ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା: ୫୭ ନମ୍ବର ଜାତୀୟ ରାଜପଥରେ ୩ ଫୁଟର ବନ୍ୟା ଜଳ, ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ

ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଅଘଟଣ: ଚଳନ୍ତା ଗାଡି ଉପରେ ପଡିଲା ବିଶାଳ ଗଛ, ବର୍ତ୍ତିଲେ ଚାଳକ-ହେଲପର

ଜହ୍ନାପଙ୍କ: ଲଘୁଚାପ ପ୍ରଭାବରେ ଦୁଇ ଦିନ ହେଲା ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଜହ୍ନାପଙ୍କ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ପରିମାଣରେ ଘର ଦ୍ୱାର ଭାଙ୍ଗିବା ସହ ଅନେକ ସ୍ଥାନରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସକାଳେ ପ୍ରବଳ ବର୍ଷା ହେବାରୁ ୫୭ ନମ୍ବର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ତେଲିବନ୍ଧ ନାଳ ଠାରେ ରାସ୍ତାରେ ୩ ଫୁଟର ବନ୍ୟା ଜଳ ୪ ଘଣ୍ଟା ସମୟ ବହୁ ଥିବାରୁ ଉଭୟ ପଟରୁ ଆସୁଥିବା ଯାନବାହାନ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା।

ସେହିପରି ତେଲିବନ୍ଧ ପଂଚାୟତ ଧୁଦୁରୁବାହାଲ ଗ୍ରାମକୁ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କ ଉପରେ ୩ ଫୁଟ ଜଳ ପ୍ରବାହିତ ହେଉଥିବା ଯୋଗୁଁ ଲୋକେ ତେଲିବନ୍ଧ ଠାରୁ ବିଛିନ୍ନ ହୋଇଛି। ଏହା ସହ ଖୁଣ୍ଟବନ୍ଧ ଛକ ଠାରୁ ଚଣ୍ଡୀଗଡ଼ ଗ୍ରାମକୁ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ହୋଇଥିବା ରାସ୍ତାର ଚଣ୍ଡୀଗଡ଼ ଗ୍ରାମ ଠାରେ ଥିବା ପୋଲ ଧୋଇ ନେଇ ସେଠାରେ ୧୫ ଫୁଟର ବିରାଟ ଘାଇ ସୃଷ୍ଟି ହୋଇଛି। ଫଳରେ ଚଣ୍ଡିଗଡ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଏହା ସହ ଏକ ଡଙ୍ଗାରେ ୬ ଜଣ ବ୍ୟକ୍ତି ପାର ହେଉଥିବା ବେଳେ ଡ଼ଙ୍ଗା ବୁଡି ଯାଇଥିଲା । ହେଲେ ସେମାନେ ବଡ଼ ବିପଦରୁ ବର୍ତ୍ତି ଯାଇଛନ୍ତି।

ବାଳଦୋହଲି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଏହି ଚଣ୍ଡୀଗଡ଼ ପୋଲ ଦୁଇ ବର୍ଷ ପୂର୍ବେ ହୋଇଥିବା ଲଘୁଚାପ ଜନିତ ବର୍ଷାରେ ମଧ୍ୟ୍ୟ ଭାଙ୍ଗି ଯାଇଥିଲା। ସେତେବେଳେ ଚଣ୍ଡିଗଡ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିଲା। ବର୍ଷା ଯୋଗୁଁ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବା ସହ ବାଲିଚର ମାଡି ଯାଇଛି। ବିଭିନ୍ନ ଗ୍ରାମରେ ମାଟି ଛପର ଘର ଭାଙ୍ଗି ଯାଇଛି। ବିଭିନ୍ନ ଗ୍ରାମରେ ଥିବା ବନ୍ଧ ଗାଡିଆ ଭାଙ୍ଗି ଯାଇଥିବା ଜଣାପଡିଛି। ଗୋବିନ୍ଦପୁର ଗ୍ରାମର ବରୁଣ ପ୍ରଧାନ, ଲକ୍ଷ୍ମୀପ୍ରସାଦ ପଂଚାୟତ ବାଘପାଲି ଗ୍ରାମର ଯଦୁମଣି ପ୍ରଧାନ, ନାରାୟଣନଗର ଗ୍ରାମର ବିମଲ ଦେହୁରୀ, ବିନାୟକ ପୁଟେଲ, ଗିରିଧାରୀ ଜେନା, ଶରଧାପୁର ଗ୍ରାମର ମନ୍ଦରା ଗାଈଗୌରୀଆ ତଥା ଦଶ ଜଣଙ୍କ ଘର ଭାଙ୍ଗି ଯାଇଛି। ଲକ୍ଷ୍ମୀପ୍ରସାଦ, ତେଲିବନ୍ଧ, ଖୁଣ୍ଟବନ୍ଧ, ପଦ୍ମନପୁର, ମୁଣ୍ଡାପଡା ପ୍ରଭୁଟି ପଂଚାୟତରେ ବହୁତ ପରିମାଣର କ୍ଷୟକ୍ଷତି ହୋଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe