ପୁଣି ଘୂର୍ଣ୍ଣିବଳୟ, ବର୍ଷା ସମ୍ଭାବନା

Advertisment

ବାତ୍ୟା ଆଶଙ୍କା ନାହିଁ: ପାଣିପାଗ କେନ୍ଦ୍ର

ବାତ୍ୟା ଆଶଙ୍କା ନାହିଁ: ପାଣିପାଗ କେନ୍ଦ୍ର

ପୁଣି ଘୂର୍ଣ୍ଣିବଳୟ, ବର୍ଷା ସମ୍ଭାବନା

ଭୁବନେଶ୍ୱର : ଚଳିତ ମାସ ଶେଷ ସପ୍ତାହ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଏବଂ ଉପକୂଳ ସହିତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହାର କାରଣ ହୋଇପାରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ। ୨୫ ତାରିଖରେ ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଆଖପାଖ ଉପକୂଳରେ ଏହି ବ୍ୟବସ୍ଥା ସୃଷ୍ଟି ହୋଇପାରେ। ଲଘୁଚାପରେ ବି ପରିଣତ ହେବାର ଆଶଙ୍କା ରହିଛି। ବୁଧବାର ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୫/୨୬ ତାରିଖରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ୨୫ ତାରିଖରୁ ଦକ୍ଷିଣରେ ଆରମ୍ଭ ହୋଇଯିବ ବର୍ଷା। ୨୭ ତାରିଖ ବେଳକୁ ଘୂର୍ଣ୍ଣିବଳୟ ଦକ୍ଷିଣ ଓଡ଼ିଶା ଉପରକୁ ଖସି ଆସିବ। ଫଳରେ ଦକ୍ଷିଣରେ ବର୍ଷାର ପରିମାଣ ବଢ଼ିବ। ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସମୁଦ୍ରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ପୂର୍ବାନୁମାନ କରାଯାଉଥିବାରୁ ଏହା ଲଘୁଚାପରେ ପରିଣତ ହେବାର ଆଶଙ୍କା ଅଧିକ। ଲଘୁଚାପ ହେଉ ବା ନ ହେଉ ୩୦ ତାରିଖ ଯାଏଁ ଲାଗି ରହିବ ବର୍ଷା। ବୁଧବାର ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ। ତେବେ ଏହା ପୂର୍ବାନୁମାନରେ ସୀମିତ ରହିଛି। ଏ ନେଇ ଦିନେ ଦୁଇଦିନ ଭିତରେ ରୂପରେଖ ସ୍ପଷ୍ଟ ହେବ।

ଗତକାଲି ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଏବଂ ଏହାର ଆଖପାଖ ଓଡ଼ିଶା ଉପକୂଳ ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ ଅବବାହିକାରେ ଥିବା ଲଘୁଚାପ ଆଜି ଉତ୍ତର ଛତିଶଗଡ଼କୁ ଗତି କରିଛି। ସେହିପରି ରାଜସ୍ଥାନର ବିକାନେରରୁ ଏକ ମୌସୁମୀ ଟ୍ରଫ୍‌ ଲାଇନ ଲଘୁଚାପ ଅଞ୍ଚଳ ଏବଂ ଫୁଲବାଣୀ, ଗୋପାଳପୁର ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରକୁ ଲମ୍ବିଯାଇଛି। ଏହା ପ୍ରଭାବରେ ବର୍ଷା ଲାଗି ରହିବ। ଏହା ସତ୍ତ୍ୱେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବାର ସମ୍ଭାବନା ଅଧିକ। ଆଜି ‘ବାତ୍ୟା ଗୋପାଳପୁରମୁହାଁ, ୧୧ ଜିଲ୍ଲାପାଳଙ୍କୁ ସତର୍କ ନିର୍ଦେଶ’ ନେଇ ଏକ ଖବର ସୋସିଆଲ୍‌ ମିଡିଆରେ ଘୁରିବୁଲୁଛି। କିନ୍ତୁ ଏହା ଗୁଜବ ବୋଲି ପାଣିପାଗ ନିର୍ଦେଶକ ଡ. ସାହୁ ସ୍ପଷ୍ଟ କରିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଏବଂ ନର୍ଲାରେ ସର୍ବାଧିକ ୧୨୦ ମିଲିମିଟର ବର୍ଷା ହୋଇଥିଲା। ଏହା ପଛକୁ ନୂଆପଡ଼ାରେ ୯୦ ମି.ମି., କାଶୀପୁର, ଓଡ଼ଗାଁ, ଲାଞ୍ଜିଗଡ଼ରେ ୮୦ ମି.ମି., ସଇଁତଲା, ମୁନିଗୁଡ଼ା, ମନ୍ଦିରା ଡ୍ୟାମ, ଭବାନୀପାଟଣା, ଖପ୍ରାଖୋଲରେ ୭୦ ମି.ମି., କଣ୍ଟାମାଳ, ସୁନ୍ଦରଗଡ଼, ଲଇକେରା, ରଣପୁର, ଧର୍ମଗଡ଼, କୋମ୍‌ନା, ସମ୍ବଲପୁରରେ ୬୦ ମି.ମି., ବାଲେଶ୍ୱର, ଜୁନାଗଡ଼, ମଦନପୁର-ରାମପୁର, ଅତାବିରା, କାମାକ୍ଷାନଗର, ଚନ୍ଦାହାଣ୍ଡି, ସିନାପାଲୀ, କିର୍‌ମିରା ଆଦି ସ୍ଥାନରେ ପ୍ରାୟ ୫୦ ମି.ମି. ବର୍ଷା ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ପାରାଦୀପ ଆଦି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe