ସାରା ରାଜ୍ୟ‌ରେ ଦୁଇ ଦିନ ପ୍ରବଳ ବର୍ଷା

ତିନି ଦିନ ୧୩ ଜିଲ୍ଲାରେ ପ୍ରବଳ ବର୍ଷା

Representation image

ଭୁବ‌ନେଶ୍ୱର : ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଆଜି ସକାଳେ ସୃଷ୍ଟି ହୋଇଥିବା ଲଘୁଚାପବଳୟ ଆସନ୍ତାକାଲି(ଶନିବାର) ସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଏହାପରେ ଧୀରେଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ୧୨ ତାରିଖ ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଅତିକ୍ରମ କରିବ। ପ୍ରଭାବରେ ୧୧ ତାରିଖରୁ ଓଡ଼ିଶା ଉପକୂଳରେ ପବନର ବେଗ ବଢ଼ିବା ସହ ସାରା ରାଜ୍ୟ‌ରେ ବର୍ଷା ଆରମ୍ଭ ହେବ। ତେବେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ଆସନ୍ତାକାଲି ରାଜ୍ୟରେ କାଁ ଭାଁ ସ୍ଥାନରେ ସ୍ବଳ୍ପବର୍ଷା ହୋଇପାରେ। କିନ୍ତୁ ଅବପାତର ପ୍ରଭାବରେ ୧୧ ତାରିଖ ଦିନ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ଗଜପତି, ଗଞ୍ଜାମ, ରାୟଗଡ଼ା ଓ ପୁରୀରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମାଲକାନଗିରି, କନ୍ଧମାଳ, ଜଗତସିଂହପୁର, ଖୋର୍ଧା ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୧୨ ତାରିଖ ଦିନ ବି ସାରା ରାଜ୍ୟ‌ରେ ବର୍ଷା ଲାଗି ରହିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଣୁ ଏହି ଜିଲ୍ଲାଗୁଡ଼ିକ ପାଇଁ ବି ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିସହ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଜଗତସିଂହପୁର. କେନ୍ଦ୍ରାପଡ଼ା, କଟକ, ଭଦ୍ରକ ଓ ବାଲେଶ୍ବରରେ ପ୍ରବଳର ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ପବନର ବେଗ ୪୫ରୁ ୫୫କିମି ରହିବ ଓ ମଝିରେ ମଝିରେ ଏହା ୬୫କିମି ବେଗକୁ ମଧ୍ୟ ବଢ଼ିବାର ସମ୍ଭାବନା ଥିବା ଶ୍ରୀ ବିଶ୍ବାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe