Image Courtesy of India TV News
ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଅସାନି’ର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ୧୧ ତାରିଖ ସକାଳ ସାଢ଼େ ୮ଟା ଯାଏ ଓଡ଼ିଶାର ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି କାରଣରୁ ଏସବୁ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅପରପକ୍ଷରେ ୧୧ ତାରିଖ ସକାଳ ସାଢ଼େ ୮ଟାରୁ ୧୨ ତାରିଖ ସକାଳ ସାଢ଼େ ୮ଟା ଯାଏ ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ ପୁରୀ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ୧୨ ତାରିଖ ଦିନ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ତେବେ ୧୩ ତାରିଖରେ ବିଶେଷ ବର୍ଷା ନାହିଁ । ଉତ୍ତର ଉପକୂଳର ଅଳ୍ପ କିଛି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇପାରେ। ରାଜ୍ୟକୁ ପବନର ମଧ୍ୟ ଡର ନାହିଁ। ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ସମୁଦ୍ର ଅଶାନ୍ତ ରହିଥିବାରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳର ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ ପୁରୀ, ଧାମରା ଓ ପାରାଦୀପ ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି ହୋଇଛି ।
Follow Us