଥିବା ଦେଖିବାକୁ ମିଳିଛି।

ଏନେଇ ସାମାଜିକ କର୍ମୀ ସୁଧାଂଶୁ ଜେନା କହିଛନ୍ତି ବର୍ଷାକୁ ନିୟନ୍ତ୍ରଣ କରିବା କାହା ହାତରେ ନାହିଁ, କିନ୍ତୁ ବର୍ଷା ଜଳ ନିଷ୍କାସନ ପାଇଁ ବାଟ କରିବା ପୌରସଂସ୍ଥାର ଦାୟିତ୍ବ। ଖାସ୍‌ ଏଇଥିପାଇଁ ବର୍ଷା ହେଲେ ଯେତିକି ଚିନ୍ତା ନାହିଁ, ବର୍ଷା ରାସ୍ତାରେ ଦୀର୍ଘଦିନ ଜମି ରହି ଯାତାୟାତରେ ବାଧା ସୃଷ୍ଟି କରିବା ବେଶି ଯନ୍ତ୍ରଣା ଦେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe