ବଢ଼ୁଛି ବର୍ଷା: ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ, ସତର୍କ ସଙ୍କେତ ଉପରେ ବଂଶଧାରା

Advertisment

୨୪ ଘଣ୍ଟାରେ ଅଜାଡ଼ିଲା ୬୩୦.୯ ମିମି, ମୁନିଗୁଡ଼ାରେ ସର୍ବାଧିକ

୨୪ ଘଣ୍ଟାରେ ଅଜାଡ଼ିଲା ୬୩୦.୯ ମିମି, ମୁନିଗୁଡ଼ାରେ ସର୍ବାଧିକ

ବଢ଼ୁଛି ବର୍ଷା: ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ, ସତର୍କ ସଙ୍କେତ ଉପରେ ବଂଶଧାରା

ରାୟଗଡ଼ା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଫଳରେ ରାୟଗଡ଼ା ସମେତ ପଡୋଶୀ କଳାହାଣ୍ଡିକୁ ପାଣିପାଗ ବିଭାଗ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି। ସେହିପରି ଅବିଭକ୍ତ କ‌ୋରାପୁଟ ଜିଲ୍ଲାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ପଡୋଶୀ ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ୫୭.୩୫ ମିମି ହାରରେ ରାୟଗଡ଼ାରେ ରେକର୍ଡ ୬୩୦.୯ ମିମି ବର୍ଷା ହୋଇଛି। ଆଜି ଦିନ ତମାମ ପାଗ ମେଘୁଆ ରହିବା ସହ ବର୍ଷା ଲାଗି ରହିଛି। ମୁନିଗୁଡ଼ା ବ୍ଲକରେ ସର୍ବାଧିକ ୧୦୧.୨ ମିମି, ଗୁଡ଼ାରିରେ ୭୮.୬ ମିମି, ବିଷମକଟକରେ ୭୨.୨ ମିମି, କାଶୀପୁରରେ ୬୨.୪ ମିମି, ପଦ୍ମପୁରରେ ୫୯.୩ ମିମି, କଲ୍ୟାଣସିଂହପୁରରେ ୫୫.୪ ମିମି, ରାମନାଗୁଡ଼ାରେ ୫୨.୮ ମିମି, ଗୁଣପୁରରେ ୪୮ ମିମି, ଚନ୍ଦ୍ରପୁରରେ ୪୫ ମିମି, ରାୟଗଡ଼ାରେ ୨୮.୬ ମିମି, କୋଲନରାରେ ୨୭.୪ ମିମି ବର୍ଷା ରେକର୍ଡ କରାଯାଇଛି।

ମୁନିଗୁଡ଼ା, ଗୁଡାରି, ଗୁଣପୁର, ପଦ୍ମପୁରରେ ବର୍ଷା ବଢ଼ିଥିବାରୁ ବଂଶଧାରା ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସଂଧ୍ୟା ୫ଟାରେ ବଂଶଧାରା ଜଳସ୍ତର ସତର୍କ ସଙ୍କେତ ଟପିଛି। ସତର୍କ ସଙ୍କେତ ୮୩ ମିଟର ରହିଥିବା ବେଳେ ଜଳସ୍ତର ୮୩.୦୮ ମିଟରରେ ପ୍ରବାହିତ ହେଉଛି। ରାତିରେ ବର୍ଷା ପରିମାଣ ବଢ଼ିଲେ ବଂଶଧାରା ବିପଦ ସଙ୍କେତ ଟପିବାର ସମ୍ଭାବନା ରହିଛି। ସେପଟେ ହରଭଙ୍ଗୀ ଡ୍ୟାମର ଜଳସ୍ତର ବଢ଼ୁଥିବାରୁ ଯେକୌଣସି ମୁହୂର୍ତ୍ତରେ ଜଳ ନିଷ୍କାସନ ନେଇ ଜଳ ସମ୍ପଦ ବିଭାଗ ସୂଚନା ଦେଇଛି। ହରଭଙ୍ଗୀ ଜଳ ବଂଶଧାରାରେ ମିଶୁଥିବାରୁ ଗୁଣପୁର ଉପଜିଲ୍ଲାପାଳ, ଗୁଡାରି, ଗୁଣପୁର, ପଦ୍ମପୁର ବିଡ଼ିଓ ଏବଂ ତହସିଲଦାର, କଦମା, ଏମ୍. କେ. ରାଇ, ଆଖୁସିଙ୍ଗ, ସାନହୁମା ସରପଞ୍ଚଙ୍କୁ ସତର୍କ ରହିବା ପାଇଁ ସୂଚନା ଜାରି କରିଛି ବିଭାଗ। ନାଗାବଳୀ, କଲ୍ୟାଣୀ, ଝଞ୍ଜାବତୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

publive-image

ଗତ ୩ ଦିନ ହେଲା ଲାଗି ରହିଥିବା ବର୍ଷା ପୂର୍ବ ବର୍ଷ ଗୁଡ଼ିକର ରେକର୍ଡ ଭାଙ୍ଗିଛି। ରାମନାଗୁଡ଼ା ତହସିଲରେ ବହୁ ଘର ଭାଙ୍ଗିଥିବା ଜଣା ପଡିଛି। ଜୁଲାଇ ଶେଷ, ଅଗଷ୍ଟ ପହିଲାରେ କେବେ ଏତେ ପରିମାଣର ବର୍ଷା ହୋଇନଥିଲା। ୨୦୨୧ରେ ଅଗଷ୍ଟ ଶେଷରେ ରାୟଗଡ଼ାରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ସଅଳ ମୌସୁମୀ ଯୋଗୁ ଜିଲ୍ଲାର ଅଧା ଜମିରେ ଚାଷ କାର୍ଯ୍ୟ ସରିଲାଣି। କିନ୍ତୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଚାଷ ପାଇଁ ଘାତକ ସାଜିଛି। ବର୍ଷା ପ୍ରଭାବରେ ଚାଷ କାମଠୁ ଆରମ୍ଭ କରି ସାଧାରଣ ଜୀବନଯାପନ ବ୍ୟାହତ ହୋଇଛି। ଚାଷ ଜମି ଜଳମଗ୍ନ ହେବା ପରେ ରୁଆ ସାରିଥିବା ଫସଲ ସୁରକ୍ଷାକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି। ପଦ୍ମପୁର ବ୍ଲକର ୩ ଶହ ଏକର ଜମିରେ ପାଣି ଜମି ରହିଥିବାରୁ ଆଜି ରାଜସ୍ବ ଓ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି। ପଦ୍ମପୁର ବ୍ଲକ୍ ଜାତିଲି, ଖିଲାପଦର, ଖିଲାମୁଣ୍ଡା ଅଞ୍ଚଳ ପରିଦର୍ଶନ କରିଛନ୍ତି କୃଷି ଅଧିକାରୀ ସୁଜାତା ନିଶଙ୍କ, ପଦ୍ମପୁର ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ରାଜସ୍ବ ନୀରିକ୍ଷକ ମଦନ ମୋହନ ପଣ୍ଡା, ସୁଶ୍ରୀ ସନ୍ଧ୍ୟା। ପାଣି କମିବା ପରେ ହିଁ କ୍ଷୟକ୍ଷତିର ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି କ୍ଷୟକ୍ଷତି ଆକଳନ ଟିମ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe