ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

Advertisment
ଆଜି ସୁନ୍ଦରଗଡ଼, ସମ୍ବଲପୁରରେ ପ୍ରବଳ ବର୍ଷା: ୨୫ରୁ ରାଜ୍ୟରେ ପାଗ ଶୁଖିଲା

ଭୁବନେଶ୍ବର: ଦକ୍ଷିଣ ଓଡ଼ିଶାରେ କୋହଲା ପାଗ ସାଙ୍ଗକୁ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଲାଗି ରହିବ। ଆଜି ରାଜ୍ୟରେ ପାଗ କୋହଲା ରହିବା ସହ ଗଞ୍ଜାମ, କୋରାପୁଟ, କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇଛି। ୨୪ ଘଣ୍ଟା ମଧ୍ୟରେ ଗୋପାଳପୁରରେ ସର୍ବାଧିକ ୧୪୩.୩ ମିମି ବର୍ଷା ହୋଇଥିବା ବେଳେ ଛତ୍ରପୁରରେ ୨୫.୬, ଭବାନୀପାଟଣାରେ ୨୪.୮, କୋରାପୁଟରେ ୧୨.୪ ମିମି ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ବୁଧବାର ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେ‌ଲୋ ୱାର୍ଣ୍ଣିଂ ଜାରି ହୋଇଛି। କୋମୋରିନ୍‌ ସମେତ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳସ୍ଥିତ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଥିବା ଲଘୁଚାପ ଦେଇ ଏକ ଟ୍ରଫ୍‌ ଲାଇନ୍‌ ଅତିକ୍ରମ କରିଥିବାରୁ ପ୍ରଭାବରେ ବର୍ଷା ହେବ।

ଆସନ୍ତା ୩ରୁ ୪ଦିନ ମଧ୍ୟରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୯ରୁ ୨୧ ଡିଗ୍ରି ଏବଂ ଉପକୂଳ ଜିଲ୍ଲାଗୁଡ଼ିକରେ ରାତିର ସର୍ବନିମ୍ନ ତାପମାତ୍ରା ୨୧ରୁ ୨୩ ଡିଗ୍ରି ମଧ୍ୟରେ ରହିବ। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରି ରେକର୍ଡ ହୋଇଛି। ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାଠାରେ ୩୩.୨ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨୪ଘଣ୍ଟାରେ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିବ। ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରି ମଧ୍ୟରେ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe