Advertisment

ଦିନ ସାରା ବର୍ଷା ବିତ୍ପାତ: ସୁନ୍ଦରଗଡ଼‌ ଜିଲ୍ଲାରେ ସର୍ବାଧିକ, ଆଜି କମିବ

Advertisment
୨୭ରୁ ରାଜ୍ୟରେ ପୁଣି ବର୍ଷା

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ଶନିବାର ରହିଥିବା ସୁଦୃଶ ଲଘୁଚାପ ବଳୟ ରବିବାର ଦିନ ସାମାନ୍ୟ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଅବପାତର ରୂପ ନେଇଥିଲା। ରବିବାର ସକାଳ ୮ଟାରେ ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଓ ଉତ୍ତର ଓଡ଼ିଶା ଉପରେ ରହିଥିଲା। ଫଳରେ ରବିବାର ଦିନ ତମାମ ଉପକୂଳରୁ ପଶ୍ଚିମ ଓଡ଼ିଶା ଯାଏ ପ୍ରବଳ ବର୍ଷା ହୋଇଛି। ବିଶେଷ କରି ଗତକାଲି ରାତିରୁ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିଛି। ତେବେ ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରିରେ ସର୍ବା‌ଧିକ ୨୦୦.୪ ମିମି ବର୍ଷା ହୋଇଥିବା ବେଳେ ରାଜଗାଙ୍ଗପୁରରେ ୧୬୭.୪ ମିମି, ସୁନ୍ଦରଗଡ଼ ସହରରେ ୧୬୩.୪ ମିମି, ଲେଫ୍ରିପଡ଼ାରେ ୧୫୬.୪ ମିମି ଲେଖାଏ ବର୍ଷା ହୋଇଯାଇଛି। ଏଥିସହ ଅପରାହ୍ନ ୫ଟା ସୁଦ୍ଧା ପୁରୀ ଅସ୍ତରଙ୍ଗରେ ୧୬୮ମିମି, କନ୍ଧମାଳ ଫିରିଙ୍ଗିଆରେ ୧୬୧.୬ ମିମି, ସମ୍ବଲପୁର ଧନକଉଡ଼ା‌ରେ ୧୫୯ ମିମି ଓ ଜଗତସିଂହପୁର ବାଲିକୁଦାରେ ୧୫୪ ମିମି ବର୍ଷା ହୋଇଛି। ତେବେ ଆଶ୍ବସ୍ତିର କଥା ଆସନ୍ତାକାଲି ରାଜ୍ୟରେ ବର୍ଷାର ବିତ୍ପାତ ବହୁ ମାତ୍ରାରେ କମିବ।

publive-image

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ରବିବାର ଦିନ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଥିବା ବେଳେ ଉପକୂଳ ଓଡ଼ିଶା ବି ବର୍ଷା କୋପରୁ ବର୍ତି ନଥିଲା। ଶନିବାର ଦିନତମାମ ବର୍ଷା ଲାଗି ରହିଥିବା ବେଳେ ରବିବାର ସକାଳୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିଥିଲା। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ, ମୟୂରଭଞ୍ଜ, ପୁରୀ ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ଦିନ ତମାମ ପ୍ରବଳ ବର୍ଷା ଜାରି ରହିଥିଲା। ଆଜି ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହେବ। ଧୀରେଧୀରେ ଏହା ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରୁ ଦୂରେଇଯିବ। ଫଳରେ ରାଜ୍ୟରେ ବର୍ଷାର ପ୍ରଭାବ, ବିସ୍ତୃତି ଓ ପରିମାଣ ହ୍ରାସ ପାଇବ। ଆଜି ପଶ୍ଚିମ ଓଡ଼ିଶାର ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପା‌ରେ। ଆହୁରି ଆଶ୍ବସ୍ତିର କଥା ୧୬ ତାରିଖ ଦିନ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଷ୍କ ରହିବ। ଅନ୍ୟପ‌ଟେ ରାଜ୍ୟରେ ଏବେ ମୌସୁମୀର ଶକ୍ତିଶାଳୀ ପ୍ରଭାବ ଜାରି ରହିଥିବା ବେଳେ ରାଜ୍ୟରେ ମୌସୁମୀଜନିତ ବର୍ଷା ଜାରି ରହିବ।

ତେବେ ୧୭ ତାରିଖରୁ ପୁଣି ବର୍ଷା ବଢ଼ିପାରେ। ବିଭିନ୍ନ ପାଣିପାଗ ବିଜ୍ଞାନୀଙ୍କ ଆକଳନ କହୁଛି, ୧୭ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଯିବ। ପାଣିପାଗ କେନ୍ଦ୍ର ସୂଚନା ମୁତାବକ, ୧୭ ତାରିଖ ଦିନ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧୮ ତାରିଖ ଦିନ ସାରା ଓଡ଼ିଶାରେ ବିସ୍ତାରିତ ବର୍ଷା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe