ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା

ପ୍ରବଳ ବର୍ଷାକୁ ନଜରରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର: ଗତ ୨୪ ଘଣ୍ଟା ହେଲା ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ମୌସୁମୀ ସ୍ବା‌ଭାବିକ ସ୍ଥିତିକୁ ଫେରିଆସିଛି। ଏବେ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି। ଆସନ୍ତା ୨ରୁ ୩ ଦିନ ଭିତରେ ଏକ ଲଘୁଚାପବଳୟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଆସନ୍ତା ୨ରୁ ୩ଦିନ ଧରି ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ।

ଆଜି ଅପରାହ୍‌ଣରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଯାଇଛି। ଆସନ୍ତାକାଲି ରାଜ୍ୟର ପ୍ରାୟ ସ୍ଥାନରେ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହେବ। କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଧା, ସମ୍ବଲପୁର ଓ ଦେବଗଡ଼ ଆଦି ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବ।

ସେହିପରି ୨୨ ତାରିଖ ଦିନ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ‌ବଲାଙ୍ଗୀର, ବରଗଡ଼ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ଏବଂ କନ୍ଧମାଳ, ନୂଆପଡ଼ା, ଢେଙ୍କାନ‌ାଳ, କଟକ, ନୟାଗଡ଼, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞ‌ାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯିବା ସହ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ୨୩ ତାରିଖ ଆଡ଼କୁ ରାଜ୍ୟରେ ବର୍ଷାର ବିସ୍ତୃତି କମିବ। କିନ୍ତୁ ବରଗଡ଼, ନବରଙ୍ଗପୁର, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୪ ତାରିଖ ଦିନ ମଧ୍ୟ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ବର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅନ୍ୟପଟେ ଏହି ଲଘୁଚାପ ଶେଷ ହେଉ ହେଉ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆକଳନ କରାଯାଉଛି। ଫଳରେ ଜୁଲାଇ ଶେଷ ଆଡ଼କୁ ରାଜ୍ୟରେ ଭଲ ଅର୍ଥାତ ୧୫୦ ମିମିରୁ ଅଧିକ ବର୍ଷା ହେବ। ଏହା ଜୁଲାଇ ମାସର ନିଅଣ୍ଟିଆ ବର୍ଷାର ସ୍ଥିତିକୁ କିଛି ପରିମାଣର ଭରଣା କରିବାରେ ସକ୍ଷମ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe