Advertisment

ତିତ୍‌ଲି ପ୍ରଭାବ : ଭୁବନେଶ୍ୱରରେ ପ୍ରବଳ ବର୍ଷାରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ

Advertisment
ତିତ୍‌ଲି ପ୍ରଭାବ : ଭୁବନେଶ୍ୱରରେ ପ୍ରବଳ ବର୍ଷାରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ

ଭୁବନେଶ୍ୱର : ତିତ୍‌ଲି ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ସନ୍ଧ୍ୟାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ବର୍ଷା ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୁବ୍‌ ବର୍ଷିଛି। ପ୍ରବଳ ବର୍ଷା ଫଳରେ ରାଜଧାନୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଜାତୀୟ ରାଜପଥଠାରୁ ଆରମ୍ଭ କରି ସହରର ସମସ୍ତ ରାସ୍ତାରେ ଛୁଟିଛି ପାଣିର ସୁଅ। ପରିସ୍ଥିତି ଏପରି ହୋଇଛି ଯେ କେତେକ ରାସ୍ତାରେ ବନ୍ୟାଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ରାଜଧାନୀର ବିଭିନ୍ନ ତଳିଆ ଅଞ୍ଚଳ ମଧ୍ୟ ବର୍ଷାରେ ଜଳମଗ୍ନ ହୋଇଉଠିଛି। ଏଥିଯୋଗୁଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ତିତ୍‌ଲି ପ୍ରଭାବରେ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି। କେତେକ ଅଞ୍ଚଳରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ଅନ୍ୟ କେତେକ ଅଞ୍ଚଳରେ ବନ୍ୟା ଯୋଗୁଁ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇଉଠିବା ସହ ରାସ୍ତାଘାଟ ବୁଡି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତିତ୍‌ଲି ପ୍ରଭାବରେ ଗୁରୁବାର ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟର ୧୮ଟି ଜିଲ୍ଲାରେ ଶୁକ୍ରବାର ବର୍ଷା ହେବ। ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ, ଭଦ୍ରକ ଓ ବାଲେଶ୍ୱର ସାମିଲ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe