ଆଜିଠୁ ୪ ଦିନ ପ୍ରବଳ ବର୍ଷିବ, ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ

Advertisment
ଆଜିଠୁ ୪ ଦିନ ପ୍ରବଳ ବର୍ଷିବ, ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ

Flickr

ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଗାଙ୍ଗେୟ ପଶ୍ଚିମବଙ୍ଗ‌ରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବାକୁ ଯାଉଥିବାରୁ ଆସନ୍ତାକାଲିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସ୍ଥାନେସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ହୋଇପାରେ। ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ୧୪ ତାରିଖ ଯାଏ ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ଏବଂ ତଳିଆ ଅଞ୍ଚଳ‌ରେ ବନ୍ୟା ସମସ୍ୟାର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ସାରିବାକୁ କହିଛନ୍ତି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସଙ୍କ ସୂଚନା ଅନୁଯାୟୀ ଶୁକ୍ରବାର ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୧୨ ତାରିଖଠାରୁ ବର୍ଷାର ପରିମାଣ ବଢ଼ିବ। ଉକ୍ତ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିପରି ୧୩ ତାରିଖରେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରର‌େ ପ୍ରବଳରୁ ଅତିପ୍ରବଳ ଏବଂ ଗଜପତି, ଗଞ୍ଜା‌ମ, କନ୍ଧମାଳ ଓ ରାୟଗଡ଼ା‌ରେ ପ୍ରବଳ ବର୍ଷା ହେବ। ୧୪ ତାରିଖ ଦିନ ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ କୋରାପୁଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୧୩ ତାରିଖରେ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ବଳୟଟି ୧୪ ତାରିଖ ଆଡ଼କୁ ପୂର୍ବ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଉପରେ ରହିବ। ପ୍ରାଥମିକ ଆକଳନରୁ ଜଣାପଡ଼ୁଛି ଯେ ଏହି ଲଘୁଚାପ ପ୍ରଭାବରେ ଦକ୍ଷିଣରେ ବିଶେଷ ବର୍ଷା ହେବ। ଓଡ଼ିଶାରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ୧୩ ତାରିଖ ଦିନ ଗୋପାଳପୁରରୁ ବଲାଙ୍ଗୀର ସଂଯୋଗ କରୁଥିବା ସରଳରେଖାର ଦକ୍ଷିଣରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୪ ତାରିଖରେ ବର୍ଷା କମିଯିବ। ଅବିଭକ୍ତ କୋରାପୁଟ, ବିଶେଷକରି ମାଲକାନଗିରିର କେତେକ ସ୍ଥାନରେ ଭାରି ବର୍ଷା ହୋଇପାରେ। ତେବ‌େ ଆସନ୍ତାକାଲି ସ୍ଥିତି ଅଧିକ ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ପଶୁପାଳକ କହିଛନ୍ତି।

ଅପରପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନ‌ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଏଥିସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କୋରାପୁଟ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। କୋରାପୁଟ ସେମିଳିଗୁଡ଼ାରେ ସର୍ବାଧିକ ୧୦୬.୦ ମିମି ବର୍ଷା ରେକର୍ଡ ହୋଇଛି। ରାୟଗଡ଼ା ଜିଲ୍ଲା ବିଷମକଟକରେ ୬୨.୪ମିମି, ଅନୁଗୁଳ ଜିଲ୍ଲା ତାଳଚେରରେ ୫୫.୦ମିମି, କେନ୍ଦୁଝର ଜିଲ୍ଲା ଘଟଗାଁରେ ୪୨.୦ମିମି ଲେଖାଏଁ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆସନ୍ତା ୨୪ଘଣ୍ଟାରେ ଦ୍ବୈତନଗରୀର ପାଗ ମେଘୁଆ ରହିବ। ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହୋଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ରାତିର ତାପମାତ୍ର‌ା ୨୫ ଡିଗ୍ରି ମଧ୍ୟରେ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe