ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ଏବଂ ଏହାର ଆଖପାଖ ଦକ୍ଷିଣ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ ଓଡ଼ିଶା ଉପକୂଳକୁ ଛଇଁବ ନାହିଁ। ତଥାପି, ଏହା ଓଡ଼ିଶା ଉପକୂଳ ଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ରହି ସମୁଦ୍ର ଭିତରେ ଥାଇ ସମାନ୍ତରାଳ ଭାବେ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହି ପରିପ୍ରେକ୍ଷୀରେ ସାମୁଦ୍ରିକ ବାତ୍ୟା ‘ଅସାନି’ର କୌଣସି ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନ ପଡ଼ିଲେ ମଧ୍ୟ ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୧୩ ତାରଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ ପବନ ଅନୁଭୂତ ହେବ। ଏପରିକି ଏହି ସମୟ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି ବୋଲି ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ ୧୦ ଓ ୧୧ ତାରିଖରେ ରାଜ୍ୟର ମାଲକାନାଗିରି, କୋରାପୁଟ, ଗଜପତି, ଗଂଜାମ ଏବଂ ପୁରୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
/sambad/media/post_attachments/wp-content/uploads/2022/05/Rain1-1024x724.jpg)
ସେହିପରି ୧୧ ଓ ୧୨ ତାରିଖରେ ରାଜ୍ୟର ଗଜପତି, ଗଂଜାମ, ପୁରୀ ଏବଂ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଏହି ସମୟ ମଧ୍ୟରେ କୋରାପୁଟ, ରାୟଗଡ଼ା, ଖୋର୍ଦ୍ଧା, ଜଗତସିଂହପୁର ଏବଂ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।
/sambad/media/post_attachments/wp-content/uploads/2022/05/Rain2-1024x724.jpg)
୧୨ ଓ ୧୩ ତାରଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
/sambad/media/post_attachments/wp-content/uploads/2022/05/Rain3-1024x724.jpg)
ସାମୁଦ୍ରିକ ବାତ୍ୟା ‘ଅସାନି’ ପ୍ରଭାବରେ ୧୦ରୁ ୧୨ ତାରିଖ ମଧ୍ୟରେ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନ ୬୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି।
/sambad/media/post_attachments/wp-content/uploads/2022/05/Rain4-1024x577.jpg)
ଅନ୍ୟ ପକ୍ଷରେ ସାମୁଦ୍ରିକ ବାତ୍ୟା ‘ଅସାନି’ ପ୍ରଭାବରେ ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ କିଲୋମିଟର ଥିବା ବେଳେ ଝଟକା ପବନର ବେଗ ୧୨୦ କିଲୋମିଟର ପ୍ରତି ଘଣ୍ଟା ହେଉଛି। ଏହା ଧୀରେ ଧୀରେ ଘଣ୍ଟାପ୍ରତି ୮୦-୯୦ କିଲୋମିଟରକୁ ହ୍ରାସ ପାଇବ। ଆଜି ମଧ୍ୟରାତ୍ରିରୁ ପଶ୍ଚିମ କେନ୍ଦ୍ରୀୟ ଏବଂ ଏହାର ଆଖପାଖ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ପବନ ବହିବା ଏବଂ ସମାନ ଅଞ୍ଚଳରେ ମେ ୧୧ ତାରିଖ ସନ୍ଧ୍ୟାରୁ ଘଣ୍ଟା ପ୍ରତି ୬୫-୭୫ କିଲୋମିଟର ବେଗରେ ପବନ ବହିବ। ମେ ୧୨ ତାରିଖ ସକାଳୁ ଉତ୍ତର-ପଶ୍ଚିମ ଏବଂ ଏହାର ଆଖପାଖ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୫୫-୬୫ କିଲୋମିଟରକୁ ହ୍ରାସ ପାଇବ।
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ମଧ୍ୟରାତ୍ରି, ୧୦ ମେ ରୁ ୧୩ ମେ ପର୍ଯ୍ୟନ୍ତ ସମୁଦ୍ର ଅବସ୍ଥା ବହୁତ ଅଧିକ ଅଶାନ୍ତ ହେବାର ସମ୍ଭାବନା ରହିଛି। ସମୁଦ୍ର ମଧ୍ୟରେ ଉଚ୍ଚ ଢ଼େଉ ଉଠିବ। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ମେ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
Follow Us