ଆଜିଠାରୁ ବଢ଼ିବ ବର୍ଷା : ୨୧ରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

ଆଜିଠାରୁ ବଢ଼ିବ ବର୍ଷା : ୨୧ରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

photo by : mirror.co.uk

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଶୁକ୍ରବାରଠାରୁ ବର୍ଷା ପରିମାଣ ବଢ଼ିବ। ସାରା ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ତାହାକୁ ଦୃଷ୍ଟିରେ ରଖି ୨୧ ତାରିଖରେ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ମତ୍ସ୍ୟଜୀବୀମାନେ ୨୨ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ୧୯ ତାରିଖରେ ଯେଉଁ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ର ଭିତରକୁ ଯାଇଥିଲେ ସେମାନେ ରାତି ସୁଦ୍ଧା କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ଜୁଲାଇ ୨୨ ରାତି ଯାଏ ଲଘୁଚାପର ପ୍ରଭାବ ଓଡ଼ିଶା ଉପକୂଳରେ ରହିବ। ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ହୋଇପାରେ। ତେଣୁ ମତ୍ସ୍ୟଜୀବୀମାନେ ଏହି ସମୟ ମଧ୍ୟରେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ବିଭାଗ ଆହୁରି କହିଛି ଯେ ଲଗାତାର ୩ ଦିନ ପାଇଁ ବର୍ଷା ଲାଗିରହିବ। ୨୦ ତାରିଖଠାରୁ ଉପକୂଳ ଓଡ଼ିଶା ଯଥା ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ଭଦ୍ରକ ଓ ଗଞ୍ଜାମରେ ପ୍ରବଳ ବର୍ଷା ହେବ। ୨୧ ଓ ୨୨ ତାରିଖରେ ଅର୍ଦ୍ଧାଧିକ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ୨୩ ତାରିଖରେ ବି ମୟୂରଭଞ୍ଜ ସମେତ ବାଲେଶ୍ୱର, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବିଶିଷ୍ଟ ପାଣିପାଗ ବିଜ୍ଞାନୀ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୩ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହେବ। ୨୧ ତାରିଖରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧୯ ତାରିଖ ସକାଳେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଯାଇଛି। ୨୦ ତାରିଖ ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହୋଇ ୨୧ ତାରିଖ ସକାଳ ସମୟରେ ତାହା େଓ୍ଵଲ୍‌ମାର୍କ ଲୋ ପ୍ରେସର ଓ ସନ୍ଧ୍ୟାରେ ଅବପାତରେ ପରିଣତ ହେବ। ୨୧ ତାରିଖ ଦିନ ଏହା ବାଂଲାଦେଶ ଉପକୂଳକୁ ଲାଗିଥିବା ଅଞ୍ଚଳରେ ଅବସ୍ଥିତ ରହିବ। ୨୨ ତାରିଖରେ ପଶ୍ଚିମବଙ୍ଗ ଓ ତା’ପରେ ପଶ୍ଚିମ ଆଡ଼କୁ ଗତି କରି ଉତ୍ତର ଛତିଶଗଡ଼ରେ ଅବସ୍ଥିତ ରହିବ।

୨୦ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବର୍ଷା ରହିବ। କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଖୋର୍ଧା, ପୁରୀ ଜିଲ୍ଲାର ଅଧିକାଂଶ ସ୍ଥାନରେ ଭାରି ବର୍ଷା ହେବ। ଉକ୍ତ ଜିଲ୍ଲାଗୁଡ଼ିକର ସମୁଦ୍ର ସଂଲଗ୍ନ ଅଞ୍ଚଳରେ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୨୧ ତାରିଖରେ ସାରା ରାଜ୍ୟରେ ବର୍ଷାର ପ୍ରକୋପ ବଢ଼ିବ। ପାରାଦୀପଠାରୁ ସମ୍ବଲପୁର ଏବଂ ଗୋପାଳପୁରଠାରୁ ଭବାନୀପାଟଣା ମଧ୍ୟସ୍ତ ଅଞ୍ଚଳରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମହାନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଭାରି ବର୍ଷା ହେବ। ୨୨ ତାରିଖ ସନ୍ଧ୍ୟା ପରେ ଲଘୁଚାପର ପଶ୍ଚିମାଗତି ଯୋଗୁଁ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରକୋପ କମିଯିବ। ତେବେ ଉତ୍ତର ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମ ଧରଣ ବର୍ଷା ହୋଇପାରେ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିଶେଷକରି ସୀମାନ୍ତବର୍ତୀ ଅଞ୍ଚଳରେ ୨୩ ତାରିଖ ଦିନ ହାଲୁକାରୁ ସ୍ୱଳ୍ପ ବର୍ଷା ହେବ ବୋଲି ସେ କହିଛନ୍ତି।

ଲଘୁଚାପ ଜନିତ ବର୍ଷା ଦ୍ୱାରା ମହାନଦୀ ସମେତ ବୈତରଣୀ, ବ୍ରାହ୍ମଣୀ, ବଂଶଧାରା, ଋଷିକୂଲ୍ୟା, ତେଲ ନଦୀର ଜଳସ୍ତର ବୃଦ୍ଧି ପାଇବ। ୨୧ ତାରିଖ ପାଇଁ ପାଣିପାଗ ବିଭାଗ ହାଇଆଲର୍ଟ ଜାରି କରିଥିବାରୁ ଏବେଠାରୁ ବନ୍ୟା ଆଶଙ୍କା ପ୍ରକାଶ ପାଇଛି। ତାହାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe