ରାୟଗଡ଼ା, କୋରାପୁଟରେ ଲଗାଣ ବର୍ଷା : ୫୦ଟି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ, ନାଗାବଳୀରେ ଜଳପତନ ବଢ଼ୁଛି

Advertisment
ରାୟଗଡ଼ା, କୋରାପୁଟରେ ଲଗାଣ ବର୍ଷା : ୫୦ଟି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ, ନାଗାବଳୀରେ ଜଳପତନ ବଢ଼ୁଛି

ରାୟଗଡ଼ା/କୋରାପୁଟ : ଲଗାଣ ବର୍ଷା ଯୋଗୁ ରାୟଗଡ଼ା ଜିଲ୍ଲା ଉବୁଟୁବୁ। ବର୍ଷା ଯୋଗୁ ହଜାର ହଜାର ଲୋକ ଜଳବନ୍ଦୀ ହୋଇଯାଇଛନ୍ତି। ବଂଶଧାରା ନଦୀର ଜଳପତନ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ଆହୁରି ୪୮ଘଣ୍ଟା ଧରି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରିବା ପରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବିଶେଷ କରି ବଂଶଧାରା ସହିତ ନାଗାବଳୀ ଅବବାହିକାରେ ରହିଥିବା ଅଞ୍ଚଳର ଲୋକ ସର୍ବାଧିକ ଚିନ୍ତାରେ ରହିଛନ୍ତି।

ଗୁଣପୁର ବନ୍ୟା ନିୟନ୍ତ୍ରଣ କେନ୍ଦ୍ର କକ୍ଷ ଦାୟିତ୍ୱରେ ଥିବା ଅଧିକାରୀ ମାଝି ଖାଡଙ୍ଗା ସୂଚନା ଅନୁସାରେ , ଆଜି ରାତି ୮ଟାରେ ଗୁଣପୁର ଠାରେ ବଂଶଧାରା ନଦୀର ଜଳପତ୍ତନ ବିପଦ ସଙ୍କେତ ଉପରେ ଅର୍ଥାତ ୮୪.୦୫ମିଟର ଉଚ୍ଚରେ ପ୍ରଭାବିତ ହେଉଛି। ରାତି ୧୧ଟାରେ ଜଳପତ୍ତନ ବୃଦ୍ଧି ପାଇ ୮୪.୩୫ ମିଟର ହେବାର ସମ୍ଭାବନା ରହିଛି। ତେବେ ଉପର ମୁଣ୍ଡରେ ସଂଧ୍ୟାରେ ବର୍ଷା ପରିମାଣ କମି ଯାଇଥିବାରୁ କୌଣସି ପ୍ରକାର ବିପଦ ନାହିଁ ବୋଲି ଶ୍ରୀ ଖାଡଙ୍ଗା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ର ପ୍ରଦେଶର ଗୋଟା ବ୍ୟାରେଜର ୧୪ଟି ଗେଟ୍‌ ଖୋଲାଯାଇଛି। ତେଣୁ ବନ୍ୟା ଜଳ ନିଷ୍କାସନରେ ସହଜ ହେଉଥିବା କହିଛନ୍ତି। ସେହିପରି ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଦେଇ ପ୍ରବାହିତ କଲ୍ୟାଣୀ ଓ ନାଗାବଳୀ ନଦୀରେ ମଧ୍ୟ ବନ୍ୟା ଜଳ ବିପଦ ସଙ୍କେତ ନିମ୍ନରେ ପ୍ରଭାବିତ ହେଉଥିବା ସୂଚନା ମିଳିଛି। ଜିଲ୍ଲାରେ ମୁନିଗୁଡ଼ା ବ୍ଲକରେ ସର୍ବାଧିକ ଓ ରାୟଗଡା ବ୍ଲକରେ ସର୍ବନିମ୍ନ ବର୍ଷା ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ, ମାର୍କମା ନାଳରେ ଜଳପତନ ବୃଦ୍ଧି ପାଇଥିବା ବେଳେ ନାଳରେ ଜଣେ ଯୁବକ ଭାସି ଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ ଗାଦବାଗୁଡା ଗ୍ରାମର ଶୁକ୍ରୁ ପ୍ରାସ୍କାଙ୍କ ପୁଅ ମଙ୍ଗୁଳୁ ପ୍ରାସ୍କା (୨୫)। ସେହିଭଳି, କେତେକ ସ୍ଥାନରେ କଲଭର୍ଟ, ଆପ୍ରୋଚରୋଡ଼ ଭାସିଯାଇଛି। ୫୦ଟି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିବାବେଳେ ଅନ୍ୟପକ୍ଷରେ, କୋରାପୁଟରେ ଆଜି ଦିନ ତମାମ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷୁଥିବାରୁ ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଜିଲ୍ଲାର ପ୍ରାୟ ସବୁ ଅଂଚଳରେ ଲଗାଣ ବର୍ଷା ଜାରି ରହିଛି। ଆଜି ସକାଳ ସୁଦ୍ଧା ଜିଲ୍ଲାରେ ହାରାହାରି ୨୧.୨୦ମିମି ବର୍ଷା ହୋଇଥିଲା ବେଳେ ଦିନରେ ବର୍ଷାର ପରିମାଣ ବଢିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe