ଲଗାଣ ବର୍ଷାରେ ବୌଦ୍ଧ ଜିଲ୍ଲା ବେହାଲ,ଏକାଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ, ଫୁଲୁଛି ମହାନଦୀ

Advertisment
ଲଗାଣ ବର୍ଷାରେ ବୌଦ୍ଧ ଜିଲ୍ଲା ବେହାଲ,ଏକାଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ, ଫୁଲୁଛି ମହାନଦୀ

ବୌଦ୍ଧ: ରବିବାର ଦିନର ଲଗାଣ ବର୍ଷାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅନୁଚ୍ଚ ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେବା ଦ୍ବାରା ଯାତାୟାତ ପ୍ରଭାବିତ ହୋଇଛି। ପୋଲ ନଥିବା ନାଳରେ ପାହାଡ଼ିଆ ପାଣି ପ୍ରବାହିତ ହେଉଥିବାରୁ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ସୋମବାର ବର୍ଷାର ପରିମାଣ କମିବା ପରେ କିଛି ଅଞ୍ଚଳରେ ଯାତାୟାତ ସ୍ବାଭାବିକ ହୋଇଥିଲେ ସୁଦ୍ଧା ହରଭଙ୍ଗା ବ୍ଲକର କିଛି ଗାଁ’ର ଲୋକେ ଗ୍ରାମରୁ ବାହାରି ପାରୁନାହାନ୍ତି। ଆଜି ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ ଖୋଲିଛି।

ମଙ୍ଗଳବାର ଏହି ପାଣି ବୌଦ୍ଧରେ ପହଞ୍ଚିବା ପରେ ମହାନଦୀ କୂଳରେ ଥିବା ବିଭିନ୍ନ ଗ୍ରାମକୁ ପାଣି ପଶିବା ଆଶଙ୍କା ରହିଛି। ପୂର୍ବ ବର୍ଷମାନଙ୍କ ଭଳି ପୁଣି ତଳିଆ ଅଞ୍ଚଳର ଲୋକେ ପାଣି ଘେରରେ ରହିବେ। ଜିଲ୍ଲାରେ ରବିବାର ୮୨.୮ ମିମି ଓ ସୋମବାର ୧୭୫.୨ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି। ହେଲେ ଉପର ମୁଣ୍ଡରେ ବର୍ଷା ‌ଯୋଗୁଁ ଜିଲ୍ଲା ମଧ୍ୟରେ ପ୍ରବାହିତ ବିଭିନ୍ନ ନଦୀରେ ପାଣି ଆସିବା ସହ ନାଳଗୁଡ଼ିକର ପାଣି ଉଛୁଳି ରାସ୍ତା ଅତିକ୍ରମ କରିଛି। ହରଭଙ୍ଗା-ଛତ୍ରଙ୍ଗ ରାସ୍ତାରେ ଥିବା ଶଗଡ଼ିଆ ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇ ଯାତାୟାତରେ ବାଧା ସୃଷ୍ଟି କରିଥିଲା। ସେହିପରି ଅତଲସରାରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା।

ବନ୍ୟା ପାଣି ଅପସରି ଯିବା ପରେ ଯାତାୟାତ ଆରମ୍ଭ ହୋଇଛି। ତଥାପି କିଛି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ମହାଲିକପଡ଼ା ପଞ୍ଚାୟତର ବଡ଼ ଯୋର ନାଳରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଦୁଇ ଦିନ ହେଲା ନନ୍ଦାଗାଡୁ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ଉକ୍ତ ପଞ୍ଚାୟତର ନୂଆପଡ଼ା‌ ରାସ୍ତାରେ ଥିବା ସାନଯୋର ଉପରେ ସେତୁ କାମ ଅଧପନ୍ତରିଆ ହୋଇ ପଡ଼ିରହିଛି। ନାଳରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ଲୋକେ ପାର ହୋଇପାରୁ ନାହାନ୍ତି।  ଯିବା ଆସିବା ସହ ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି। ମାରାଡ଼ା ଗ୍ରାମବାସୀଙ୍କ ମଧ୍ୟ ସମାନ ଦଶା। ବାଟରେ ଥିବା ଉଦଣ୍ଡି ନାଳରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ବିଚ୍ଛିନ୍ନ ହୋଇ ରହିଛନ୍ତି।

publive-image

ମହାନଦୀରେ ବନ୍ୟା ପାଣି ଆସିବା ପରେ ଏମାନଙ୍କ ଦୁଃଖ ଆହୁରି ବଢ଼ିଯିବ। ମହାନଦୀରୁ ପାଣି ନ ଶୁଖିବା ପର୍ଯ୍ୟନ୍ତ ଏଠାକାର ଲୋକେ ପାଣି ଘେର ମଧ୍ୟରେ ରହିବେ। ବାଣୀଭୂଷଣପୁର ପଞ୍ଚାୟତ ତିଲକୁପ ଓ ବାହାଲି ଗ୍ରାମର ଅବସ୍ଥା ବି ସମାନ। ଦୀର୍ଘ ବର୍ଷ ହେଲା ସେତୁ ନିର୍ମାଣ ଅଧପନ୍ତରିଆ ହୋଇ ବନ୍ଦରହିଛି। କାଚପାଜୁ ଗାଁ’କୁ ଯିବାକୁ ହେଲେ ଏକାଧିକ ନାଳ ପାର ହେବାକୁ ପଡ଼େ। ଫଳରେ ଏକାଧିକ ପ୍ରତିବନ୍ଧକ ଯୋଗୁଁ ଲୋକେ ବିଚ୍ଛିନ୍ନ ହୋଇ ରହିଛନ୍ତି। ଏହି ଗ୍ରାମଗୁଡ଼ିକର ସମସ୍ୟା ନୂଆ ନୁହେଁ। ବର୍ଷ ବର୍ଷ ଧରି ଲୋକେ ଏଭଳି ସମସ୍ୟାର ଭୋଗି ଆସୁଛନ୍ତି। ହେଲେ ବ୍ଲକ ପ୍ରଶାସନ କି ଜିଲ୍ଲା ପ୍ରଶାସନ ଆଜି ପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ଗ୍ରହଣ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe