ଆଜିଠୁ ବଢ଼ିବ ବର୍ଷା : ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ

ଆଜିଠୁ ବଢ଼ିବ ବର୍ଷା : ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ

photo by : youtube.com

ଭୁବନେଶ୍ୱର : ସୋମବାରଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ର୍ରବଳରୁ ଅତିପ୍ରବଳ ବର୍ଷା ହେବ। ଉତ୍ତର ଓଡ଼ିଶା ଉପରେ ବି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ତା’ପ୍ରଭାବରେ ଦକ୍ଷିଣ ଓଡ଼ିଶା ଅପେକ୍ଷା ଅଭ୍ୟନ୍ତରୀଣ ଓ ଉତ୍ତର, ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏଥର ବର୍ଷା ସବୁ ଅଞ୍ଚଳକୁ ସ୍ପର୍ଶ କରିବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଆଞ୍ଚଳିକ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୧୩ ତାରିଖ ଯାଏ ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ସୋନପୁର, ସମ୍ବଲପୁର, ବରଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି। କେତେକ ସ୍ଥାନରେ ୬୦ ମିମିରୁ ଅଧିକ ବର୍ଷା ହୋଇପାରେ। ଗତ ୧୨ ଘଣ୍ଟାରେ ମାଲକାନଗିରିରେ ସର୍ବାଧିକ ୩୩ ମିମି ବର୍ଷା ହୋଇଛି। ବାରିପଦାରେ ୯ ଓ କେନ୍ଦୁଝର, କୋରାପୁଟ ଓ ଦାରିଙ୍ଗବାଡ଼ିରେ ୨ ମିମି ଲେଖାଏ ବର୍ଷା ହୋଇଥିବା ସୂଚନା ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଆସନ୍ତା ଦୁଇ ଦିନ ଦକ୍ଷିଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବା ସହ ସ୍ଥାନେ ସ୍ଥାନେ ଭାରି ବର୍ଷା ହୋଇପାରେ। କିନ୍ତୁ ସାରା ଓଡ଼ିଶାରେ ବିସ୍ତୃତ ଭାବେ ବର୍ଷା ହେବ। ୧୨ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଆଡ଼କୁ ଗତି କରିବ। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷିବ। ଉତ୍ତର ଉପକୂଳବର୍ତୀ ଅଞ୍ଚଳ ସମେତ ଉତ୍ତର ଓଡ଼ିଶା, ସମ୍ବଲପୁର ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟମରୁ ଭାରି ବର୍ଷା ହୋଇପାରେ। ଏହା ୧୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ୧୨ ତାରିଖଠାରୁ ଭୁବନେଶ୍ୱରରେ ବର୍ଷା ବଢ଼ିବ। ୧୫ ତାରିଖ ଯାଏ ଭାରି ବର୍ଷା ହୋଇପାରେ। ୩୫ରୁ ୬୪ ମିମି ବର୍ଷା ହେବାର ସମ୍ଭାବନା ରହିଛି।

ସେ ଆହୁରି କହିଛନ୍ତି ଯେ ଚଳିତବର୍ଷ ପାଣିପାଗର ବୈଜ୍ଞାନିକ ବିଶ୍ଲେଷଣ ସଠିକ୍‌ ଭାବେ କାମ କରୁ ନାହିଁ। ପୂର୍ବରୁ କାଳବୈଶାଖୀର ତାଣ୍ଡବ ଯୋଗୁଁ ଦେଶର ଅଧିକାଂଶ ସ୍ଥାନରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଧନଜୀବନ ନଷ୍ଟ ହୋଇଥିଲା। ତା’ର ମଧ୍ୟ ସଠିକ୍‌ ଆକଳନ କରିବା କଷ୍ଟକର ଥିଲା। ଏବେ ପୁଣିଥରେ ସମାନ ସ୍ଥିତି ଉପୁଜିଛି। ଓଡ଼ିଶା ଉପରେ ମନ୍‌ସୁନ୍‌ ଟ୍ରପ୍‌ ସୃଷ୍ଟି ହେଉଛି। ହେଲେ ତାହା ସ୍ପଷ୍ଟ ହେଉନି। ଉତ୍ତର ପୂର୍ବ ଭାରତ ଓ ପୂର୍ବ ଭାରତରେ ବର୍ଷା ହେବା କଥା। ତାହା ଏପର୍ଯ୍ୟନ୍ତ ହୋଇ ନାହିଁ। ଏଥର ମନ୍‌ସୁନ୍‌ ଟ୍ରପ୍‌ ଉତ୍ତରରେ ରହିଥିଲେ ମଧ୍ୟ ଉତ୍ତରାଖଣ୍ଡରେ ସେଭଳି ବର୍ଷା ହୋଇ ନାହିଁ। ବରଂ ଜମ୍ମୁ କଶ୍ମୀରରେ ବନ୍ୟା ହେଉଛି। ଏହାକୁ ଦେଖିଲେ ଲାଗୁଛି ଯେ ବୈଜ୍ଞାନିକଙ୍କ ଆକଳନ ଠିକ୍‌ ଭାବେ କାମ କରୁନାହିଁ। ତେଣୁ ସମୟ ଆସିଛି ପାଣିପାଗ ବୈଜ୍ଞାନିକମାନଙ୍କୁ ଭଲ ଭାବେ ବିଶ୍ଲେଷଣ କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe